ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଇସିସି କ୍ରିକେଟ ବିଶ୍ୱକପକୁ ନେଇ ଟିମ୍‌ ଇଣ୍ଡିଆ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଛି।

ଆଇସିସି କ୍ରିକେଟ ବିଶ୍ୱକପ ପାଇଁ ଆଉ ୭ ମାସରୁ କମ୍ ସମୟ ରହିଛି। ବିଶ୍ୱକପରେ କେଉଁ ଖେଳାଳି ଟିମରେ ସାମିଲ ହେବେ ତାର ତାଲିକା ପାଖାପାଖି ଅନ୍ତିମ ରୂପରେ ପହଞ୍ଚିଛି। ଭାରତୀୟ ଟିମ କଥା କହିବାକୁ ଗଲେ ଚଳିତ ଥର ପାଖାପାଖି ୫୦ ପ୍ରତିଶତ ଖେଳାଳି ଅଛନ୍ତି, ଯେଉଁମାନେ କି ପ୍ରଥମ ଥର ପାଇଁ ବିଶ୍ୱକପ ଖେଳିବେ।

ସେମାନଙ୍କ ମଧ୍ୟରେ ଯଶପ୍ରୀତ ବୁମରାହା, କୁଲଦୀପ ଯାଦବ, ଯୁଜବେନ୍ଦ୍ର ଚହଲ, ହାର୍ଦ୍ଦିକ ପାଣ୍ଡ୍ୟା, କେଦାର ଯାଦବ, ଖଲିଲ ଅହମ୍ମଦ ଅଛନ୍ତି। ଆସନ୍ତୁ ଜାଣିବା କାହିଁକି ଏହି ଖେଳାଳି ଟିମରେ ସାମିଲ ହେବା ପାଇଁ ଦାବିଦାର।

ବୁମରାହା, ଯାଦବ ଓ ଚହଲ ଖେଳିପାରନ୍ତି ପ୍ରଥମ ବିଶ୍ୱକପ୍

ଯଶପ୍ରୀତି ବୁମରାହା: ୨୦୧୬ରେ ଭାରତ ପାଇଁ ମ୍ୟାଚ ଖେଳି ଅନ୍ତର୍ଜାତୀୟ କ୍ୟାରିୟର ଆରମ୍ଭ କରିଛନ୍ତି। ବର୍ତ୍ତମାନ ସୁଦ୍ଧା ୪୪ ଦିନିକିଆରୁ ସେ ୭୮ଟି ୱିକେଟ ନେଇଛନ୍ତି। ଚଳିତ ବର୍ଷ ୧୩ ମ୍ୟାଚରୁ ୨୨ଟି ୱିକେଟ୍ ନେଇଛନ୍ତି। ବିଦେଶ ମାଟିରେ ୨୪ଟି ମ୍ୟାଚ ଖେଳି ୪୬ଟି ୱିକେଟ ଅକ୍ତିଆର କରିଛନ୍ତି। ଖାଲି ସେତିକି ନୁହେଁ ଆଇସିସି ଦିନିକିଆ ରାଙ୍କିଂ ତାଲିକାର ଶୀର୍ଷରେ ଅଛନ୍ତି ବୁମରାହା। ପ୍ରଦର୍ଶନ ଦୃଷ୍ଟିରୁ ବିଶ୍ୱକପ୍ ଖେଳିବା ପାଇଁ ବୁମରାହା ଦାବିଦାର ଅଟନ୍ତି।

