ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ଦଶହରା ସରିଲା ଏବେ ପରଦାକୁ ଆସିବାକୁ ସଜବାଜ ହେଉଛି ବେଶ୍‌ କେତୋଟି ଓଡ଼ିଆ ଚଳଚ୍ଚିତ୍ର। ଆସନ୍ତୁ ସେସବୁ ସିନେମା ଉପରେ ନଜର ପକାଇବା…

ଦଶହରା ପରେ କେତେକ ଓଡ଼ିଆ ଚଳଚ୍ଚିତ୍ର ପାଇପ୍‌ ଲାଇନ୍‌ରେ ରହିଛି, ଯାହା ୨୦୧୮ ଶେଷ ସୁଦ୍ଧା ରିଲିଜ୍‌ ହେବାର ସମ୍ଭାବନା ରହିଛି। ସେହିସବୁ ଓଡ଼ିଆ ଫିଲ୍ମ ଉପରେ ନଜର ପକାଇବା…

ତୁ ମୋ’ ସୁନା ଚଢ଼େଇ

ଓଲିଉଡର ଲୋକପ୍ରିୟ ନିର୍ଦ୍ଦେଶକ ଏସ୍. ଦିଲ୍ଲୀପ ପଣ୍ଡାଙ୍କ ନୂଆ ଓଡ଼ିଆ ସିନେମା ‘ତୁ ମୋ’ ସୁନା ଚଢ଼େଇ’ର ପୋଷ୍ଟ ପ୍ରଡକ୍ସନ୍ କାମ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଏହା ନଭେମ୍ବର ମାସରେ ରିଲିଜ୍‌ ହେଉଥିବାର ସୂଚନା ମିଳିଛି। ଏହି ଫିଲ୍ମରେ ଜ୍ୟୋତି, ଏଲ୍‌ସା, ରାଇମୋହନ ଓ ଦୈତାରି ପଣ୍ଡା ପ୍ରମୁଖଙ୍କୁ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିବ। ବୈଦ୍ୟନାଥ ଦାସ ଏହାର ସଙ୍ଗୀତ ନିର୍ଦ୍ଦେଶକ।

ଲଭ୍ ଏକ୍ସପ୍ରେସ୍‌

ପ୍ରଯୋଜକ ସୀତାରାମ ଅଗ୍ରୱାଲ ଓ ନିର୍ଦ୍ଦେଶକ ରମେଶ ରାଉତଙ୍କ ନୂଆ ସିନେମା ‘ଲଭ୍ ଏକ୍ସପ୍ରେସ୍’ କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ରିଲିଜ୍‌ ହେବ ବୋଲି ଘୋଷଣା କରାଯାଇଛି। ୟଙ୍ଗ୍ ସେନ୍‌ସେସନ୍‌ ସ୍ୱରାଜ ଓ ସନମୀରା ଯୋଡ଼ିକୁ ନେଇ ନିର୍ମିତ ହୋଇଛି ଏହି ସିନେମା। ବୈଦ୍ୟନାଥ ଦାସ ଏହାର ସଙ୍ଗୀତକାର। ଏହା ନଭେମ୍ବର ୨୩ ତାରିଖରେ ରିଲିଜ୍‌ ହେବାର ସମ୍ଭାବନା ରହିଛି।

ନାୟକର ନାଆଁ ଦେବଦାସ

‘ନାୟକର ନାଆଁ ଦେବଦାସ’ ହେଉଛି ଏକ ବହୁ ପ୍ରତୀକ୍ଷିତ ସିନେମା। ଏହାର ନିର୍ଦ୍ଦେଶନା ଦେଇଛନ୍ତି ମୃତ୍ୟୁଞ୍ଜୟ ସାହୁ (ବାପି)। ଏହି ଫିଲ୍ମରେ ଅସିତ୍‌, ଭୂମିକା, ଅନୁ ଚୌଧୁରୀ, ବିଜୟ ମହାନ୍ତି, ଅପରାଜିତା ଓ ବବି ମିଶ୍ର ପ୍ରମୁଖ ଅଭିନୟ କରିଛନ୍ତି। ଏହି ଫିଲ୍ମଟି ନଭେମ୍ବର ମାସରେ ରିଲିଜ୍‌ ହେଉଥିବାର ସୂଚନା ମିଳିଛି। ବୈଦ୍ୟନାଥ ଦାସ ଏଥିରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି।

ପ୍ରେମ ପାଇଁ ମହାଭାରତ

ଆଚାର୍ଯ୍ୟ ଏଣ୍ଟରଟେନମେଣ୍ଟ ବ୍ୟାନରରେ ନିର୍ମିତ ‘ପ୍ରେମ ପାଇଁ ମହାଭାରତ’ ବି ନଭେମ୍ବର ମାସରେ ରିଲିଜ୍‌ ହେଉଥିବାର ସୂଚନା ଦିଆଯାଇଛି ପ୍ରଯୋଜନା ସଂସ୍ଥା ପକ୍ଷରୁ। ଏହି ଫିଲ୍ମରେ ସମ୍ବିତ, ରୀୟା, ବବି ମିଶ୍ର, ଶ୍ରୀତମ୍ ଦାସ, ପିଣ୍ଟୁ ନନ୍ଦ ଓ ସମରେଶ ପ୍ରମୁଖ ମୁଖ୍ୟ ଭୂମିକାରେ ଅଛନ୍ତି। ଅଭିଜିତ ମଜୁମଦାର ପ୍ରେମ ପାଇଁ ମହାଭାରତର ସଙ୍ଗୀତକାର ଏବଂ ନିରଞ୍ଜନ ବେହେରା ନିର୍ଦ୍ଦେଶକ।

