ଓଡ଼ିଶାଲାଇଭ୍‌ ବ୍ୟୁରୋ

୨୦୧୪ରୁ ଆଜି ପର୍ଯ୍ୟନ୍ତ ଦେଶରେ ଯେତେ ଉପ-ନିର୍ବାଚନ ହୋଇଛି ଅଧିକାଂଶ ଆସନରେ ବିଜେପିକୁ ପରାଜୟର ମୁହଁ ଦେଖିବାକୁ ପଡ଼ିଛି।

କର୍ଣ୍ଣାଟକରେ ୩ ଲୋକସଭା ଏବଂ ୨ ବିଧାନସଭା ଆସନରେ ହୋଇଥିବା ଉପ-ନିର୍ବାଚନରେ ବିଜେପିକୁ ଲାଗିଛି ବଡ଼ ଝଟକା। ୨୦୧୪ରେ ବିଜେପି ଯେଉଁସବୁ ଆସନରେ ବିଜୟ ହାସଲ କରିଥିଲା ତାକୁ କଂଗ୍ରେସ-ଜେଡିଏସ୍ ମେଣ୍ଟ ଛଡ଼ାଇ ନେଇଛି। ଏହି ପରାଜୟ ପରେ ଲୋକସଭାରେ ବିଜେପିର ଆସନ ୨୭୨କୁ ଖସି ଆସିଛି।

୨୦୧୪ ସାଧାରଣ ନିର୍ବାଚନ ପରେ ସାରା ଦେଶରେ ବର୍ତ୍ତମାନ ସୁଦ୍ଧା ୩୦ଟି ଆସନରେ ଉପ-ନିର୍ବାଚନ ହୋଇଛି। ଏହିସବୁ ଉପ-ନିର୍ବାଚନରେ ବିଜେପି ଗୋଟିଏ ପରେ ଗୋଟିଏ ଆସନ ହରାଉଥିବା ଦେଖିବାକୁ ମିଳିଛି।

୨୦୧୮ରେ ୧୦ଟି ଆସନରେ ହୋଇଥିଲା ଉପ-ନିର୍ବାଚନ। ଏଥିରେ ବିଜେପିକୁ ବଡ଼ ଝଟକା ଲାଗିଛି। ବିଜେପି କବ୍‌ଜାରେ ଥିବା ୭ଟି ଆସନକୁ କଂଗ୍ରେସ ଏବଂ ଅନ୍ୟାନ୍ୟ ଦଳ ଛଡ଼ାଇ ନେଇଛନ୍ତି।

କର୍ଣ୍ଣାଟକର ବେଲାରି ଆସନକୁ ୨୦୧୪ରେ ବିଜେପି କବ୍‌ଜା କରିଥିଲା। ହେଲେ ଏହାକୁ କଂଗ୍ରେସ ଛଡ଼ାଇ ନେଇଛି।

ସେହିପରି ସିମୋଗା ଆସନରେ ବିଜେପି ବିଜୟୀ ହୋଇଥିବା ବେଳେ ମାଣ୍ଡ୍ୟା ଆସନରେ ଜେଡିଏସ୍‌ ପୁଣି ଦବଦବା ଜାହିର କରିଛି। କୈରାନା ଆସନକୁ ଆରଏଲଡି ଦଖଲ କରିଛି।

୨୦୧୭ରେ ୪ଟି ଆସନରେ ଉପ ନିର୍ବାଚନ ହୋଇଥିଲା। ଏଥିରେ ବିଜେପି ୨ଟି ସିଟ୍ ହରାଇଥିଲା।

୨୦୧୬ରେ ପାଞ୍ଚଟି ଆସନରେ ଉପ-ନିର୍ବାଚନ ହୋଇଥିଲା। ଏଥିରେ ବିଜେପି ତାର ଦୁଇଟି ସିଟ୍‌କୁ ବଜାୟ ରଖିଥିଲା। ୨୦୧୫ରେ ୩ଟି ଆସନରେ ହୋଇଥିବା ଉପ-ନିର୍ବାଚନରେ ବିଜେପିର ଗୋଟିଏ ଆସନକୁ କଂଗ୍ରେସ ଛଡ଼ାଇ ନେଇଥିଲା। ୨୦୧୪ରେ ୫ଟି ଆସନରେ ଉପ-ନିର୍ବାଚନ ହୋଇଥିଲା। ୨ଟି ଆସନରେ ବିଜେପି ବିଜୟ ହାସଲ କରିଥିଲା।

Comment