ଓଡ଼ିଶାଲାଇଭ୍‌ ବ୍ୟୁରୋ

ଓକିଲ-ପୋଲିସ ବିବାଦକୁ ମୁଖ୍ୟମନ୍ତ୍ରୀଙ୍କୁ ଟାଣିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଦିନ ପରେ ଦିନ ଗଡ଼ୁଛି। କିନ୍ତୁ ଓକିଲ ଏବଂ ପୋଲିସ ଭିତରେ ଚାଲିଥିବା ବିବାଦ ତୁଟୁନି। ସାରା ରାଜ୍ୟବ୍ୟାପି ନିଆଁ ଜଳୁଥିବା ବେଳେ କେବେ ଓକିଲ ଆନ୍ଦୋଳନ ଥମିବ ତା’ ଉପରେ ସାରା ରାଜ୍ୟବାସୀଙ୍କ ନଜର ରହିଛି।

ଓକିଲ ଆନ୍ଦୋଳନରୁ ବିଜେଡି ଲିଗାଲ ଫ୍ରଣ୍ଟ ସମର୍ଥନ ପ୍ରତ୍ୟାହାର କରିନେବା ପରେ ଏଥିରେ ରାଜନୀତିର ରଙ୍ଗ ଲାଗିଛି।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ସିଧାସଳଖ ମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି।

“ଓକିଲ-ପୋଲିସଙ୍କ ଭିତରେ ବିବାଦ ଗତ ଦୁଇ ମାସ ଧରି ଚାଲିଛି। କିନ୍ତୁ ରାଜ୍ୟ ସରକାର ଏହି ବିବାଦ ସମାଧାନ ପାଇଁ ଆଗ୍ରହ ଦେଖାଇ ନାହାନ୍ତି। ନିଜେ ମୁଖ୍ୟମନ୍ତ୍ରୀ ଗୃହ ବିଭାଗର ମୁଖ୍ୟ ହୋଇଥିଲେ ମଧ୍ୟ ଓକିଲ-ପୋଲିସ ବିବାଦ କେମିତି ସମାଧାନ ହେବ ଚିନ୍ତା କରି ନାହାନ୍ତି। ଉଭୟ ପକ୍ଷରୁ ପ୍ରତିନିଧିଙ୍କୁ ଡାକି ଆଲୋଚନା କରି ନାହାନ୍ତି। ପୋଲସ ଡିଜି କିମ୍ବା ମୁଖ୍ୟ ଶାସନ ସଚିବ ମଧ୍ୟ ଘଟଣାରେ ହସ୍ତକ୍ଷେପ କରି ନାହାନ୍ତି। ବିରାଡ଼ି ବୈଷ୍ଣବ ସାଜି ସରକାର ଚୁପ୍ ରହୁଛନ୍ତି”, କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ।

ଏପଟେ ଆନ୍ଦୋଳନର ଆଗାମୀ କାର୍ଯ୍ୟପନ୍ଥା ବିଷୟରେ ଆଲୋଚନା କରିବା ପାଇଁ ବସିଥିଲା ହାଇକୋର୍ଟ ବାର୍ ଆସୋସିଏସନର ସାଧାରଣ ପରିଷଦ ବୈଠକ। ଏହି ବୈଠକର ନିଷ୍ପତ୍ତି ଅନୁଯାୟୀ ଆଗାମୀ ୯ ତାରିଖ ଯାଏଁ ଆନ୍ଦୋଳନ ଚାଲୁ ରହିବ।

୯ ତାରିଖ ସୁଦ୍ଧା ତଦନ୍ତ ଶେଷ କରି ରିପୋର୍ଟ ଦାଖଲ କରିବାକୁ ହାଇକୋର୍ଟ ତଦନ୍ତକାରୀ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ହାଇକୋର୍ଟ ବିଚାରପତି ଜଷ୍ଟିସ ସି ଆର୍ ଦାସଙ୍କ ତତ୍ତ୍ୱାବଧାନରେ ତଦନ୍ତ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ୯ ତାରିଖରେ ହାଇକୋର୍ଟରେ ଏହି ମାମଲାର ଶୁଣାଣି ଥିବାରୁ ଓକିଲ ଆନ୍ଦୋଳନ ୯ ତାରିଖ ଯାଏଁ ଚାଲିବ ବୋଲି ହାଇକୋର୍ଟ ବାର୍ ପକ୍ଷରୁ ଘୋଷଣା କରାଯାଇଛି।

ହାଇକୋର୍ଟଙ୍କ ଶୁଣାଣି ପରେ ବାର୍ ଆସୋସିଏସନ ଆଗାମୀ କାର୍ଯ୍ୟପନ୍ଥା ସ୍ଥିର କରିବ।

ଏପଟେ ହାଇକୋର୍ଟ ବାର୍ ଆସୋସିଏସନ ୩ ଜଣ ଆଇନଜୀବୀଙ୍କୁ ବହିଷ୍କାର କରିଛି। ବାର୍ ବିରୋଧୀ ଆଭିମୁଖ୍ୟ ଯୋଗୁଁ ବିଜେଡି ଲିଗାଲ ଫ୍ରଣ୍ଟ ଆବାହକ ମିଲନ କାନୁନଗୋ, ଉପଦେଷ୍ଟା ଅସୀମ ଅମିତାଭ ଦାଶ ଏବଂ ହାଇକୋର୍ଟ ବାର୍‌ର ପୂର୍ବତନ ଉପ-ସଭାପତି ବଂଶୀଧର ଶତପଥୀଙ୍କୁ ବହିଷ୍କାର କରାଯାଇଛି।

ଏହାସହ ଆଇନଜୀବୀ ଟହଲ ଚରଣ ମହାନ୍ତିଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିବା ହାଇକୋର୍ଟ ବାର୍‌ ଆସୋସିଏସନର ସାଧାରଣ ସମ୍ପାଦକ ସତ୍ୟବ୍ରତ ମହାନ୍ତି ସୂଚନା ଦେଇଛନ୍ତି।

Comment