ଓଡ଼ିଶାଲାଇଭ୍‌ ବ୍ୟୁରୋ

(କେନ୍ଦ୍ରାପଡ଼ାରୁ ନାରାୟଣ ସାହାଣୀ): କେନ୍ଦ୍ରାପଡ଼ା ସହରର ଦୁର୍ଗା ନର୍ସିଂହୋମରେ ଜଣେ ସାମ୍ବାଦିକଙ୍କ ଫଟୋ ଉଠାକୁ ନେଇ ଆରମ୍ଭ ହୋଇଥିବା ଗଣ୍ଡଗୋଳର ସମାଧାନ ହୋଇପାରିନାହିଁ। ବରଂ ଏହାକୁ ନେଇ ସାମ୍ବାଦିକ, ପୋଲିସ ଓ ଡାକ୍ତରଙ୍କ ମଧ୍ୟରେ ଆଇନଗତ ଲଢ଼େଇ ଲାଗିଛି। ତେବେ ଘଟଣାରେ ସମ୍ପୃକ୍ତ ଦୁଇ ଡାକ୍ତରଙ୍କୁ ପୋଲିସ ଦୁର୍ବ୍ୟବହାର କରିଥିବା ଅଭିଯୋଗ ପରେ  ପ୍ରଶାସନ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ। ଫଳରେ ବିବାଦରେ ହସ୍ତକ୍ଷେପ କରିଛି ରାଜ୍ୟ ଓମସା। କେନ୍ଦ୍ରାପଡ଼ା ଓମସା ଶାଖା ସହିତ ମଙ୍ଗଳବାର ସାମିଲ ହୋଇ ଏହି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡି କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ ଜରିଆରେ ପୁଣି ଏକ ଦାବିପତ୍ର ପ୍ରଦାନ କରିଛନ୍ତି ଓମସାର ରାଜ୍ୟ ଉପସଭାପତି ଡାକ୍ତର ସଞ୍ଜୀବ ପରିଡ଼ା।

ଓମସାର ଦାବିପତ୍ରକୁ ମୁଖ୍ୟମନ୍ତ୍ରୀଙ୍କ ଦପ୍ତରକୁ ପଠାଇବେ ବୋଲି ଜିଲ୍ଲାପାଳ ସମର୍ଥ ବର୍ମା ସୂଚନା ଦେଇଛନ୍ତି। ଏହାଛଡା ଏହି ଘଟଣାରେ, ଜିଲ୍ଲାପାଳ କେନ୍ଦ୍ରାପଡା ଏସ୍‌ପିଙ୍କ ନିକଟରୁ ଏକ ରିପୋର୍ଟ ମାଗିଛନ୍ତି। ଏସ୍‌ପିଙ୍କ ଠାରୁ ରିପୋର୍ଟ ମିଳିବାପରେ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି।

ଗତ ଜୁଲାଇ ୩୧ ତାରିଖରେ ସାମ୍ବାଦିକ ଜଣକ ମନକପୁରଠାରେ ଥିବା ଏହି ନର୍ସିଂହୋମରେ ଫଟୋ ଉଠାଉଥିଲେ। ଏହାକୁ ବିରୋଧ କରି ନର୍ସିଂହୋମ୍‌ର ଦୁଇ ଡାକ୍ତର ତାଙ୍କ ମୋବାଇଲ ଓ ବାଇକ୍ ଛଡ଼ାଇନେଇ ମାଡ଼ ମାରିଥିବା ସମ୍ପୃକ୍ତ ସାମ୍ବାଦିକ ଅଭିଯୋଗ କରିଥିଲେ। ଏହାପରେ କେନ୍ଦ୍ରାପଡ଼ା ଟାଉନପୋଲିସ ନର୍ସିଂହୋମର ମାଲିକ ଡାକ୍ତର ପର୍ଶୁରାମ ସାହୁଙ୍କ ଦୁଇ ପୁଅ ଡାକ୍ତର ଦେବାଶିଷ ଓ ଡାକ୍ତର ଶିବାଶିଷ ସାହୁଙ୍କ ସମେତ ୪ ଜଣ କର୍ମଚାରୀଙ୍କୁ ଥାନାକୁ ନେଇଥିଲେ। ସେଠାରେ ପୋଲିସ୍ ସେମାନଙ୍କୁ ନିସ୍ତୁକ ପିଟାମରା କରିଥିବା ଦୁଇ ଡାକ୍ତର ଅଭିଯୋଗ କରିଥିଲେ।