ସାଥୀ ତୁ ଫେରିଆ

ନିହାର ସାମଲ ଓ ବିନି ସାମଲଙ୍କ ପ୍ରଯୋଜିତ ତଥା ସୁଧାକର ବସନ୍ତଙ୍କ ନିର୍ଦ୍ଦେଶିତ ଓଡ଼ିଆ ସିନେମା ‘ସାଥୀ ତୁ ଫେରିଆ’ର ସମସ୍ତ କାମ ଶେଷ ହୋଇଥିବା ଜଣାଯାଇଛି। ଏବେ ଏହା ବି ରିଲିଜ୍‌ ଅପେକ୍ଷାରେ ରହିଛି। ଏହି ଫିଲ୍ମରେ ଜ୍ୟୋତି, ଅନୁଭା, ଶ୍ରୀତମ୍‌ ଦାସ, ମହାଶ୍ୱେତା, ପିଙ୍କି ପ୍ରଧାନ, ମଣ୍ଟୁ, ଅନୀଶା ଓ ବବି ମିଶ୍ର ପ୍ରମୁଖ ଅଭିନୟ କରିଛନ୍ତି। ପ୍ରେମ ଆନନ୍ଦ ଏହାର ସଙ୍ଗୀତ ନିର୍ଦ୍ଦେଶକ। ଏହା ନଭେମ୍ବର ୨୩ ତାରିଖରେ ରିଲିଜ୍ ହେବ।

ଚମ୍ପିଆନ୍

ଓଲିଉଡର ଜଣାଶୁଣା ନିର୍ଦ୍ଦେଶକ କେ. ମୁରଲୀ କ୍ରୀଷ୍ଣାଙ୍କ ନିର୍ଦ୍ଦେଶିତ ବହୁ ପ୍ରତୀକ୍ଷିତ ସିନେମା ‘ଚମ୍ପିଆନ୍‌’ ବି ରିଲିଜ୍‌ ପାଇଁ ପ୍ରସ୍ତୁତ ହେଉଥିବା ଜଣାଯାଇଛି।

ଏହି ଫିଲ୍ମରେ ଓଲିଉଡର ସୁପରଷ୍ଟାର ହିରୋଇନ୍‌ ଅର୍ଚ୍ଚିତା ଲିଡରୋଲ୍‌ରେ ଥିବା ହେତୁ ଏହା ଅଧିକ ଚର୍ଚ୍ଚାରେ ରହିଛି। ଆଉ ଏକ କଥା ହେଲା ‘ଚମ୍ପିଆନ୍’ ଏକ ସତ୍ୟ କାହାଣୀ ଉପରେ ଆଧାରିତ ବାୟୋପିକ୍‌ ସିନେମା। ଏଥିରେ ସାନୁ ଅଛନ୍ତି ନାୟକ ଭୂମିକାରେ।

ନିମ୍‌କି

ଓଲିଉଡ କୁଇନ୍‌ ବର୍ଷା ପ୍ରିୟଦର୍ଶିନୀଙ୍କୁ ଦର୍ଶକ ପୂଜା ପରେ ଏକ ସିନେମାରେ ଦେଖିପାରନ୍ତି ବୋଲି କୁହାଯାଉଛି। ହଁ, ତାଙ୍କ ଅଭିନୀତ ନୂଆ ଓଡ଼ିଆ ସିନେମା ‘ନିମ୍‌କି’ର କାର୍ଯ୍ୟ ଆପାତତଃ ସରିଯାଇଛି।

ଏହାକୁ ଡିସେମ୍ବର ମାସରେ ରିଲିଜ୍‌ କରାଯିବାର ଯୋଜନା ରଖିଛି ପ୍ରଯୋଜନା ସଂସ୍ଥା। ବର୍ଷା ପ୍ରିୟଦର୍ଶିନୀ ଏହି ଫିଲ୍ମରେ ଟାଇଟଲ୍‌ ରୋଲ୍‌ରେ ନଜର ଆସିବେ। ଜଣାଶୁଣା ନିର୍ଦ୍ଦେଶକ ସୁଶାନ୍ତ ମଣି ଏହାର ନିର୍ଦ୍ଦେଶନା ଦେଇଥିବା ବେଳେ ପ୍ରେମ ଆନନ୍ଦ ଅଛନ୍ତି ସଙ୍ଗୀତ ନିର୍ଦ୍ଦେଶନା ଦାୟିତ୍ୱରେ।

ପଗ୍‌ଲୁ

ମିହିର, ଅପରାଜିତା, ଅଭିଷେକ, ପ୍ରକୃତି ମିଶ୍ର ପ୍ରମୁଖ ଅଭିନୀତ ‘ପଗ୍‌ଲୁ’ ଡିସେମ୍ବରରେ ରିଲିଜ୍‌ ହେବାର ସମ୍ଭାବନା ରହିଛି। ଆହୁରି କେତେକ ସିନେମା ବି ଅଛନ୍ତି ପାଇପଲାଇନ୍‌ରେ। ଦେଖିବା କଥା ପ୍ରକୃତରେ କେଉଁ ଓଡ଼ିଆ ସିନେମାଗୁଡ଼ିକ ପୂଜା ପରେ ରିଲିଜ୍‌ ହେଉଛି।

Comment