ଓଡ଼ିଶାଲାଇଭ୍ ବ୍ୟୁରୋ

(କେନ୍ଦ୍ରାପଡ଼ାରୁ ନାରାୟଣ ସାହାଣୀ) : କେନ୍ଦ୍ରାପଡ଼ା ଜିଲ୍ଲାର ଉପକୂଳବର୍ତ୍ତୀ ବିଚ୍ଛିନ୍ନାଞ୍ଚଳରେ ଏଣିକି ହାତପାହାନ୍ତାରେ ମିଳିବ ପୋଲିସ ସେବା। ବିଚ୍ଛିନ୍ନାଞ୍ଚଳରେ ପୋଲିସ ସେବାକୁ ଆହୁରି ସୁଦୃଢ଼ କରିବାକୁ ଅଣ୍ଟା ଭିଡ଼ିଛି କେନ୍ଦ୍ରାପଡ଼ା ପୋଲିସ। ଏଥିପାଇଁ ଗୁରୁବାର ବତୀଘର ପଞ୍ଚାୟତରେ କୋନ୍ଦ୍ରାପଡ଼ା ପୋଲିସ ପକ୍ଷରୁ ଏକ ପୋଲିସ ଜନସମ୍ପର୍କ ଶିବିର ଆୟୋଜିତ ହୋଇଛି।

ଜିଲ୍ଲାର ବିଚ୍ଛିନ୍ନାଞ୍ଚଳରୁ ଅପରାଧ ଏବଂ ଅପରାଧୀମାନଙ୍କୁ ଦମନ କରିବା ପାଇଁ ‘ପୋଲିସ ମିତ୍ର’ ଯୋଜନା ଆରମ୍ଭ କରିଛନ୍ତି କେନ୍ଦ୍ରାପଡ଼ା ଏସ୍‌ପି ମଡକର ସନ୍ଦିପ ସମ୍ପଦ। ପ୍ରତି ଗ୍ରାମରୁ କିଛି ଉତ୍ସାହୀ ଯୁବକମାନେ ଏହି ପଦବୀରେ ନିଯୁକ୍ତ ହେବେ। ନିଜ ଅଞ୍ଚଳରେ ଘଟୁଥିବା ଅପରାଧ ଏବଂ ଅପରାଧୀମାନଙ୍କୁ ଧରିବାରେ ଏମାନେ ପୋଲିସକୁ ସାହାଯ୍ୟ କରିବେ। ଏହିପରି ଭାବେ ଉପକୂଳବର୍ତ୍ତୀ ବିଚ୍ଛିନ୍ନାଞ୍ଚଳରୁ ଅପରାଧ ଶେଷ ହୋଇ ପାରିବ ବୋଲି ଏସ୍‌ପି କହିଛନ୍ତି।କେନ୍ଦ୍ରାପଡା ଜିଲ୍ଲାର ମହାକାଳପଡ଼ା ବ୍ଲକ ଅନ୍ତର୍ଗତ ଜମ୍ବୁ ସାମୁଦ୍ରିକ ଥାନା ଅଧିନରେ ରହିଛି ବତୀଘର ପଞ୍ଚାୟତ। ଏହି ପଞ୍ଚାୟତର ୭ଟି ଗାଁରେ ପ୍ରାୟ ୧୨ ହଜାର ଲୋକ ବାସ କରନ୍ତି। ନଦୀ ସମୁଦ୍ର ଘେରା କେନ୍ଦ୍ରାପଡ଼ା ଜିଲ୍ଲାର ଏହି ଅଗମ୍ୟ ଅଞ୍ଚଳ ଏବେ ଅପରାଧିଙ୍କ ଚରାଭୂଇଁ ପାଲଟିଛି। ଏଠାରେ ଘଟୁଥିବା ଅପରାଧର ଖବର ପୋଲିସ ପାଖରେ ପହଞ୍ଚିବା ପୂର୍ବରୁ ଚମ୍ପଟ ମାରିବାର ସୁଯୋଗ ପାଉଛନ୍ତି ଅପରାଧୀ।

ସେହିପରି ବାହାରେ ଅପରାଧ ଘଟାଇ ଆସିଥିବା ଅପରାଧିମାନଙ୍କ ପାଇଁ ଏହି ଅଞ୍ଚଳ ଏକ ନିରାପଦ ଆଶ୍ରୟସ୍ଥଳ ପାଲିଟିଛି। ଅନେକ ସମୟରେ ଅପରାଧି ଓ ଅପରାଧକୁ ନିୟନ୍ତ୍ରଣ କରିବାରେ ପୋଲିସ ଏଠାରେ ଶିଶୁପାଳ ହୋଇ ଫେରିଥିବାର ନଜିର ମଧ୍ୟ ରହିଛି। କିନ୍ତୁ ଏଣିକି ଏଠାରେ ଆଉ ଅପରାଧ ଓ ଅପରାଧିଙ୍କୁ ସ୍ଥାନ ମିଳିବନି ବୋଲି କହିଛନ୍ତି କେନ୍ଦ୍ରାପଡା ଏସ୍‌ପି ମଡକର ସନ୍ଦିପ ସମ୍ପଦ।

