ଓଡ଼ିଶାଲାଇଭ୍‌ ବ୍ୟୁରୋ

(କେନ୍ଦ୍ରପଡ଼ାରୁ ନାରାୟଣ ସାହାଣୀ): କେନ୍ଦ୍ରାପଡ଼ା ପୋଲିସକୁ ଏକ ବଡ ସଫଳତା ମିଳିଛି। ୮ ଦିନରେ ୧୨୭ ନିଖୋଜ ନାବାଳିକାଙ୍କୁ ଠାବ କରିବାରେ କେନ୍ଦ୍ରାପଡ଼ା ପୋଲିସ ସଫଳ ହୋଇଛି। ଜିଲ୍ଲାର ୨୨୫ଜଣ ନିଖୋଜ ମାମଲାରୁ ୧୨୭ଟି ମାମଲାକୁ ୮ ଦିନ ମଧ୍ୟରେ ଶେଷ କରିଛି କେନ୍ଦ୍ରାପଡ଼ା ପୋଲିସ। କେନ୍ଦ୍ରାପଡା ଏସପି ମଡକର ସନ୍ଦୀପ ସମ୍ପଦ ଏହି ସୂଚନା ଦେଇଛନ୍ତି।

ଜିଲ୍ଲାର ୧୪ ଟି ଥାନା ମଧ୍ୟରୁ ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ୨୨ଜଣ ନାବାଳିକାକୁ ଉଦ୍ଧାର କରି ତାଲିକାରେ ସବୁଠାରୁ ଆଗରେ ରହିଛି। ସେହିପରି ପାଟକୁରାଥାନା ୧୬ ଜଣ, ସଦରଥାନା ୧୫ଜଣ, ମାର୍ଶାଘାଇ ଥାନା ୧୫ଜଣ, ଆଳିଥାନା ୧୫ଜଣ, ଜମ୍ବୁ ସାମୁଦ୍ରିକ ଥାନା ୭ ଜଣ, ଟାଉନଥାନା ୬ଜଣ, ରାଜକନିକା ଥାନା ୬ଜଣ, ତନ୍ତିଆପାଳ ସାମୁଦ୍ରିକ ଥାନା ୪ଜଣ, ରାଜନଗର ଥାନାର ୪ଜଣ, ମହାକାଳପଡା ଥାନାର ୩ଜଣ, ତାଳଚୂଆ ସାମୁଦ୍ରିକ ଥାନା ୩ଜଣ ଓ ନିକିରାଇ ଥାନା ଜଣଙ୍କୁ ଉଦ୍ଧାର କରିପାରିଛି। ଉଦ୍ଧାର ନାବାଳିକାଙ୍କୁ ସେମାନଙ୍କ ପରିବାରକୁ ହସ୍ତାନ୍ତର କରିଦିଆଯାଇଛି।

୧୨୭ ଜଣ ନାବାଳିକା ଉଦ୍ଧାର ହୋଇଥିବା ବେଳେ ଆଉ ୯୮ ଜଣଙ୍କୁ ଖୋଜୁଛି ପୋଲିସ। ଏମାନଙ୍କୁ ମଧ୍ୟ ଖୁବଶୀଘ୍ର ଉଦ୍ଧାର କରାଯାଇ ସେମାନଙ୍କ ପରିବାରକୁ ହସ୍ତାନ୍ତର କରିବାକୁ ନିଷ୍ପତ୍ତି ନେଇଛି କେନ୍ଦ୍ରାପଡା ଜିଲ୍ଲା ପୋଲିସ ବୋଲି କହିଛନ୍ତି କେନ୍ଦ୍ରାପଡ଼ା ଏସପି ମଡକର୍ ସନ୍ଦୀପ ସମ୍ପଦ।

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ମତେ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକଙ୍କ ତତ୍ତ୍ୱାବଧାନରେ ସାରା ରାଜ୍ୟରେ ଏହି ସ୍ୱତନ୍ତ୍ର ଉଦ୍ଧାର କାର୍ଯ୍ୟକ୍ରମ ହାତକୁ ନେଇଥିଲା ପୋଲିସ। ଗତ ୧୮ ତାରିଖରୁ ୨୫ ତାରିଖ ପର୍ଯ୍ୟନ୍ତ ଏହି ପ୍ରକ୍ରିୟା ଚାଲିଥିଲା।

Comment