ଓଡିଶାଲାଇଭ୍ ବ୍ୟୁରୋ

(କେନ୍ଦ୍ରାପଡ଼ାରୁ ନାରାୟଣ ସାହାଣୀ): କଟକ-ଚାନ୍ଦବାଲି ରାସ୍ତାର ପଥରକଣି ନିକଟରେ ଗତ ୬ ତାରିଖରେ ହୋଇଥିବା ଲୁଟ୍‌ ଘଟଣାରେ ପୋଲିସ୍ ୬ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନଙ୍କଠାରୁ ୫ ଲକ୍ଷ ୩୨ ହଜାର ଟଙ୍କା, ୫ଟି ମୋବାଇଲ, ୨ଟି ସ୍ପିଡ୍ ବାଇକ୍ , ଭୂଜାଲୀ ଓ ଫାର୍ଶା ଜବତ ହୋଇଥିବା ସୂଚନା ମିଳିଛି।

ଗତ ୬ ତାରିଖ ଅପରାହ୍ନ ପ୍ରାୟ ସାଢ଼େ ୨ଟାରେ ହିନ୍ଦୁସ୍ଥାନ ଲିଭର କମ୍ପାନିର ଏକ ୪ ଚକିଆ ଗାଡ଼ିକୁ ରାଜରାସ୍ତାରେ ଅଟକାଇ ଲୁଟେରାମାନେ ୬ ଲକ୍ଷ ୫୦ ହଜାର ଟଙ୍କା ଲୁଟ୍ କରିନେଇଥିଲେ। ଖବର ପାଇ ହିନ୍ଦୁସ୍ଥାନ ଲିଭର କମ୍ପାନିରେ ଡିଷ୍ଟ୍ରିବ୍ୟୁଟର ଭାବେ କାମ କରୁଥିବା ସୋମନାଥ ସାହୁ ସ୍ଥାନୀୟ ନିକିରାଇ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ମିଳିବା ପରେ ଉକ୍ତ ୪ ଚକିଆ ଗାଡ଼ି ଡ୍ରାଇଭରଙ୍କୁ ସନ୍ଦେହ ପରିସରଭୁକ୍ତ କରି ପୋଲିସ ତଦନ୍ତ ଆରମ୍ଭ କରିଥିଲା। ଗାଡ଼ି ଚାଳକ ଲିପୁନ ଓରଫ୍ ପ୍ରତାପ ସୁତାରକୁ ପଚରାଉଚରା କରିବା ପରେ ସତ ସାମ୍ନାକୁ ଆସିଥିଲା। ଲିପୁନ୍‌ ହିଁ ମୁଖ୍ୟ ଅଭିଯୁକ୍ତ ବୋଲି ପୋଲିସ ସ୍ପଷ୍ଟ ହୋଇଥିଲା।କେନ୍ଦ୍ରାପଡ଼ା ଜିଲ୍ଲାର ଆଳି, ରାଜକନିକା ଓ ରାଜନଗର ଅଞ୍ଚଳରେ ବିଭିନ୍ନ ଦୋକାନରେ କମ୍ପାନିର ଜିନିଷ ଯୋଗାଣ କରୁଥିଲା ଲିପୁନ୍। ଏହି ଚାରିଚକିଆ ଗାଡ଼ିରେ ଡ୍ରାଇଭର ଲିପୁନ୍ ସମେତ ଜଣେ ସେଲସ୍ ମ୍ୟାନ ଓ ଜଣେ ସହଯୋଗୀ ପ୍ରତିଦିନ ଏହି ସବୁ ଅଞ୍ଚଳରେ ଜିନିଷ ଯୋଗାଣ କରୁଥିଲେ ଏବଂ ଦୋକାନଗୁଡ଼ିକରୁ ଟଙ୍କା କଲେକ୍ସନ କରୁଥିଲେ।

