କେନ୍ଦ୍ରାପଡ଼ାରୁ ନାରାୟଣ ସାହାଣୀ
ଯୌତୁକ ଜୁଇର ଲେଲିହାନ ଶିଖାରେ ଦରପୋଡ଼ା ହୋଇ ମୃତ୍ୟୁ ସହିତ ସଂଗ୍ରାମ କରୁଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟମୁଣ୍ଡାଇର ପ୍ରମିଳା ମହାନ୍ତି। ପ୍ରମିଳାଙ୍କୁ ତାଙ୍କ ଶାଶୂ ଓ ସ୍ୱାମୀ କିରୋସିନ ଢାଳି ନିଆଁ ଲଗାଇଦେଇଥିବା ପଟ୍ଟାମୁଣ୍ଡାଇ ଥାନାରେ ଅଭିଯୋଗ କରିଛନ୍ତି ମଙ୍ଗରାଜପୁର ଗାଁର ପ୍ରମିଳାଙ୍କ ବାପା ଶରତ ଚନ୍ଦ୍ର ସ୍ୱାଇଁ। ଘଟଣାକୁ ୧୨ ଦିନ ବିତିବାକୁ ଯାଉଥିବା ବେଳେ ପୋଲିସ ଅଭିଯୁକ୍ତମାନଙ୍କୁ ଗିରଫ କରୁନି ବୋଲି ଅଭିଯୋଗ କରିଛନ୍ତି ଶରତ।
ପଟ୍ଟାମୁଣ୍ଡାଇ ଥାନା ମଙ୍ଗରାଜପୁର ଗାଁର ଶରତ ସ୍ୱାଇଁଙ୍କ ଝିଅ ପ୍ରମିଳା ୪ ବର୍ଷ ତଳେ ତେଲେଙ୍ଗାବସନ୍ତ ଗାଁର ସୌଦାଗର ମହାନ୍ତିଙ୍କ ପୁଅ ନାରାୟଣ ମହାନ୍ତିଙ୍କୁ ବିବାହ କରିଥିଲେ। ବିବାହ ସମୟରେ ଶରତ ଜ୍ୱାଇଁ ଓ ଝିଅଙ୍କୁ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଯୌତୁକ ଦେବା ସହିତ ନଗଦ ୫୦ ହଜାର ଟଙ୍କା ମଧ୍ୟ ଦେଇଥିଲେ। ଏଥି ସହିତ ଯୌତୁକରେ ଶରତ ଖଟପଲଙ୍କ, ଅଲମିରା, ଆଲଣା, ଗ୍ୟାସ ସିଲିଣ୍ଡର ସମେତ ବିଭିନ୍ନ ଅସବାବପତ୍ର ଆଦି ଦେବାକୁ କାର୍ପଣ୍ୟ କରିନଥିଲେ।
ପ୍ରମିଳାଙ୍କ ବାପାଙ୍କ ଅଭିଯୋଗ ଅନୁସାରେ, ବିବାହର କିଛିଦିନ ପରେ ପ୍ରମିଳାଙ୍କ ଶାଶୂ ଓ ଜ୍ୱାଇଁ ଆଉ ଅଧିକ ୫୦ ହଜାର ଟଙ୍କା ଆଣିବାକୁ ପ୍ରମିଳାଙ୍କ ଉପରେ ଜୁଲମ କରିଥିଲେ। ବିବାହ ପରଠାରୁ ପ୍ରମିଳାଙ୍କ ଉପରେ ତାଙ୍କ ଶାଶୂଘର ଲୋକେ ଅତ୍ୟାଚାର କରୁଥିଲେ। ଅଧିକ ୫୦ ହଜାର ଟଙ୍କା ଯୌତୁକ ଦେବାକୁ ଶରତ ରାଜି ହୋଇଥିଲେ ମଧ୍ୟ ଧାର କରଜ କରି ନିକଟରେ ଝିଅ ବିବାହ କରିଥିବାରୁ ତୁରନ୍ତ ୫୦ ହଜାର ଟଙ୍କା ଦେଇ ପାରୁନଥିଲେ। ହେଲେ ପ୍ରମିଳାଙ୍କ ଶାଶୂଘର ଲୋକେ ନିଜ ଜିଦରେ ଅଟଳ ରହିଥିଲେ। ରାଗ ଶୁଝାଉଥିଲେ ପ୍ରମିଳାଙ୍କ ଉପରେ। ମାଡ ଗାଳି ସହିସହି ପ୍ରମିଳା ବାପାଘରକୁ ଚାଲି ଯାଇଥିଲେ।
