ଓଡ଼ିଶାଲାଇଭ୍‌ ବ୍ୟୁରୋ

ଦୁର୍ନୀତି ନିବାରଣ ସଚେତନତା ସପ୍ତାହରେ ଦୁର୍ନୀତି ରୋକିବାକୁ ଆହ୍ୱାନ ଦେଲେ ମୁଖ୍ୟମନ୍ତ୍ରୀ।

“ଖୁବ୍‌ଶୀଘ୍ର ରାଜଧାନୀ ଭୁବନେଶ୍ୱରରେ ପ୍ରତିଷ୍ଠା ହେବ ରାଜ୍ୟ ଭିଜିଲାନ୍ସ ଏକାଡେମୀ। ଏହି ଏକାଡେମୀ ପ୍ରତିଷ୍ଠା ହେବା ଦ୍ୱାରା ଅଫିସରମାନେ ଅଧିକ ଦକ୍ଷ ହୋଇପାରିବେ। ସେମାନେ ଅତ୍ୟାଧୁନିକ ଜ୍ଞାନ ଏବଂ ନୂଆ ସ୍କିଲ ସମ୍ପର୍କରେ ଅବଗତ ହୋଇପାରିବେ”, କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଭୁବନେଶ୍ୱରରେ ଆୟୋଜିତ ଦୁର୍ନୀତି ନିବାରଣ ସଚେତନତା ସପ୍ତାହରେ ଯୋଗ ଦେଇଥିଲେ ମୁଖ୍ୟମନ୍ତ୍ରୀ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ରାଜ୍ୟ ଭିଜିଲାନ୍ସ ବିଭାଗର କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ।

“ଦୁର୍ନୀତି ରୋକିବାକୁ ହେଲେ ଆମ ସମସ୍ତଙ୍କୁ ସଚେତନ ହେବାକୁ ପଡ଼ିବ। ବିଶେଷକରି ଯୁବକମାନେ ଦୁର୍ନୀତି ବିରୋଧରେ ସଂଘର୍ଷ କରିବା ଆବଶ୍ୟକ। ଦୁର୍ନୀତିର ନିରାକରଣ ହୋଇପାରିଲେ ସୁସ୍ଥ ସମାଜ ଗଠନ ହୋଇପାରିବ”, କହିଛନ୍ତି ମୁଖ୍ୟମନ୍ତ୍ରୀ।

ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ ଯେ ଦୁର୍ନୀତିଖୋର ଅଫିସରଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଭିଜିଲାନ୍ସ। ବିଭିନ୍ନ ଅଧିକାରୀଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ୨୦୧୮ରେ ବର୍ତ୍ତମାନ ସୁଦ୍ଧା ୨୮୭ଟି ମାମଲା ରୁଜୁ ହୋଇଛି। ସେଥିମଧ୍ୟରୁ ୪୧୩ ଜଣ ଅଫିସର ଧରାପଡ଼ିଛନ୍ତି।

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ, ଭିଜିଲାନ୍ସ ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀ, ଭିଜିଲାନ୍ସ ଡିଆଇଜି ସଞ୍ଜୟ କୁମାର କୌଶଲ ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here