ଓଡ଼ିଶାଲାଇଭ୍ ବ୍ୟୁରୋ

କେନ୍ଦ୍ରାପଡ଼ା ଜିଲ୍ଲା ପୋଲିସ୍ ବିଭିନ୍ନ ସ୍ଥାନରେ ଚଢ଼ଉ କରି ଆନ୍ତଃ ଜିଲ୍ଲା ଡକାୟକ ଗ୍ୟାଙ୍ଗ ଠାବ କରିଛି। ଗତ ୧୦ ତାରିଖରେ ତନ୍ତିଆପାଳ ସାମୁଦ୍ରିକ ଥାନା କାକଟପୁର ଗାଁର କାର୍ତ୍ତିକ ସ୍ଵାଇଁଙ୍କ ଘରେ ହୋଇଥିବା ଡକାୟତି ଘଟଣାରେ କେନ୍ଦ୍ରାପଡ଼ା ପୋଲିସ ୯ ଜଣ ଡକାୟତଙ୍କ ଏକ ଗ୍ୟାଙ୍ଗ ଓ ଡକାୟତି ଜିନିଷ କିଣିଥିବା ୭ ଜଣଙ୍କୁ ଗିରଫ କରି ଶନିବାର କୋର୍ଟ ଚାଲାଣ କରିଛି। କେନ୍ଦ୍ରାପଡ଼ା ଏସ୍‌ପି ମଡକର ସନ୍ଦୀପ ସମ୍ପଦ ଏହି ସୂଚନା ଦେଇଛନ୍ତି।

ଏମାନଙ୍କଠାରୁ ପୋଲିସ ଦୁଇଟି ଗୁଳିଭର୍ତ୍ତି ବନ୍ଧୁକ, ଦୁଇଟି ବାଇକ୍, ଦୁଇଟି ଭୁଜାଲି, ଗୋଟିଏ ଲୁହାରଡ୍, ୧୨୦ ଗ୍ରାମ ସୁନା ଗହଣା, ୩୦୦ ଗ୍ରାମ ରୁପା ଗହଣା, ନଗଦ ୯୧ ହଜାର ୫୦୦ ଟଙ୍କା ଜବତ କରିଛି। ଏମାନେ ରାଜ୍ୟର ଅନ୍ୟ ଏକ ବଡ଼ ଡକାୟତ ଗ୍ୟାଙ୍ଗ ବୋଲି ଏସପି ସୂଚନା ଦେଇଛନ୍ତି। ଡକାୟତି ପରେ କେନ୍ଦ୍ରାପଡ଼ା ଏସପିଙ୍କ ନିର୍ଦ୍ଦେଶରେ ୪ଟି ପୋଲିସ ଟିମ୍ ବିଭିନ୍ନ ଜିଲ୍ଲାରେ ଚଢ଼ଉ କରି ସମସ୍ତ ୧୬ ଜଣଙ୍କୁ ଗିରଫ କରାଯାଇଥିଲା।

ଏହି ଗ୍ୟାଙ୍ଗର ୬ ଜଣ ଗତ ୧୦ ତାରିଖରେ କାର୍ତ୍ତିକ ସ୍ଵାଇଁଙ୍କ ଘରେ ପଶି, କାର୍ତ୍ତିକ ସ୍ଵାଇଁ ଓ ତାଙ୍କ ଭାଇ ସୁବାଷ ସ୍ଵାଇଁଙ୍କୁ ଭୁଜାଲିରେ ହାଣି ଲହୁଲୁହାଣ କରିଥିଲେ। ବନ୍ଧୁକ ଫୁଟାଇ ଭୟଭୀତ କରି ଲକ୍ଷାଧିକ ଟଙ୍କାର ସୁନା ଓ ରୂପା ଗହଣା ଏବଂ ନଗଦ ୧ ଲକ୍ଷ ୬୦ ହଜାର ଟଙ୍କା ଲୁଟି ନେଇଥିଲେ। ଡକାୟତି କରି ଫେରାର ହେବା ସମୟରେ ଗ୍ରାମବାସୀ ଦୁଇ ଜଣଙ୍କୁ କାବୁ କରିଥିଲେ। ଦୁଇ ଜଣଙ୍କୁ ପଚରା ଉଚରା କରିବା ପରେ ଅନ୍ୟ ୭ ଜଣଙ୍କୁ ଠାବ କରିଥିଲା ପୋଲିସ୍।