ପଡ଼ୋଶୀଙ୍କ ମଧ୍ୟସ୍ଥତାରେ ଶରତ କୁହାପୋଛା କରି ଝିଅକୁ ପୁଣି ତାଙ୍କ ଶାଶୂଘରେ ଛାଡ଼ି ଦେଇଆସିଥିଲେ। ହେଲେ ପ୍ରମିଳାଙ୍କ ଉପରେ ଶାଶୂ ଘରର ଲୋକଙ୍କ ଅତ୍ୟାଚାର ଥମିବା ବଦଳରେ ଉଗ୍ର ରୂପ ନେଉଥିଲା। ଦୀର୍ଘଦିନ ଧରି ଶାଶୂ ଓ ସ୍ୱାମୀଙ୍କ ଯୌତୁକ ଗଞ୍ଜଣା ଶେଷରେ ଭାରି ପଡ଼ିଲା ପ୍ରମିଳାଙ୍କ ଉପରେ। ଗତ ଅକ୍ଟୋବର ୨୬ ତାରିଖରେ ଶାଶୂ ଜମ୍ବୁବତୀ ମହାନ୍ତି ଓ ସ୍ୱାମୀ ନାରାୟଣ ମହାନ୍ତି ପ୍ରମିଳାଙ୍କୁ ମାଡ଼ି ବସି ତାଙ୍କ ଉପରେ କିରୋସିନ ଢାଳି ଜୀବନରେ ମାରିଦେବାକୁ ନିଆଁ ଲଗାଇ ଦେଇଥିଲେ।
ନିଆଁରେ ଛଟପଟ ହେଉଥିବା ପ୍ରମିଳା ପଡ଼ୋଶୀଙ୍କ ଆଖିଆଗରେ ପଡ଼ିଯିବାରୁ ତାଙ୍କୁ ଶାଶୂ ଓ ସ୍ୱାମୀ ପଟ୍ଟାମୁଣ୍ଡାଇ ଡାକ୍ତରଖାନାରେ ଭର୍ତ୍ତି କରାଇଥିଲେ। ପ୍ରମିଳାଙ୍କ ଶରୀର ପ୍ରାୟ ୭୦ରୁ ୮୦ ପ୍ରତିଶତ ପୋଡ଼ି ଯାଇଥିବାରୁ ତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ପଠାଇ ଦେଇଥିଲେ ପଟ୍ଟାମୁଣ୍ଡାଇର ଡାକ୍ତର। ଖବରପାଇ ପ୍ରମିଳାଙ୍କ ବାପଘରର ଲୋକେ କଟକ ବଡ ଡାକ୍ତରଖାନାରେ ପହଞ୍ଚିଥିଲେ।
କଟକରେ ଝିଅର ଏପରି ଦୁର୍ଦ୍ଦଶା ଦେଖି ଗତ ୨୮ ତାରିଖରେ ପଟ୍ଟାମୁଣ୍ଡାଇ ଥାନାରେ ଏହି ଅଭିଯୋଗ କରିଥିଲେ ପ୍ରମିଳାଙ୍କ ବାପା। ହେଲେ ପଟ୍ଟାମୁଣ୍ଡାଇ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରରୁନାହିଁ ବୋଲି ଶରତ ଅଭିଯୋଗ କରିଛନ୍ତି।
