ଓଡିଶାଲାଇଭ୍ ବ୍ୟୁରୋ

ଗତ ୧୭ ତାରିଖରେ କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ ଅରଡ଼ପଲ୍ଲୀ ଗାଁରେ ଘଟିଥିବା ହତ୍ୟା ଓ ଲୁଟ୍ ଘଟଣା ଉପରୁ ପୋଲିସ ପରଦା ହଟାଇଛି। ମୃତକ ମିନତୀଙ୍କ ପୁଅ ସତ୍ୟଜିତଙ୍କ ସାଙ୍ଗ ଅନିଲ ଜେନା ଘଟଣାର ମୁଖ୍ୟ ଅଭିଯୁକ୍ତ ବୋଲି କେନ୍ଦ୍ରାପଡ଼ା ପୋଲିସ ସୂଚନା ଦେଇଛି। ଏହି ଘଟଣାରେ ପୋଲିସ ୭ ଜଣଙ୍କୁ ଗିରଫ କରିବା ସହିତ ଟଙ୍କା ଏବଂ ସୁନାଗହଣା ଜବତ କରିଛି।

ଗତ ୧୭ ତାରିଖରେ ଅରଡ଼ପଲ୍ଲୀ ଗ୍ରାମର ଅମୂଲ୍ୟ ଜେନାଙ୍କ ପତ୍ନୀ ମିନତୀ ଜେନାଙ୍କୁ ହତ୍ୟାକରି ଅପରାଧୀମାନେ ୫ ଲକ୍ଷ ୬୪ ହଜାର ଟଙ୍କା ଓ ସୁନା ଗହଣା ଲୁଟି ନେଇଥିଲେ। ଏନେଇ ଅଭିଯୋଗ ପାଇବା ପରେ କେନ୍ଦ୍ରାପଡ଼ା ଏସ୍‌ପି ନୀତିଶେଖର ଜିଲ୍ଲାର ବଛାବଛା ପୋଲିସଙ୍କୁ ତଦନ୍ତ ଦାୟିତ୍ୱ ଦେଇଥିଲେ। ଏହି ଘଟଣାରେ ପୋଲିସ ପ୍ରଥମେ ସତ୍ୟଜିତଙ୍କ ସାଙ୍ଗ ଅନିଲକୁ ସନ୍ଦେହ ପରିସରଭୁକ୍ତ କରିଥିଲା। ଅନିଲକୁ ଜେରା କରିବା ପରେ ପୋଲିସ ଯାଜପୁର ଜିଲ୍ଲାର ଦାନଗଦି ଅଞ୍ଚଳରୁ ରଣଜିତ ନାୟକ , ସୁଶାନ୍ତ ପାତ୍ର, ଅଶୋକ ପାତ୍ର, ପ୍ରକାଶ ପାତ୍ର, ସୌରଭ ମଣ୍ଡଳଙ୍କୁ ଗିରଫ କରିବା ସହିତ ଅନିଲର ସାଙ୍ଗ ଦୀପକ ସେଠିକୁ ଗିରଫ କରିଥିଲା।

