ଓଡିଶାଲାଇଭ୍ ବ୍ୟୁରୋ

(କେନ୍ଦ୍ରାପଡ଼ାରୁ ନାରାୟଣ ସାହାଣୀ): ଏକ ବଡ଼ ବାଇକ୍ ଲୁଟେରା ଗ୍ୟାଙ୍ଗକୁ ଠାବ କରିଛି କେନ୍ଦ୍ରାପଡ଼ା ପୋଲିସ। ଲୁଟେରା ଗ୍ୟାଙ୍ଗର ମାଷ୍ଟରମାଇଣ୍ଡ ଜଣେ ଇଞ୍ଜିନିୟରିଂ ଛାତ୍ର ବୋଲି ଜଣାପଡ଼ିଛି। ଲୁଟେରାଙ୍କଠାରୁ ୨୫ଟି ଚୋରି ବାଇକ୍ ଜବତ ହୋଇଛି। ଗତକାଲି ଜବତ ହୋଇଥିବା ବାଇକ୍ ମଧ୍ୟରୁ ୧୫ଟି ଗାଡ଼ି ମାଲିକମାନଙ୍କୁ ହସ୍ତାନ୍ତର କରାଯାଇଛି। ଏନେଇ କେନ୍ଦ୍ରାପଡ଼ା ଏସ୍‌ପି ନୀତିଶେଖର ସୂଚନା ଦେଇଛନ୍ତି।

କେନ୍ଦ୍ରାପଡ଼ା ଜିଲ୍ଲା ସଦରଥାନା ଗରାପୁର ଗାଁର ଅଭିଜିତ୍ ଜେନା ଘଟଣାର ମୁଖ୍ୟ ଅଭିଯୁକ୍ତ ବୋଲି ଜଣାପଡ଼ିଛି। ସେ ଭୁବନେଶ୍ୱରର ଏକ ଇଞ୍ଜିନିୟରିଂ କଲେଜର ମେକାନିକାଲ ବିଭାଗର ବିଟେକ୍ ଛାତ୍ର। ହେଲେ ନିଶାରେ ସେ ଜଣେ ବାଇକ୍ ଲୁଟେରା। ଗତ ଦୁଇ ବର୍ଷ ହେଲା ଅଭିଜିତ୍ ନିଜ ଗାଁର ପୃଥୀରାଜ ମଲ୍ଲିକଙ୍କ ସହ ମିଶି ବାଇକ୍ ଚୋରି କରୁଥିଲେ। ମାଷ୍ଟର କି’ ସାହାଯ୍ୟରେ ଉଭୟ ବାଇକ୍ ଚୋରି କରୁଥିବା ଜଣାପଡ଼ିଛି।

ଏହି ଚୋରା ବାଇକ୍‌ଗୁଡ଼ିକୁ ଲୁଟେରାମାନେ ଡେରାବିଶ ଥାନା ଅନ୍ତର୍ଗତ ଲକ୍ଷ୍ମୀନାରାୟଣପୁର ନିକଟରେ ଥିବା ଏକ ବାଇକ୍ ରିପ୍ୟାରିଂ ଦୋକାନକୁ ନେଇଯାନ୍ତି। ଦୋକାନର ମାଲିକ ଲକ୍ଷ୍ମୀନାରାୟଣପୁର ଗାଁର ଗୌତମ ସାହୁ ଏହି ବାଇକ୍‌ଗୁଡିକର ବିକ୍ରି କରିବା ପାଇଁ ଗରାଖ ଯୋଗାଡ଼ କରନ୍ତି। ଦରକାର ପଡ଼ିଲେ ଗାଡ଼ିକୁ ଖୋଲି ତାର ମୁଲ୍ୟବାନ ପାର୍ଟସ୍ ଗୁଡ଼ିକୁ ସେ ବିକ୍ରି କରିଦିଅନ୍ତି। ସେଥିରୁ ମିଳୁଥିବା ଟଙ୍କାକୁ ତିନିଜଣ ବାଣ୍ଟିନିଅନ୍ତି ବୋଲି ପୋଲିସକୁ ସୂଚନା ମିଳିଛି।ଗତ ଜୁଲାଇ ୧୩ ତାରିଖରେ ବାଲିଆ ଗାଁର ଉମାକାନ୍ତ ସାହୁ ନାମକ ଜଣେ ବ୍ୟକ୍ତିଙ୍କ ବାଇକ୍‌କୁ ଅଭିଜିତ ଓ ପୃଥୀରାଜ ଲୁଟ୍ କରିଥିଲେ। ଏହି ଲୁଟ୍ ବେଳର ସମସ୍ତ ଫୁଟେଜ୍ ସିସିଟିଭିରେ କଏଦ୍ ହୋଇଥିଲା।