କୁଲଦୀପ ଯାଦବ: ଗତବର୍ଷ ଜାନୁଆରୀରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ଡେବ୍ୟୁ କରିଥିଲେ ଚାଇନା ମ୍ୟାନ କୁଲଦୀପ ଯାଦବ। ୩୩ଟି ଦିନିକିଆ ଖେଳି ସେ ୬୭ଟି ୱିକେଟ ନେଇଛନ୍ତି। ଚଳିତ ବର୍ଷ ସବୁଠୁ ଅଧିକ ୱିକେଟ ନେଇ ତାଲିକାର ଦ୍ୱିତୀୟ ସ୍ଥାନରେ ଅଛନ୍ତି କୁଲଦୀପ। ୧୯ଟି ମ୍ୟାଚରୁ ସେ ୪୫ଟି ୱିକେଟ ଅକ୍ତିଆର କରିଛନ୍ତି। ବିଦେଶ ମାଟିରେ ବି ତାଙ୍କର ଦବଦବା ରହିଛି। ୨୨ଟି ମ୍ୟାଚ ଖେଳି ୪୭ଟି ୱିକେଟ ନେବାର ସଫଳତା ତାଙ୍କ ନାଁରେ ରହିଛି। ଗତବର୍ଷ ସେପ୍ଟେମ୍ବରରେ କୋଲକାତାରେ ଖେଳାଯାଇଥିବା ମ୍ୟାଚରେ ଅଷ୍ଟ୍ରେଲିଆ ବିରୋଧରେ ହ୍ୟାଟ୍ରିକ ସଫଳତା ହାସଲ କରିଥିଲେ।

ଯୁଜବେନ୍ଦ୍ର ଚହଲ: ୨୦୧୬ ଜାନୁଆରୀରେ ଡେବ୍ୟୁ ମ୍ୟାଚ ଖେଳିଥିବା ଯୁଜବେନ୍ଦ୍ର ଚହଲ ୩୪ଟି ମ୍ୟାଚ ଖେଳି ୫୬ଟି ୱିକେଟ ଅକ୍ତିଆର କରିଛନ୍ତି। ଚଳିତ ବର୍ଷ ୧୭ଟି ଦିନିକିଆରେ ସେ ୨୯ଟି ୱିକେଟ୍ ନେଇଛନ୍ତି। ଟିମରେ ସାମିଲ ଥିବାବେଳେ କୁଲଦୀପ ଓ ଚହଲ ୨୩ଟି ଦିନିକିଆ ମ୍ୟାଚ୍ ଖେଳିଛନ୍ତି। ସେଥିରୁ ଚହଲ ୩୬ଟି ୱିକେଟ ଓ କୁଲଦୀପ ୫୧ଟି ୱିକେଟ ନେଇଛନ୍ତି। ଉଭୟଙ୍କ ସ୍ଥିତି ଦେଖିବାକୁ ଗଲେ ଉଭୟ ଟିମରେ ସ୍ଥାନ ପାଇଲେ ବିପକ୍ଷ ଦଳ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିବେ। ଏଭଳି ସ୍ଥିତିରେ ଚହଲଙ୍କୁ ଟିମରେ ସାମିଲ କରିବା ନେଇ ନିଷ୍ପତି ହୋଇପାରେ।

ଅଲରାଉଣ୍ଡର ସ୍ଥାନ ଭରିବେ ପାଣ୍ଡ୍ୟା ଏବଂ କେଦାର ଯାଦବ

କେଦାର ଯାଦବ: ୨୦୧୪ରେ କେଦାର ଯାଦବ ଦିନିକିଆ ମ୍ୟାଚ ଖେଳିବା ଆରମ୍ଭ କରିଥିଲେ। ଆହତ କାରଣରୁ ୪ ବର୍ଷ ମଧ୍ୟରେ ମାତ୍ର ୪୮ଟି ମ୍ୟାଚ ଖେଳି ୮୮୪ ରନ କରିଛନ୍ତି। ଏହା ସହ ୪.୮୬ ଇକୋନମିରେ ୨୨ଟି ୱିକେଟ ନେଇଛନ୍ତି । ଚଳିତ ବର୍ଷ ୧୧ଟି ମ୍ୟାଚ ଖେଳି ୪୩.୫ ପ୍ରତିଶତ ହାରରେ ରନ କରିଛନ୍ତି।

ଶେଷ ଓଭରରେ ଦ୍ରୁତ ଗତିରେ ରନ୍ କରିବାରେ କେଦାର ଯାଦବ ମାହିର। ଅଲରାଉଣ୍ଡର ପ୍ରଦର୍ଶନ ପାଇଁ ଟିମରେ ସ୍ଥାନ ପାଇପାରନ୍ତିଯାଦବ। ବିଦେଶ ମାଟିରେ ୨୯ଟି ମ୍ୟାଚ ଖେଳି ୩୫୮ ରନ କରିବା ସହ ୧୪ଟି ୱିକେଟ ତାଙ୍କ ଖାତାରେ ରହିଛି।