ଲିପୁନ୍‌କୁ ଟଙ୍କା ପଇସା କାରବାର ବିଷୟରେ ଜଣାଥିବାରୁ ଏହାକୁ ଲୁଟ୍ କରିବା ପାଇଁ ସେ ତାର ସହଯୋଗୀଙ୍କ ସହ ମିଶି ଯୋଜନା କରିଥିଲା। ଗାଡ଼ିରେ କେତେ ଟଙ୍କା ଆସୁଛି ସେ ବିଷୟରେ ଲିପୁନ୍ ତା’ ଗ୍ୟାଙ୍ଗର ସହଯୋଗୀମାନଙ୍କୁ ଆଗୁଆ ଖବର ଦେଇଥିଲା। ଗତ ୬ ତାରିଖ ଗୁରୁବାର ଦିନ କମ୍ପାନି କର୍ମଚାରୀମାନେ ଆଳି ଓ ରାଜକନିକାରୁ ବ୍ୟବସାୟ ସାରି ଅପରାହ୍ନ ପ୍ରାୟ ୨ଟା ୨୦ ବେଳେ କଟକ ଚାନ୍ଦବାଲି ରାସ୍ତାର ପଥରକଣି ନିକଟରେ ଏକ ନିରୋଳା ରାସ୍ତା ଅତିକ୍ରମ କରୁଥିଲେ। ଲିପୁନ୍‌ର କହିବା ମୁତାବକ ୫ ଜଣ ଡକାୟତ ଦଳ ସେହି ନିର୍ଦ୍ଦିଷ୍ଟ ନିରୋଳା ସ୍ଥାନରେ ଆଗରୁ ଅପେକ୍ଷା କରି ରହିଥିଲେ। ସେଠାରେ ସେମାନେ ଗାଡ଼ି ଅଟକାଇ ସେଲସ୍ ମ୍ୟାନ ବିଭୂତି ସାମନ୍ତରାୟଙ୍କୁ ମାରଣାସ୍ତ୍ର ଦ୍ଵାରା ଆକ୍ରମଣ କରି ତାଙ୍କ ପାଖରେ ଥିବା ୬ ଲକ୍ଷ ୫୦ ହଜାର ଟଙ୍କାକୁ ଲୁଟି ଫେରାର ହୋଇଯାଇଥିଲେ। କିନ୍ତୁ ଲୁଟେରାମାନେ ଡ୍ରାଇଭର ଲିପୁନ୍‌ର କିଛି କ୍ଷତି କରିନଥିଲେ।ଲିପୁନର ସୂଚନା ଆଧାରରେ ପୋଲିସ ଏହି ୫ ଲୁଟେରାଙ୍କୁ ଠାବ କରିବାରେ ସଫଳ ହୋଇଛି। ଲୁଟ ଟଙ୍କାକୁ ଏମାନେ ପରସ୍ପର ମଧ୍ୟରେ ବାଣ୍ଟି ନେଇଥିବାରୁ ପୋଲିସ ଏମାନଙ୍କ ଠାରୁ ୫ ଲକ୍ଷ ୩୨ ହଜାର ଟଙ୍କା ଉଦ୍ଧାର କରିଛି।

ଗିରଫ ଅଭିଯୁକ୍ତମାନଙ୍କ ମଧ୍ୟରେ ଅଛନ୍ତି ଗାଡ଼ି ଚାଳକ କେନ୍ଦ୍ରାପଡ଼ା ସହର ମାଧପୁର ଗାଁର ଲିପୁନ ଓରଫ ପ୍ରତାପ ସୁତାର, ସାନ୍ତସାହିର ମିଟୁ ଓରଫ ଶରତ ମହାରଣା, ପଟ୍ଟାମୁଣ୍ଡାଇ ସହର ପୋଖରିଆପଡ଼ାର ରାହୁଳ ବେହେରା, କଟକ ଜିଲ୍ଲା ସାଲେପୁର ଥାନା ହରିଚନ୍ଦନପୁର ଗାଁର ତପୁ ଓରଫ ମନୋରଞ୍ଜନ ରଣା, ଶିଶୁଆ ବ୍ୟାରେଜ ଗାଁର ନଣ୍ଡା ଓରଫ ସଞ୍ଜୀବ ମିଶ୍ର, ମାହାଙ୍ଗା ଥାନା ଲାପୁଟୁଆଁ ସାହାପୁରର ଡିଲୁ ଓରଫ ଦିଲ୍ଲୀପ ଲେଙ୍କା। ଏମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ନିକିରାଇ ଥାନା ଆଇଆଇସି କାବୁଲି ବାରିକ ଓ କେନ୍ଦ୍ରାପଡ଼ା ଏସ୍‌ପି ନିତୀଶେଖର ସୂଚନା ଦେଇଛନ୍ତି।

Comment