ପଟ୍ଟାମୁଣ୍ଡାଇ ଥାନା ଇନ୍ସପେକ୍ଟର ପ୍ରମୋଦ କୁମାର ମଲ୍ଲିକ କହିଛନ୍ତି, “ପ୍ରମିଳାଙ୍କ ପାଖରେ ତାଙ୍କ ସ୍ୱାମୀ ଓ ଶାଶୂ ରହି ଚିକିତ୍ସା କଥା ବୁଝୁଛନ୍ତି। ପୋଲିସ କଟକ ବଡ ଡାକ୍ତରଖାନାରେ ପହଞ୍ଚି ପ୍ରମିଳାଙ୍କ ମୃତ୍ୟୁକାଳୀନ ଜମାନବନ୍ଦି ଗ୍ରହଣ କରିଛି। ଏଥିରେ ପ୍ରମିଳାଙ୍କ ଉପରେ କେହି କିରୋସିନ ଢାଳି ନିଆଁ ଲଗାଇ ନଥିବା ଜଣାପଡ଼ିଛି। ଦୀର୍ଘ ଦିନ ଧରି ତାଙ୍କ ଉପରେ ଶାଶୂ ଓ ସ୍ୱାମୀ ଯେଉଁ ନିର୍ଯାତନା ଦେଇ ଆସୁଥିଲେ ସେଥିରେ ମାନସିକ ଭରସାମ୍ୟ ହରାଇ ସେ ନିଜେ ନିଜ ଦେହରେ କିରୋସିନ ଢାଳି ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିବା କହିଛନ୍ତି।”
ଅନ୍ୟପକ୍ଷରେ ପ୍ରମିଳାଙ୍କ ବାପା ଶରତ ପଟ୍ଟାମୁଣ୍ଡାଇ ପୋଲିସ ଅପରାଧୀମାନଙ୍କୁ ସହାୟତା କରୁଥିବା ଅଭିଯୋଗ ନେଇ ଗତ ୪ ତାରିଖରେ କେନ୍ଦ୍ରାପଡ଼ା ଏସ୍ପିଙ୍କୁ ଭେଟିଛନ୍ତି। ତାଙ୍କ ଝିଅ ପ୍ରମିଳାଙ୍କ ଉପରେ କିରୋସିନ ଢାଳି ନିଆଁ ଲଗାଇ ଜାଳି ଦେଇଥିବା ଅଭିଯୁକ୍ତମାନଙ୍କୁ ପଟ୍ଟାମୁଣ୍ଡାଇ ପୋଲିସ ଘଣ୍ଟ ଘୋଡ଼ାଉଥିବା ଅଭିଯୋଗ କରିଛନ୍ତି।
ଏପରିକି ଗତ ଅକ୍ଟୋବର ୨୮ ତାରିଖରେ ସେ ପଟ୍ଟାମୁଣ୍ଡାଇ ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ପୋଲିସ ଏପର୍ଯ୍ୟନ୍ତ ଥାନାରେ ମାମଲା ରୁଜୁ କରି ନଥିବା ସେ କହିଛନ୍ତି। ପ୍ରମିଳାଙ୍କର ମୃତ୍ୟୁକାଳୀନ ଜମାନବନ୍ଦୀ ସଂଗ୍ରହ କରିବାକୁ ପୋଲିସ କଟକ ଯାଉ ନଥିବା ଶରତ କହିଛନ୍ତି।
କେନ୍ଦ୍ରାପଡା ଏସପିଙ୍କଠାରୁ କଡ଼ା ନିର୍ଦ୍ଦେଶ ପାଇ ପଟ୍ଟାମୁଣ୍ଡାଇ ପୋଲିସ ଗତ ୪ ତାରିଖରେ ଥାନାରେ ମାମଲା ପଞ୍ଜିକରଣ କରି ଶରତଙ୍କୁ ଏତଲା ନକଲ ଦେଇଥିବା ଶରତ କହିଛନ୍ତି।
ଅଭିଯୁକ୍ତଙ୍କ ବିରୋଧରେ ଭାରତୀୟ ପିଙ୍ଗଳ କୋଡ୍ର ଧାରା ୪୯୮ (ଏ), ୩୨୩, ୨୯୪, ୩୦୭, ୩୪ ଓ ଯୌତୁକ ନିବାରଣ ଆଇନର ୪ରେ ମାମଲା ରୁଜୁ କରାଯାଇଛି।