ଲୁଟ ଟଙ୍କାକୁ ଏମାନେ ପରସ୍ପର ମଧ୍ୟରେ ବାଣ୍ଟି ନେଇଥିଲେ। ଅନିଲ ନିକଟରୁ ୨ ଲକ୍ଷ ୫୦ ହଜାର ମିଳିଥିବା ବେଳେ ରଣଜିତ ନାୟକ ନିକଟରୁ ଏକ ଲକ୍ଷ, ସୁଶାନ୍ତ ପାତ୍ର ନିକଟରୁ ୧ଲକ୍ଷ ୨୪ ହଜାର, ଅଶୋକ ପାତ୍ର , ପ୍ରକାଶ ପାତ୍ର ଓ ସୌରଭ ମଣ୍ଡଳଙ୍କ ନିକଟରୁ ୩୦ ହଜାର ଲେଖାଏଁ ମିଳିଛି। ଅଶୋକ ପାତ୍ର ନିକଟରୁ ସୁନା ଅଳଙ୍କାର ଉଦ୍ଧାର ହୋଇଛି। ଏହି ହତ୍ୟାକାଣ୍ଡରେ ବ୍ୟବହୃତ ଛୁରୀକୁ ମଧ୍ୟ ଉଦ୍ଧାର କରିଛି ପୋଲିସ। ଏମାନଙ୍କ ନିକଟରୁ ୫ ଟି ବାଇକ୍ ଓ ମୋବାଇଲ ଫୋନ ମଧ୍ୟ ଜବତ ହୋଇଥିବା ସୂଚନା ମିଳିଛି।ପୋଲିସର ସୂଚନା ଅନୁଯାୟୀ, ସତ୍ୟଜିତଙ୍କର ଅନ୍ତରଙ୍ଗ ସାଙ୍ଗ ହେଉଛନ୍ତି ଅନିଲ ଜେନା। ପୁଅର ସାଙ୍ଗ ହୋଇଥିବାରୁ ମୃତକ ମିନତୀ ଅନିଲକୁ ଧରମ ପୁଅ କରିଥିଲେ। ଘରର ସବୁ ଗୁମର ପୁଅ ଭଳି ଜାଣୁଥିଲା ଅନିଲ। ସତ୍ୟଜିତଙ୍କ ପିଉସୀ ପଟ୍ଟାମୁଣ୍ଡାଇ ସହରରେ ତାଙ୍କର ଏକ ଜମି ବିକ୍ରି କରିବା ପରେ ସେହି ଟଙ୍କା ଆଣି ମିନତୀଙ୍କ ଘରେ ରଖିଥିଲେ। ଏତେ ଟଙ୍କା ଧରମ ମା’ ମିନତୀଙ୍କ ଘରେ ଥିବା ଜାଣି, ଏହି ଟଙ୍କାକୁ କିପରି ଲୁଟ୍ କରିବ ତାହାର ଯୋଜନା କରିଥିଲା ଅନିଲ। ଏ ସମ୍ପର୍କରେ ଅନିଲ ସେହି ଗାଁର ଦୀପକ ସେଠି ନାମକ ଆଉ ଜଣେ ସାଙ୍ଗକୁ ଟଙ୍କା ଲୁଟ୍ କରିବାକୁ ପରାମର୍ଶ ମାଗିଥିଲା। ଦୀପକ ରାଜି ନହେବାରୁ ଅନିଲ ଅନ୍ୟ କୌଶଳ ଆପଣାଇଥିଲା।

କଳେବଳେ କୌଶଳେ ଏହି ଟଙ୍କା ଲୁଟ୍ କରିବାକୁ ସେ ଯାଜପୁର ଜିଲ୍ଲା ଦାନଗଦି ଫାଣ୍ଡି ଅନ୍ତର୍ଗତ ମାନଗୋବିନ୍ଦପୁର ଗାଁରେ ଥିବା ନିଜ ଶ୍ଵଶୁର ଘରେ ପହଞ୍ଚିଥିଲା। ସେଠାରେ ସେ ନିଜ ଶଳା ସୌରଭ ମଣ୍ଡଳ ସହିତ ପରାମର୍ଶ କରିଥିଲା। ସୌରଭ ତାଙ୍କ ଗାଁର ରଣଜିତ ନାୟକ, ସୁଶାନ୍ତ ପାତ୍ର, ଅଶୋକ ପାତ୍ର ଓ ପ୍ରକାଶ ପାତ୍ରଙ୍କୁ ଡାକି ଟଙ୍କା ଲୁଟର ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଥିଲା। ଗତ ୧୭ ତାରିଖରେ ଘଟାଇଥିବା ଏହି ହତ୍ୟା ଓ ଲୁଟ୍ ଘଟଣାର ୧୫ ଦିନ ପୂର୍ବରୁ ଯାଜପୁର ଜିଲ୍ଲାରୁ ଏହି ଲୁଟେରା ଗ୍ୟାଙ୍ଗର ସଦସ୍ୟମାନେ ଦୁଇଥର ଅରଡ଼ପଲ୍ଲୀ ଗାଁକୁ ଆସି କୌଣସି ସୁବିଧା ନପାଇ ଫେରି ଯାଇଥିଲେ।BGUତେବେ ଗତ ୧୭ ତାରିଖରେ ଏକ ଆପାଚିରେ ଆସି ପହଞ୍ଚିଥିଲେ ରଣଜିତ ନାୟକ ଓ ସୁଶାନ୍ତ ପାତ୍ର। ଗଣ୍ଡାଖିଆ ପଟ୍ଟାମୁଣ୍ଡାଇ କେନାଲ ରାସ୍ତାର ଛେଦେରା ପୋଲ ନିକଟରେ ଅପେକ୍ଷା କରିଥିଲା ଅନିଲ। ଏହି ସମୟରେ ମିନତୀଙ୍କ ସ୍ଵାମୀ ଅମୂଲ୍ୟ ଜମିକୁ ଚାଷ କରିବାକୁ ଯାଇଥିଲେ। ଦୁଇ ପୁଅ  ବାହାରକୁ ଯାଇଥିଲେ। ଘରେ ଏକାଥିଲେ ମିନତୀ। ତେଣୁ ସେମାନେ କମ୍ ସମୟ ମଧ୍ୟରେ ଲୁଟ୍ କରିବାକୁ ଯୋଜନା କରିଥିଲେ।

