ଓଡ଼ିଶାଲାଇଭ୍‌ ବ୍ୟୁରୋ

ଖେଳ ହେଉଛି ଜାତି, ଧର୍ମ ଏବଂ ବର୍ଣ୍ଣଠାରୁ ବହୁ ଉଚ୍ଚରେ। ଖେଳରେ ନଥାଏ ବାଛବିଚାର।

“ମୁଁ କୌଣସି ଧର୍ମ ପାଇଁ କ୍ରିକେଟ ଖେଳେ ନାହିଁ। ମୋ’ ଦେଶ ପାଇଁ କ୍ରିକେଟ ଖେଳେ। କ୍ରିକେଟ ପଡ଼ିଆରେ ଧର୍ମନିରପେକ୍ଷତାକୁ ମୁଁ ପ୍ରାଥମିକତା ଦେଇଥାଏ। କ୍ରିକେଟ ଖେଳିବା ବେଳେ ମୋ’ ଟିମ୍ କେମିତି ଜିତିବ ଏବଂ ଭାରତର କିପରି ଟେକ ରହିବ ସେକଥା କେବଳ ଚିନ୍ତା କରିଥାଏ”, କହିଛନ୍ତି ମହମ୍ମଦ କୈଫ୍।

ପୁରୁଷ ହକି ବିଶ୍ୱକପ୍‌ ପୂର୍ବରୁ ଭୁବନେଶ୍ୱରରେ ଅନୁଷ୍ଠିତ ହୋଇଛି ସ୍ପୋର୍ଟସ୍‌ ଲିଟେରାରି ଫେଷ୍ଟିଭାଲ। ଶନିବାର ଦିନ ‘ଧର୍ମନିରପେକ୍ଷତା ଏବଂ କ୍ରିକେଟର’ ଶୀର୍ଷକ ଉପରେ ଆଲୋଚନା ହୋଇଥିଲା। ଏହି ଆଲୋଚନାରେ ଟିମ୍ ଇଣ୍ଡିଆର ପୂର୍ବତନ କ୍ରିକେଟର ମହମ୍ମଦ କୈଫ ଯୋଗ ଦେଇଥିଲେ।

ସେ ଆହୁରି କହିଛନ୍ତି ଯେ ସମାଜରେ ଧର୍ମକୁ ନେଇ ବହୁ ବିଭେଦ ରହିଛି। କିନ୍ତୁ ଖେଳ ହେଉଛି ଜାତି, ଧର୍ମ ଏବଂ ବର୍ଣ୍ଣଠାରୁ ବହୁ ଉଚ୍ଚରେ। ଜଣେ ଖେଳାଳି ନିଜ ଦକ୍ଷତା ବଳରେ ଟିମ୍‌ରେ ସାମିଲ ହୋଇଥାଏ। ଖେଳାଳି ଯେଉଁ ଧର୍ମ, ଜାତିର ହେଲେ ବି ନିଜ ଦକ୍ଷତା ଆଗରେ ଏହାର କିଛି ମାନେ ନଥାଏ।

“ମୁଁ ଯେ ପର୍ଯ୍ୟନ୍ତ କ୍ରିକେଟ ସହ ଜଡ଼ିତ ହୋଇ ରହିଥିଲି ମୋ’ ସହ କୌଣସି ବାଛବିଚାର ବା ପାତର ଅନ୍ତର କରାଯାଇନି। ମୁଁ କ୍ରିକେଟକୁ ଭଲ ପାଇଛି ଏବଂ କ୍ରିକେଟ ମତେ ଭଲ ପାଇଛି”, କହିଛନ୍ତି କୈଫ୍।

“ସବୁ ଖେଳାଳିମାନେ ଫିଟ୍‌ନେସ୍ ଉପରେ ଗୁରୁତ୍ୱ ଦେବା ଦରକାର। ଫିଟ୍ ରହିଲେ ହିଁ ଜଣେ ଖେଳାଳି ପଡ଼ିଆରେ ଭଲ ଫିଲ୍ମିଂ କରିପାରିବ। ଏବେ ଭାରତୀୟ ଟିମ୍‌ରେ ଫିଲ୍ଡିଂ ସୁଧୁରିଛି। ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ଫିଟ୍‌ନେସ୍‌କୁ ମନ୍ତ୍ର ଭାବେ ଗ୍ରହଣ କରିଛନ୍ତି। ସେ ନିଜେ ଫିଟ୍ ରହିବା ସହ ଖେଳାଳିମାନଙ୍କୁ ଫିଟ୍ ରଖିବା ପାଇଁ ଚେଷ୍ଟା ଚଳାଇଛନ୍ତି। ଫିଟ୍‌ନେସ୍ ପାଇଁ ଟିମ୍‌ ଇଣ୍ଡିଆ ଭଲ ପ୍ରଦର୍ଶନ କରୁଛି”, କହିଛନ୍ତି ଅଲରାଉଣ୍ଡର କୈଫ୍‌।

ଏହି ଆଲୋଚନା ବେଳେ କୈଫ୍ ରାଜନୀତି ପ୍ରସଙ୍ଗ କଥା ଉଠାଇଥିଲେ। ୨୦୧୪ରେ କୈଫ କଂଗ୍ରେସରେ ଯୋଗଦେଇ ନିର୍ବାଚନ ଲଢ଼ିଥିଲେ। କିନ୍ତୁ ପରାଜିତ ହୋଇଥିଲେ।

ଏ ସମ୍ପର୍କରେ ମତ ଦେଇ କୈଫ୍ କହିଛନ୍ତି, “ମୁଁ ନିର୍ବାଚନ ଲଢ଼ି ଗତଥର ପରାଜିତ ହୋଇଛି। କିନ୍ତୁ ଆଗାମୀ ଦିନରେ ମୁଁ କେଉଁ ଦଳରେ ଯୋଗ ଦେବି ଏବଂ ନିର୍ବାଚନ ଲଢ଼ିବି କି ନାହିଁ ସେ ବିଷୟରେ ନିଷ୍ପତ୍ତି ନେଇନାହିଁ।”

“ରାଜନୀତି ଲୋକମାନଙ୍କ ମଧ୍ୟରେ ବିଭେଦ ସୃଷ୍ଟି କରିଥାଏ। ମୁଁ ଲୋକମାନଙ୍କର ସେବା କରିବାକୁ ଚାହୁଁଛି ଏବଂ ସମାଜ ପାଇଁ କିଛି ଭଲ କାମ କରିବାକୁ ଇଚ୍ଛା ରହିଛି। ଏଣୁ ଏଥିପାଇଁ ନିର୍ବାଚନ ଲଢ଼ିବାର କୌଣସି ଆବଶ୍ୟକତା ନାହିଁ”, ମହମ୍ମଦ କୈଫ୍ ଏହା କହିଛନ୍ତି।

Comment