ହାର୍ଦ୍ଦିକ ପାଣ୍ଡ୍ୟା: ଆହତ କାରଣରୁ ହାର୍ଦ୍ଦିକ ପାଣ୍ଡ୍ୟା ବର୍ତମାନ ବିଶ୍ରାମ ନେଉଛନ୍ତି। ତଥାପି ୧୧ ଜଣିଆ ଟିମରେ ସ୍ଥାନ ପାଇବାରେ ସେ ପ୍ରବଳ ଦାବିଦାର। ପାଣ୍ଡ୍ୟା ୨୦୧୬ରେ କ୍ୟାରିୟର ଆରମ୍ଭ କରିଥିଲେ। ବର୍ତ୍ତମାନ ସୁଦ୍ଧା ୪୨ଟି ଦିନିକିଆ ଖେଳି ୨୯.୧୩ ପ୍ରତିଶତ ହାରରେ ୬୭୦ ରନ କରିବା ସହ ୪୦ଟି ୱିକେଟ୍ ନେଇଛନ୍ତି। ବିଦେଶ ମାଟିରେ ବି ପାଣ୍ଡ୍ୟାଙ୍କ ପ୍ରଦର୍ଶନ ବେଶ ଭଲ ରହିଛି। ୨୪ ମ୍ୟାଚ ଖେଳି ୨୧୬ ରନ ସହ ୧୯ଟି ୱିକେଟ୍ ନେଇଛନ୍ତି। ଇଂଲଣ୍ଡରେ ଦ୍ରୁତ ପିଚରେ ସୀମର ଅଲରାଉଣ୍ଡର ଜରୁରୀ। ଏହି କାରଣରୁ ଟିମରେ ପାଣ୍ଡ୍ୟାଙ୍କ ସ୍ଥାନ ପକ୍କା ହୋଇପାରେ।

ଲୋକେଶ ରାହୁଲ: ବର୍ତ୍ତମାନ ରୋହିତ ଶର୍ମା ଏବଂ ଶିଖର ଧାୱନଙ୍କ ଓପନିଂ ଯୋଡ଼ି ଦମଦାର ପ୍ରଦର୍ଶନ କରୁଛନ୍ତି। କିନ୍ତୁ ସଙ୍କଟ ସ୍ଥିତିରେ ବିକଳ୍ପ ଭାବେ ଲୋକେଶ ରାହୁଲଙ୍କୁ ଟିମରେ ସାମିଲ କରାଯାଇପାରେ। ରାହୁଲ ୨୦୧୬ ମସିହାରେ ଦିନିକିଆ କ୍ୟାରିୟର ଆରମ୍ଭ କରିଥିବା ବେଳେ ବର୍ତମାନ ସୁଦ୍ଧା ମାତ୍ର ୧୩ଟି ମ୍ୟାଚ ଖେଳିଛନ୍ତି।

୩୫ ପ୍ରତିଶତ ହାରରେ ସେ ୩୧୭ ରନ୍ କରିଛନ୍ତି। ଏସିଆ କପ୍ ଟୁର୍ଣ୍ଣାମେଂଟରେ ସୁଯୋଗ ପାଇଥିବା ଗୋଟିଏ ମ୍ୟାଚରେ ଅର୍ଦ୍ଧଶତକ କରିଥିଲେ। ସେହିଭଳି ବିଦେଶ ଗସ୍ତରେ ୧୦ଟି ମ୍ୟାଚ ଖେଳି ୨୯୩ ରନ୍ କରିଛନ୍ତି। ବିଶ୍ୱକପ୍ ପାଇଁ ଟିମ୍ ଚୟନ ବେଳେ ଚୟନକର୍ତା ଓପନିଂ ବିକଳ୍ପ ଭାବେ ଲୋକେଶ ରାହୁଲଙ୍କୁ ସାମିଲ କରିପାରନ୍ତି।