ଏହି ସିସିଟିଭି ଫୁଟେଜ୍‌କୁ ଆଧାରକରି କେନ୍ଦ୍ରାପଡ଼ା ସଦରଥାନା ପୋଲିସ ଏହି ଲୁଟେରା ଗ୍ୟାଙ୍ଗର ପିଛା କରିଥିଲା। ଏଥିରେ ସାମିଲ ହୋଇଥିଲା କେନ୍ଦ୍ରାପଡ଼ା ଟାଉନଥାନା ପୋଲିସ। ମାଷ୍ଟରମାଇଣ୍ଡ ଇଞ୍ଜିନିୟରିଂ ଛାତ୍ର ଅଭିଜିତ ଓ ତାର ସହଯୋଗୀ ପୃଥୀରାଜ ପୋଲିସ ଜାଲରେ ଫସି ଯାଇଥିଲେ। ଏହି ଦୁଇ ମୁଖ୍ୟ ଅଭିଯୁକ୍ତ ଗିରଫ ହେବାପରେ ଏମାନଙ୍କ ବୟାନ ଆଧାରରେ ଗ୍ୟାରେଜ ମାଲିକ ଗୌତମ ସାହୁକୁ ଗିରଫ କରିଥିଲା ପୋଲିସ।

ଏମାନଙ୍କୁ ଧରି ପୋଲିସ ପଚରାଉଚରା କରିବା ପରେ ଗୋଟିଏ ପରେ ଗୋଟିଏ ୨୫ଟି ଚୋରା ବାଇକ୍ ସବୁ ଉଦ୍ଧାର ହୋଇଥିଲା। ଗ୍ୟାରେଜ୍ ମାଲିକ ଗୌତମଠାରୁ ବାଇକ୍ କିଣିଥିବା ଅଭିଯୋଗରେ ପୋଲିସ ଲକ୍ଷ୍ମୀନାରାୟଣପୁର ଗାଁର ଗଜେନ୍ଦ୍ର ସାହୁ ଓ କଟକ ଜିଲ୍ଲା ମାହାଙ୍ଗା ଥାନା ଅନ୍ତର୍ଗତ ସାହାନାଜପୁର ଗାଁର ରଞ୍ଜନ ମଲିକଙ୍କୁ ଗିରଫ କରିଛି।BGUପୋଲିସର ଏହି ବଡ଼ ସଫଳତା ପାଇଁ କେନ୍ଦ୍ରାପଡ଼ା ପୋଲିସକୁ ସାବାସୀ ମିଳିଛି। କେନ୍ଦ୍ରାପଡ଼ା ଟାଉନ ଥାନା ପରିସରରେ ଗତକାଲି କେନ୍ଦ୍ରାପଡ଼ା ଏସ୍‌ପି ନୀତିଶେଖର ଚୋରି ହୋଇଯାଇଥିବା ୧୫ ଜଣ ଗାଡ଼ି ମାଲିକଙ୍କର ଗାଡ଼ି କାଗଜପତ୍ର ଯାଞ୍ଚ କରି ସେମାନଙ୍କର ଚୋରିଯାଇଥିବା ବାଇକ୍‌ଗୁଡିକୁ ଫେରାଇ ଦେଇଥିବା ସୂଚନା ମିଳିଛି।

Comment