ଓଡ଼ିଶାଲାଇଭ୍‌ ବ୍ୟୁରୋ

ଟେଷ୍ଟ ଓ ଦିନିକିଆରେ ଦମ୍‌ଦାର ବିଜୟ ପରେ ଏବେ ଟି-୨୦ ସିରିଜ ଉପରେ ଭାରତର ନଜର। ଟେଷ୍ଟରେ ଶୋଚନୀୟ ପରାଜୟ ପରେ ଦିନିକିଆ ସିରିଜର ଆରମ୍ଭରେ ଟକ୍କର ଦେଇଥିଲା ୱେଷ୍ଟଇଣ୍ଡିଜ। ଦ୍ୱିତୀୟ ମ୍ୟାଚ ଟାଇ ଓ ତୃତୀୟ ମ୍ୟାଚରେ ବିଜୟ ଲାଭ କରିଥିଲା କାରବିଆନ ଟିମ୍।

ସିରିଜର ଅନ୍ତିମ ୨ଟି ମ୍ୟାଚରେ ପରାଜୟର ସାମ୍ନା କରିଥିଲା ଇଣ୍ଡିଜ। ସିରିଜ ହାରିବା ପରେ ଭାରତକୁ ଟି-୨୦ରେ ହରାଇ ପରାଜୟର ବଦଲା ଲକ୍ଷ୍ୟରେ ରହିବ ୱେଷ୍ଟଇଣ୍ଡିଜ।

ରବିବାରଠୁ ଆରମ୍ଭ ହେଉଥିବା ସିରିଜରେ ବିରାଟ କୋହଲି ବିଶ୍ରାମ ନେଇଥିବାରୁ ଅଧିନାୟକ ଦାୟିତ୍ୱ ତୁଲାଇବେ ରୋହିତ ଶର୍ମା। ହୋମଗ୍ରାଉଣ୍ଡରେ ଖେଳୁଥିଲେ ମଧ୍ୟ ଟି-୨୦ରେ ଇଣ୍ଡିଜ ବିପକ୍ଷରେ ଭାରତର ସେଭଳି ରେକର୍ଡ ଭଲ ନାହିଁ।

ଆଗାମୀ ଟି-୨୦ ସିରିଜରେ କିଛି ରେକର୍ଡ ମଧ୍ୟ ଭାଙ୍ଗିବାର ସମ୍ଭାବନା ରହିଛି। ତେବେ ଆସନ୍ତୁ ଜାଣିବା କେଉଁ କେଉଁ ରେକର୍ଡ ଆଗାମୀ ଟି-୨୦ରେ ଭାଙ୍ଗିବାର ସମ୍ଭାବନା ରହିଛି।

ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଭାରତର ପ୍ରଥମ ସିରିଜ ବିଜୟ!

ଟି-୨୦ କଥା ଆସିଲେ ୱେଷ୍ଟଇଣ୍ଡିଜ୍ ଟିମ୍ ଭାରତ ଉପରେ ଭାରି ନଜର ଆସିଥାଏ। ୨୦୧୧ ପରଠୁ ଭାରତ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଟେଷ୍ଟ ସିରିଜ ଜିତିନାହିଁ। ୨୦୦୯ରୁ ୨୦୧୭ ମଧ୍ୟରେ ଖେଳାଯାଇଥିବା ୮ଟି ଟି-୨୦ରେ ୱେଷ୍ଟଇଣ୍ଡିଜ ୫ଟିରେ ବିଜୟ ଲାଭ କରିଥିବାବେଳେ ଭାରତ ୩ ଟିରେ ବିଜୟ ହାସଲ କରିଛି। କିନ୍ତୁ ଏଥର ଭାରତ ପାଖରେ ସମ୍ପୂର୍ଣ୍ଣ ସୁଯୋଗ ରହିଛି।

ରୋହିତ ଶର୍ମାଙ୍କ ୧୦୦ ଛକା

ନିଜର ଲମ୍ବା ଲମ୍ବା ଛକା ପାଇଁ ପରିଚିତ ରୋହିତ ଶର୍ମା ଟି-୨୦ରେ ନିଜ ଛକାର ଶତକ ପୂରା କରିପାରନ୍ତି। ରୋହିତ ଶର୍ମା ଟି-୨୦ କ୍ୟାରିୟରରେ ୮୯ ଛକା ମାରିସାରିଛନ୍ତି। ଶତକ ପାଇଁ ତାଙ୍କୁ ଆଉ ମାତ୍ର ୧୧ ଛକାର ଆବଶ୍ୟକତା ରହିଛି।

ରୋହିତ ଶର୍ମାଙ୍କ ସବୁଠାରୁ ଅଧିକ ରନ୍

ରୋହିତ ଶର୍ମା ଅନ୍ତର୍ଜାତୀୟ କ୍ରିକେଟରେ ସବୁଠାରୁ ଅଧିକ ରନ୍ ସଂଗ୍ରହ କରି ୫ମ ସ୍ଥାନରେ ଅଛନ୍ତି। ରୋହିତଙ୍କ ନାମରେ ଏଯାଏଁ ୮୪ ମ୍ୟାଚରେ ୨୦୮୬ ରନ୍ ଅଛି। ଆଉ ୧୮୫ ରନ୍ ସଂଗ୍ରହ କଲେ ସେ ନ୍ୟୁଜିଲାଣ୍ଡର ମାର୍ଟିନ୍ ଗୁପ୍ଟିଲଙ୍କୁ ପଛରେ ପକାଇ ସବୁଠାରୁ ଅଧିକ ରନ୍ ବନାଇଥିବା ଖେଳାଳି ପାଲଟିବେ।

ଶିଖର ଧାୱନ ୧୦୦୦ ରନ୍ କ୍ଲବରେ ସାମିଲ ହୋଇପାରନ୍ତି

ଚଳିତ ଟି-୨୦ ସିରିଜରେ ଶିଖର ଧାୱନ କ୍ରିକେଟରେ ୧୦୦୦ ରନ୍ କରିପାରନ୍ତି। ଏଥିପାଇଁ ତାଙ୍କୁ କେବଳ ୨୩ ରନର ଆବଶ୍ୟକତା ଅଛି। ଆଶା କରାଯାଉଛି କି ଧାୱନ ଆଗାମୀ ଟି-୨୦ରେ ଏହି ରନ୍ ସହଜରେ କରିପାରିବେ। ଧାୱନ ଏଯାଏଁ ୪୦ ଆନ୍ତର୍ଜାତୀୟ ମ୍ୟାଚରେ ୯୭୭ ରନ୍ କରିସାରିଛନ୍ତି।

ବୁମରାହଙ୍କ ୫୦ ଟି-୨୦ ୱିକେଟ୍

ଭାରତୀୟ ବୋଲର ଯଶପ୍ରୀତ ବୁମରାହ ମଧ୍ୟ ନିଜ ୫୦ ଟି-୨୦ ୱିକେଟ୍ ସମ୍ପୂର୍ଣ୍ଣ କରିବାରେ ନିକଟତର ହୋଇଛନ୍ତି। ବୁମରାହ ଏପର୍ଯ୍ୟନ୍ତ ୩୫ ଟି-୨୦ ମ୍ୟାଚ ଖେଳି ୪୩ ୱିକେଟ୍ ନେଇଛନ୍ତି। ୫୦ ୱିକେଟ୍ ପାଇଁ ତାଙ୍କୁ ଆଉ ମାତ୍ର ୭ଟି ୱିକେଟର ଆବଶ୍ୟକତା ରହିଛି।

Comment