ଖଲିଲ ଅହମ୍ମଦ: ଆଶିଷ ନେହେରା ଅବସର ନେବା ପରେ ଭାରତ ପାଇଁ ବାମହାତୀ ବୋଲର ଅଭାବ ଥିଲେ। ଖଲିଲ ଅହମ୍ମଦ ଦଳରେ ସାମିଲ ହେବା ପରେ ଏହି ସ୍ଥାନ କିଛିଟା ପୂରଣ ହୋଇପାରେ। ବର୍ତ୍ତମାନ ସୁଦ୍ଧା ୬ଟି ଦିନିକିଆ ଖେଳିଥିବା ଖଲିଲ ଅହମ୍ମଦ ୧୧ଟି ୱିକେଟ୍ ନେବାରେ ସଫଳ ହୋଇଛନ୍ତି। ବଲକୁ ସୁଇଙ୍ଗ କରିବାରେ ସେ ମାହିର ଅଟନ୍ତି। ଖାସ ଏହି କାରଣରୁ ଦିଗଜ୍ଜ ଖେଳାଳି ମଧ୍ୟ ଖଲିଲଙ୍କ ବଲକୁ ବୁୁଝିବାରେ ବିଫଳ ହେଉଛନ୍ତି। ଟିମ୍ ଇଣ୍ଡିଆ କୋଚ୍ ରବି ଶାସ୍ତ୍ରୀ ମଧ୍ୟ ବିଶ୍ୱକପ୍ ପାଇଁ ଅହମ୍ମଦଙ୍କୁ ଚିହ୍ନଟ କରିଛନ୍ତି।

ପ୍ୱଥ୍ୱୀ ଶ: ୱେଷ୍ଟଇଣ୍ଡିଜ ବିପକ୍ଷ ଟେଷ୍ଟ ସିରିଜରେ ୨୫୦ ରନ୍ ସଂଗ୍ରହ କରିଥିବା ପ୍ୱଥ୍ୱୀ ଶ ବିଶ୍ୱକପ୍ ଖେଳିବା ପାଇଁ ପ୍ରବଳ ଦାବିଦାର। ଦୁଇଟି ମ୍ୟାଚରେ ସେ ୯୪ ଷ୍ଟ୍ରାଇକ ରେଟରେ ରନ୍ କରିଛନ୍ତି। ବଡ଼ ସଟ୍ ସହ ଲମ୍ବା ଇନିଂସ ଖେଳିବାର ଦକ୍ଷତା ପ୍ୱଥ୍ୱୀଙ୍କ ନିକଟରେ ରହିଛି। ପ୍ୱଥ୍ୱୀ ଶଙ୍କ ଅଧିନାୟକତ୍ୱରେ ଭାରତ ଅଣ୍ଡର-୧୯ ବିଶ୍ୱକପ୍ ଜିତିଥିଲା। ବର୍ତମାନ ସୁଦ୍ଧା ବିଦେଶରେ କୌଣସି ମ୍ୟାଚ ଖେଳି ନାହାନ୍ତି ପ୍ୱଥ୍ୱୀ।

ଋଷଭ ପନ୍ତ: ମହେନ୍ଦ୍ର ସିଂ ଧୋନି ଅଷ୍ଟ୍ରେଲିଆ ବିପକ୍ଷ ଟି-୨୦ ସିରିଜ ପାଇଁ ସାମିଲ ହୋଇନଥିବାରୁ ଋଷଭ ପନ୍ତଙ୍କୁ ସାମିଲ କରାଯାଇଛି। ଆଗାମୀ ବିଶ୍ୱକପକଚ ନଜରରେ ରଖି ପନ୍ତଙ୍କୁ ଟିମ୍ ମ୍ୟାନେଜମେଣ୍ଟ ବିକଳ୍ପ ୱିକେଟ କିପର ଭାବେ ପ୍ରସ୍ତୁତ କରିବାକୁ ଚାହୁଁଛି। ଇଣ୍ଡିଜ ବିପକ୍ଷ ମ୍ୟାଚରେ ଡେବ୍ୟୁ କରିଥିବା ପନ୍ତ ଦ୍ରୁତ ଗତିରେ ରନ୍ ସଂଗ୍ରହ ସହ ବଡ଼ ସଟ୍ ଖେଳିଥିଲେ। ଚୟନକର୍ତ୍ତା ଋଷଭଙ୍କ ଛଡ଼ା ଦିନେଶ କାର୍ତ୍ତିକଙ୍କ ଉପରେ ବି ନଜର ରଖିପାରନ୍ତି।

Comment