ଏମାନଙ୍କ ମଧ୍ୟରେ ୬ ଜଣ ଡକାୟତି କରିଥିବାବେଳେ ୩ ଜଣ ଏମାନଙ୍କୁ ବନ୍ଧୁକ ଓ ଭୁଜାଲି ଯୋଗାଉଥିଲେ। ଡକାୟତମାନଙ୍କଠାରୁ ସୁନା ଓ ରୁପା ଗହଣା କିଣିଥିବା ୭ ଜଣଙ୍କୁ ମଧ୍ୟ ପୋଲିସ୍ ଗିରଫ କରିଥିଲା। ଏହି ଗ୍ୟାଙ୍ଗର ମାଷ୍ଟର ମାଇଣ୍ଡ କୁହାଯାଉଥିବା ଲିପୁ ଓରଫ ପ୍ରଶାନ୍ତ ସାହୁର ଘର ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା ବାଲିପାଟଣା ଗାଁରେ। ପ୍ରଶାନ୍ତ ନାଁରେ ରାଜ୍ୟର ବିଭିନ୍ନ ଥାନାରେ ପ୍ରାୟ ୫୨ଟି ମାମଲା ରହିଛି।

ଏହି ଗ୍ୟାଙ୍ଗର ଗିରଫ ୮ ଅଭିଯୁକ୍ତମାନେ ହେଲେ କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ଥାନା ବଡ଼ପାଳ ଗାଁର ଚିତନ ଓରଫ ଭକ୍ତିପ୍ରସାଦ ରାଉତ, ମହାକାଳପଡ଼ା ଥାନା ଜଗତି ଗାଁର ପ୍ରତାପ ମଳିକ, କେନ୍ଦ୍ରାପଡ଼ା ଟାଉନଥାନା ଗୌଡ଼ଗୋପ ଗାଁର ସେକ୍ ଲତିଫ, କଟକ ସହର ଲାଲବାଗ ଥାନା କାଳିଗଳିର ସେକ ଫିରୋଜ୍, ଗଞ୍ଜାମ ଜିଲ୍ଲା ପାଟପୁର ଥାନା କୁଲାଡ଼ି ଗାଁର କେଦାର ଦୋରା, କେନ୍ଦ୍ରାପଡ଼ା ସଦରଥାନା ଖସାପଡ଼ିଆ ଗାଁର ପାକନ ଓରଫ ଜୟଦେବ ସାହୁ, କେନ୍ଦ୍ରାପଡ଼ା ସଦରଥାନା ହଳଦିଆ ଗାଁର ଜାକିର୍ ଖାଁ, କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରାଥାନା କଳାବୁଦା ଗାଁର ବିମଳ ପ୍ରସାଦ ଦାସ। 

ଡକାୟତ ଗ୍ୟାଙ୍ଗର ୯ ଜଣଙ୍କ ବିରୋଧରେ ଜିଲ୍ଲା ତଥା ଜିଲ୍ଲା ବାହାରେ ବିଭିନ୍ନ ଥାନାରେ ଅନେକ ମାମଲା ରହିଛି। ଡକାୟତି ଦିନ ଦୁଇ ଜଣଙ୍କୁ କାବୁ କରିଥିବା ଗ୍ରାମବାସୀଙ୍କୁ ଆଜି ଏସ୍‌ପି ତାଙ୍କ କାର୍ଯ୍ୟାଳୟରେ ପୁରସ୍କୃତ କରିଛନ୍ତି।

Tags: #KendraparaPolice #DacoitAarrested #Pistol #OrnamentsSeized

Comment