ଏହାପରେ ଅନିଲ ରଣଜିତ ଓ ସୁଶାନ୍ତଙ୍କୁ ଏକ ଛୁରୀ ଏବଂ ୧୦୦ ଟଙ୍କା ଦେଇଥିଲା। ପୂର୍ବ ଯୋଜନା ଅନୁସାରେ ନିକଟସ୍ଥ ମାଳିବସା ଛକରୁ ଏହି ଦୁଇ ଅପରାଧୀ ମିଠା କିଣି ମିନତୀଙ୍କ ଘରେ ପହଞ୍ଚିଥିଲେ। ସେଠାରେ ସେମାନେ ମିନତୀଙ୍କୁ ତାଙ୍କ ବଡପୁଅ ବିଶ୍ଵଜିତର ସାଙ୍ଗ ବୋଲି ପରିଚୟ ଦେଇଥିଲେ। ଏମାନଙ୍କୁ ମିନତୀ ଘରକୁ ଡାକିନେଇ ଅତିଥି ଚର୍ଚ୍ଚା କରୁଥିବା ବେଳେ ହଠାତ ସୁଶାନ୍ତ ପାତ୍ର ମିନତୀଙ୍କ ପାଟିକୁ ମାଡ଼ିବସିଥିଲା। ସାଙ୍ଗେସାଙ୍ଗେ ରଣଜିତ, ଅନିଲଠାରୁ ଆଣିଥିବା ଛୁରୀରେ ମିନତୀଙ୍କ ଛାତିକୁ ବାରମ୍ବାର ଭୁଷି ଚାଲିଥିଲା। ମିନତୀ ନିସ୍ତେଜ ହୋଇଯିବା ପରେ ଅଭିଯୁକ୍ତମାନେ ବାକ୍ସରେ ଥିବା ଟଙ୍କାକୁ ତାଲାଭାଙ୍ଗି ଲୁଟିନେଇ ଫେରାର ହୋଇ ଯାଇଥିଲେ।

ପ୍ରାୟ ୧୫ ମିନିଟ ମଧ୍ୟରେ ହତ୍ୟା ଏବଂ ଲୁଟ୍ କରିସାରି ଆପାଚିରେ ରଞ୍ଜନ ଓ ସୁଶାନ୍ତ ଫେରିଆସିଥିଲେ। ଅଧାବାଟରେ ଛେଦେରା ପୋଲ ନିକଟରେ ଅପେକ୍ଷା କରିଥିବା ଅନିଲକୁ ସେମାନେ ଅଧା ଭାଗ ଟଙ୍କା ଦେବା ସହିତ କେନାଲ ବନ୍ଧ ତଳକୁ ହତ୍ୟାକାଣ୍ଡରେ ବ୍ୟବହୃତ ଛୁରୀକୁ ଫିଙ୍ଗି ଦେଇଥିଲେ।

କେନ୍ଦ୍ରାପଡ଼ା ପୋଲିସ ଏପରି ଏକ ସମ୍ବେଦନଶୀଳ ନାରକୀୟ କାଣ୍ଡର ତୁରନ୍ତ ପର୍ଦ୍ଦାଫାଶ କରିଥିବାରୁ କେନ୍ଦ୍ରାପଡ଼ାର ସ୍ଵତନ୍ତ୍ର ପୋଲିସ ସ୍କ୍ଵାର୍ଡ ଓ ପଟ୍ଟାମୁଣ୍ଡାଇ ପୋଲିସକୁ ସାଧାରଣରେ ଉଚ୍ଚ ପ୍ରଶଂସା ମିଳିଛି।

Comment