ଓଡ଼ିଶାଲାଇଭ୍‌ ବ୍ୟୁରୋ

୧୫ ପ୍ରକଳ୍ପର ଶୁଭ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ରାଜ୍ୟ ସଚିବାଳୟରେ ଶନିବାର ଦିନ ଉଚ୍ଚସ୍ତରୀୟ କ୍ଲିୟରାନ୍ସ କମିଟି ବୈଠକ ଅନୁଷ୍ଠିତ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ୬ଟି ପ୍ରକଳ୍ପକୁ ଅନୁମୋଦନ ମିଳିଛି। ଓଡ଼ିଶାରେ ଏହି ପ୍ରକଳ୍ପଗୁଡ଼ିକରେ ୨୫ ହଜାର ୮୪୫ କୋଟି ଟଙ୍କାର ପୁଞ୍ଜି ନିବେଶ କରାଯିବ।

ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ୧୩ ହଜାର ୭୦୦ ଜଣ ନିଯୁକ୍ତି ପାଇବେ। ପ୍ରକଳ୍ପଗୁଡ଼ିକ ମଧ୍ୟରେ ୩ ଟି ବେଦାନ୍ତର ରହିଥିବା ବେଳେ ଅନ୍ୟ ୩ଟି ହିଣ୍ଡାଲକୋ, ନାଲକୋ ଓ ଚିରିପାଲ ପଲିର।

ଚିରିପାଲ ପଲି ଲିମିଟେଡ୍ ୧୧୦୦ କୋଟି ଟଙ୍କା ବ୍ୟୟରେ ପାରାଦୀପ ଠାରେ ପ୍ଲାଷ୍ଟିକ ଓ ଫ୍ଲେକ୍ସିବଲ ପ୍ୟାକେଜିଂ ପଲିମର ଶିଳ୍ପ ପ୍ରତିଷ୍ଠା କରିବ। ଏଥିରେ ୭୦୦ ଜଣ ନିଯୁକ୍ତି ପାଇବେ। ସେହିପରି ହିଣ୍ଡାଲକୋ ୫୦୦୦ କୋଟି ଟଙ୍କାରେ ସମ୍ବଲପୁର ଲପଙ୍ଗାଠାରେ ଆଲୁମିନିୟମ୍ ଶିଳ୍ପ  ପ୍ରତିଷ୍ଠା କରିବ। ଏଥିରେ ୫୫୦ ଜଣଙ୍କ ପାଇଁ  ନିଯୁକ୍ତି ସୁଯୋଗ ସୃଷ୍ଟି ହେବ।

ନାଲକୋ ୫ ହଜାର ୫୨୨ କୋଟି ଟଙ୍କାରେ ଢେଙ୍କାନାଳ କାମାକ୍ଷାନଗରରେ ଆଲୁମିନିୟମ ଆଲୋୟ ମେଟାଲ, ଫଏଲ୍  ନିର୍ମାଣ ଶିଳ୍ପ ପ୍ରତିଷ୍ଠା କରିବ। ଏଥିରେ ୧୭୬୧ ଜଣ ନିଯୁକ୍ତି ପାଇବେ।

ବେଦାନ୍ତ ସମ୍ପ୍ରସାରଣ ପ୍ରକଳ୍ପରେ ୧୨୪୦ କୋଟି ଟଙ୍କାରେ ଝାରସୁଗୁଡ଼ାର ଭୁରଖାମୁଣ୍ଡଠାରେ ଆଲୁମିନିୟମ୍ ସ୍ମେଲଟର ପ୍ଲାଣ୍ଟ ପ୍ରତିଷ୍ଠା କରିବ। ଏଥିରେ ୮୦୦ ଲୋକ ନିଯୁକ୍ତି ପାଇବେ। ବେଦାନ୍ତ ୬୫୦୦ କୋଟି ଟଙ୍କାରେ ଭଦ୍ରକ ଧାମରାରେ କଷ୍ଟିକ ସୋଡ଼ା ଏବଂ କେମିକାଲ ଶିଳ୍ପ ପ୍ରତିଷ୍ଠା କରିବ। ଏହାଦ୍ୱାରା ୪୦୦ ଲୋକ ନିଯୁକ୍ତି ପାଇବେ।

ସେହିପରି ୬୪୮୩ କୋଟି ଟଙ୍କା ବ୍ୟୟରେ ଲାଞ୍ଜିଗଡ଼ଠାରେ ଆଲୁମିନିୟମ ରିଫାଇନାରୀ ୟୁନିଟର ସମ୍ପ୍ରସାରଣ କରିବ। ଏଥିରେ ୯୪୯୪ ନିଯୁକ୍ତି ସୃଷ୍ଟି ହେବ।

ଏହା ବ୍ୟତୀତ ମୁଖ୍ୟମନ୍ତ୍ରୀ ୧୫ଟି ପ୍ରକଳ୍ପର ଶୁଭ ଦେଇଛନ୍ତି। ଏହି ପ୍ରକଳ୍ପଗୁଡ଼ିକ ମଧ୍ୟରେ ସିମେଣ୍ଟ ଫ୍ୟାକ୍ଟ୍ରି, ଫୁଡ୍ ପ୍ରୋସେସିଂ, ଇଣ୍ଡଷ୍ଟ୍ରିଆଲ ପାର୍କ, ବିସ୍କୁଟ ଫ୍ୟାକ୍ଟ୍ରି  ଏବଂ ଟେକ୍ସଟାଇଲ ଶିଳ୍ପ ରହିଛି। ମୋଟ ୧, ୮୦୭.୯୨ କୋଟି ଟଙ୍କା ବ୍ୟୟରେ ନିର୍ମିତ ହେବାକୁ ଥିବା ଏହି ପ୍ରକଳ୍ପଗୁଡ଼ିକ ଦ୍ୱାରା ୮ ହଜାର ୮୮୩ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ।

ଏହି କାର୍ଯ୍ୟକ୍ରମରେ ଅର୍ଥ ମନ୍ତ୍ରୀ ଶଶୀଭୂଷଣ ବେହେରା, ଶିଳ୍ପ ମନ୍ତ୍ରୀ ଅନନ୍ତ ଦାସ, ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ, ଉନ୍ନୟନ କମିଶନର ଆର୍ ବାଲାକ୍ରିଷ୍ଣନ, ଶିଳ୍ପ ସଚିବ ସଞ୍ଜୀବ ଚୋପ୍ରା ପ୍ରମୁଖ ଉପସ୍ଥିତ ଥିଲେ।

Comment