ବତୀଘର ପଞ୍ଚାଟତକୁ ଏକମାତ୍ର ଯୋଗାଯୋଗର ମାଧ୍ୟମ ହୁଲି ଡଙ୍ଗା ଓ ଯନ୍ତ୍ରଚାଳିତ ଡଙ୍ଗା। ଏଠାରେ ଚାରି ଚକିଆ ଯାନର ସୁବିଧା ନାହିଁ। ଡଙ୍ଗା ପାରହେବା ପରେ ଅଞ୍ଚଳ ମଧ୍ୟକୁ ବାଇକ କିମ୍ବା ଚାଲିଚାଲି ଯିବାକୁ ପଡେ। ଏଣୁ ଏହି ଅଞ୍ଚଳରେ କୌଣସି ଅପରାଧିକ ଘଟଣା ଘଟିଲେ ପୋଲିସ ନିକଟରେ ଖବର ପହଞ୍ଚିବା ଆଗରୁ ଅପରାଧିମାନେ କୌଣସି ବାଟରେ ବୋଟରେ ଖସି ପଳାଇବାର ସୁଯୋଗ ପାଆନ୍ତି। ଏହାଛଡା ବାହାରେ ଅପରାଧ ଘଟାଇ ଆସିଥିବା ଅପରାଧିମାନେ ଏଠାରେ ଆସି ନିରାପଦରେ ଆଶ୍ରୟ ନିଅନ୍ତି।ପୋଲିସର ଛାଇ ପଡି ପାରୁନଥିବା ଏହି ଅଞ୍ଚଳରେ ଦେଶୀ ମଦ ଏବେ କୁଟୀରଶିଳ୍ପ ହୋଇଛି। ପଞ୍ଚାୟତର ପ୍ରତିଟି ଛକରେ ଅଘୋଷିତ ଭାବେ ଚୋରା ବିଦେଶୀ ମଦ ବିକ୍ରି ହେଉଛି।  ଯୁବତୀ ଚୋରାଚାଲାଣ ଏବଂ ନାବାଳିକ ବିବାହ ଭଳି ଘୃଣ୍ୟ ପ୍ରଥା ଖୋଲାଖୋଲି ଭାବରେ ଏଠାରି ଚାଲୁଛି। ସବୁବେଳେ ଏଠି ନିଶାଶକ୍ତ ଲୋକେ ସାଧାରଣ ଲୋକମାନଙ୍କୁ ହଟହଟା କରନ୍ତି। ପିଟାମରା ଧମକଚମକ ଏଠି ଗାଁ ଗାଁର ସମସ୍ୟା ହୋଇଛି। ଏତେ ଏସବୁ ସମସ୍ୟାକୁ ସଫଳ ମୁକାବିଲା କରିବାକୁ ଜମ୍ବୁ ସାମୁଦ୍ରିକ ଥାନାରେ ସ୍ଵଳ୍ପ ପୋଲିସ ବ୍ୟବସ୍ଥା ସାଙ୍ଗକୁ ଦୁର୍ଗମ ପଥ ପୋଲିସକୁ ଅପରାଧ ଓ ଅପରାଧକୁ ନିୟନ୍ତ୍ରଣ କରିବାରେ ସଫଳ ହୋଇ ପାରେନା।

ତେଣୁ ଉପକୂଳ ଅଞ୍ଚଳର ଏହିସବୁ ସମସ୍ୟା କିପରି ଦୂର କରାଯାଇ ପାରିବ, ଦୁର୍ଗମ ଅଞ୍ଚଳରେ କିପରି ପୋଲିସ ସେବା ହାତ ପାହାନ୍ତାରେ ମିଳିପାରିବ ତାହାର ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରିଛି କେନ୍ଦ୍ରାପଡ଼ା ପୋଲିସ। ପ୍ରତିମାସରେ ପୋଲିସ ଗୋଟିଏ ଦିନ ପାଇଁ ବିଚ୍ଛିନ୍ନାଞ୍ଚଳରେ ରହି ଲୋକମାନଙ୍କ ସହିତ ଅପରାଧ ଓ ଅପରାଧୀଙ୍କ ସମ୍ପର୍କରେ ଆଲୋଚନା କରିବାକୁ ଯୋଜନା କରାଯାଇଛି।

ବତୀଘର ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ଗୁରୁବାର ହୋଇଥିବା ଏହି ପୋଲିସ ଜନସମ୍ପର୍କ ଶିବିରରେ କେନ୍ଦ୍ରାପଡା ଏସପି ମଡକର ସନ୍ଦିପ ସମ୍ପଦଙ୍କ ସହିତ ଏସଡିପିଓ ରାଜୀବଲୋଚନ ପଣ୍ଡା, ଟାଉନ ଥାନା ଅଧିକାରୀ ଜ୍ୟୋତିରଞ୍ଜନ ସାମନ୍ତରାୟ, ସଦରଥାନା ଅଧିକାରୀ ପ୍ରମୋଦ ମଲ୍ଲିକ, ଜମ୍ବୁ ସାମୁଦ୍ରିକ ଥାନା ଆଇଆଇସି ମହେଶ୍ଵପର ସେଠି ପ୍ରମୁଖ ଉପସ୍ଥିତ ରହି ପୋଲିସ ଓ ଜନତାଙ୍କ ସମ୍ପର୍କ ସୁଦୃଢ କରିଛନ୍ତି।

Comment