ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

କୋଲକାତାରୁ ପ୍ରାର୍ଥୀ ହୋଇପାରନ୍ତି ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ।

ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଆସନ୍ତା ଲୋକସଭା ନିର୍ବାଚନରେ କୋଲକାତାରୁ ପ୍ରାର୍ଥୀ ହେବେ? ଏହିଭଳି ଏକ ଖବର ଏବେ ଆସୁଛି। କୋଲକାତା ଉତ୍ତର ନିର୍ବାଚନ ମଣ୍ଡଳୀରୁ ୨୦୧୯ ନିର୍ବାଚନରେ ଶାହ ପ୍ରାର୍ଥୀ ହୋଇପାରନ୍ତି ବୋଲି ଏକ ଖବର ବଙ୍ଗଳା ଖବରକାଗଜ ଆନନ୍ଦ ବଜାର ପତ୍ରିକାରେ ପ୍ରକାଶ ପାଇଛି।

ଶାହଙ୍କ ଭଳି ଜଣେ ହେଭିୱେଟ ନେତାଙ୍କୁ କୋଲକାତାରୁ ପ୍ରାର୍ଥୀ ଭାବେ ଠିଆ କରାଯିବା ପଛରେ ଏକ ଯୋଜନାବଦ୍ଧ କାର୍ଯ୍ୟକ୍ରମ ରହିଛି। ଯଦି ଶାହା କୋଲକାତାରୁ ପ୍ରାର୍ଥୀ ହେବେ, ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁରୀ ଆସନରୁ ନିର୍ବାଚନ ଲଢ଼ିବାର ବହୁତ ସମ୍ଭାବନା ରହିଛି।

ଖବର ଅନୁସାରେ, ପଶ୍ଚିମବଙ୍ଗରୁ ନିହାତି କମ୍‌ରେ ୨୨ଟି ଆସନ ଜିତିବାର ଲକ୍ଷ୍ୟ ରଖିଛନ୍ତି ଅମିତ ଶାହ। ଏ କଥା ମଧ୍ୟ ଅନୁମାନ କରାଯାଉଛି ଯେ, ଉତ୍ତର କୋଲକତାରୁ ଯଦି ସମ୍ଭବ ନୁହେଁ ଆସାନସୋଲରୁ ତାଙ୍କୁ ପ୍ରାର୍ଥୀ କରାଯାଇପାରେ।

ଏହି ଆସନଟିକୁ ଏକ ସୁରକ୍ଷିତ ଆସନ ଭାବେ ପରିଗଣିତ କରାଯାଉଛି, କାରଣ ପ୍ରଥମ ଥର ପାଇଁ ଗାୟକରୁ ରାଜନେତା ହୋଇଥିବା ବାବୁଲ ସୁପ୍ରିଓ ଆସାନସୋଲରୁ ପ୍ରାର୍ଥୀ ହୋଇ ୨୦୧୪ରେ ଏକାମାଡ଼କେ ଲୋକସଭା ନିର୍ବାଚନ ଜିତିଥିଲେ। ଆଜିବି ଏହି ଆସନରେ ବିଜେପିର ସ୍ଥିତି ଖୁବ୍ ମଜବୁତ ରହିଛି।

ପଶ୍ଚିମବଙ୍ଗ ବ୍ୟତୀତ ଓଡ଼ିଶା ଉପରେ ମଧ୍ୟ ବିଜେପି ଅଧିକ ଫୋକସ କରିବାକୁ ଲାଗିଥିବା ଜଣାପଡ଼ିଛି। ପଶ୍ଚିମବଙ୍ଗ ଓ ଓଡ଼ିଶା ମିଶି ଲୋକସଭାକୁ ୬୩ ସାଂସଦଙ୍କୁ ପଠାଇଥାନ୍ତି। ୨୦୧୪ ନିର୍ବାଚନରେ ବିଜେପି ବଙ୍ଗଳାରୁ ଦୁଇଟି ଆସନ ପାଇଥିବା ବେଳେ ଓଡ଼ିଶାରୁ ଗୋଟିଏ ଆସନ ହାସଲ କରିଥିଲା।

ଆହୁରି ମଧ୍ୟ ଖବର ଆସୁଛି ଯେ, ଓଡ଼ିଶା ଓ ପଶ୍ଚିମବଙ୍ଗ ଉପରେ ଗୁରୁତ୍ୱ ଦେବା ସହ ବିଜେପିର କିଛି ତୁଙ୍ଗ ନେତାମାନଙ୍କୁ ଏହି ଦୁଇ ରାଜ୍ୟରୁ ଲୋକସଭା ନିର୍ବାଚନରେ ପ୍ରାର୍ଥୀ କରାଯିବ। ତେବେ ଉତ୍ତର କୋଲକାତାରୁ ଅମିତ ଶାହା ଓ ପୁରୀରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରାର୍ଥୀ ହେବା ଏକରକମ ନିଶ୍ଚିତ। ଯେହେତୁ ଉପକୂଳ ରାଜ୍ୟରେ ଲୋକସଭା ଓ ବିଧାନସଭା ନିର୍ବାଚନ ଏକାଥରକେ ଅନୁଷ୍ଠିତ ହେବ, ବିଜେପିର ଲକ୍ଷ୍ୟ ଏହି ସବୁ ରାଜ୍ୟରେ ଡବଲ ମାଡ଼ କରିବା।

ଅମିତ ଶାହା ଆସାନସୋଲରୁ ପ୍ରାର୍ଥୀ ଭାବେ ଠିଆ ହେବା ଏଥିପାଇଁ ନିଶ୍ଚିତ ଯେ ଗତ ନିର୍ବାଚନରେ ବିଜେପିକୁ ଏଠାରୁ ୧୪ ପ୍ରତିଶତ ଭୋଟ ମିଳିଥିଲା। ବିଜେପି ପକ୍ଷରୁ ଆକଳନ କରାଯାଇଛି ଯେ, ଯଦି ଶାହା ପ୍ରାର୍ଥୀ ହୁଅନ୍ତି ତେବେ ଭୋଟ ପରିମାଣ ଆହୁରି ବୃଦ୍ଧି ପାଇବ।

ସେହିଭଳି ଉତ୍ତର କୋଲକାତା ଆସନରେ ମଧ୍ୟ ବିଜେପିର ଦବଦବା ରହିଛି କାରଣ ଏଠି ଅଧିକାଂଶ ଭୋଟର ହେଉଛନ୍ତି ଅଣବଙ୍ଗାଳି। ୨୦୧୪ ନିର୍ବାଚନରେ ଏହି ଆସନରେ ବିଜେପି ଖୁବ୍ ଭଲ କରିଥିଲା। ଏଣୁ ଏଥର ବି ଏହି ଆସନରେ ଭଲ କରାଯାଇପାରିବ ବୋଲି ବିଜେପି ପକ୍ଷରୁ ଅନୁମାନ କରାଯାଇଛି।

Comment