ଗତ ୧ ତାରିଖରେ  ଜିଲ୍ଲାରେ ଓମସାର ସମସ୍ତ ଡାକ୍ତରମାନେ ଏହାର ପ୍ରତିବାଦରେ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଥିଲେ। ଜିଲ୍ଲାପାଳ ଏହି ଘଟଣାରେ ହସ୍ତକ୍ଷେପ କରି ଦୋଷୀମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ପ୍ରତିଶ୍ରୁତି ଦେବାପରେ ଆନ୍ଦୋଳନ ପ୍ରତ୍ୟାହାର ହୋଇଥିଲା । ମାତ୍ର ଜିଲ୍ଲାପାଳ କୌଣସି ପଦକ୍ଷେପ ଗ୍ରହଣ କରିନଥିବାରୁ  ଓମସା ପୁଣି ଆନ୍ଦୋଳନ ଆଡକୁ ମୁହାଁଇଛି। ଗତ ୧୯ ତାରିଖରେ ଓମସାର ଜିଲ୍ଲା ଶାଖା ସଂପାଦକ ଡାକ୍ତର ସଞ୍ଜିତ ସେଠୀଙ୍କ ନେତୃତ୍ୱରେ ଓମସା ଜିଲ୍ଲାପାଳଙ୍କୁ ଭେଟି ପୁନର୍ବାର ଦାବି ଜଣାଇଥିଲେ। ବାରମ୍ବାର ଦାବି ସତ୍ତ୍ୱେ କିଛି ପଦକ୍ଷେପ ନିଆ ନଯିବାରୁ ଓମସାର ଜିଲ୍ଲା ଶାଖା ଏହି ଆନ୍ଦୋଳନକୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ କରିଥିଲା।

ଆନ୍ଦୋଳନ ପୂର୍ବରୁ ଗତ ସୋମବାର ଦିନ ଜିଲ୍ଲାପାଳ , କେନ୍ଦ୍ରାପଡ଼ା ଏସପି, ଜିଲ୍ଲାର ଅନ୍ୟ ବରିଷ୍ଠ ପୋଲିସ ଅଧିକାରୀ , ସିଡିଏମ୍ଓ, ଓମସା କର୍ମକର୍ତ୍ତା ଓ ନିର୍ଯାତିତ ଡାକ୍ତରଙ୍କୁ ନେଇ ଏକ ଆପୋଷ ସମାଧାନର ବୈଠକ ବସିଥିଲା। ଜିଲ୍ଲାପାଳ ଓ ଏସପିଙ୍କ ସମାଧାନର ସୂତ୍ରକୁ ଓମସାର ପ୍ରବକ୍ତା  ପ୍ରତ୍ୟାଖ୍ୟାନ କରିଦେଇଥିଲେ।BGU

ଆନ୍ଦୋଳନ ଶେଷରେ ରାଜ୍ୟ ଓମସାର ଉପସଭାପତି ଡାକ୍ତର ସଞ୍ଜୀବ ପ୍ରଧାନଙ୍କ ନେତୃତ୍ୱରେ ଏକ ୪ ଜଣିଆ ପ୍ରତିନିଧି ଦଳ ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟରେ ଭେଟି ଏହି ଘଟଣା ସମ୍ପର୍କରେ ଆଲୋଚନା କରିଛନ୍ତି। ଏମାନଙ୍କ ମଧ୍ୟରେ ଥିଲେ ଓମସାର ରାଜ୍ୟ ଉପସଭାପତି ଡାକ୍ତର ସଞ୍ଜୀବ ପ୍ରଧାନ , ଓମସାର ରାଜ୍ୟ ପ୍ରବକ୍ତା ଡାକ୍ତର କିଶୋର ମିଶ୍ର, ଓମସାର କେନ୍ଦ୍ରାପଡ଼ା ଜିଲ୍ଲା ଶାଖା ସଭାପତି ଡାକ୍ତର ଅଶୋକ କର ଓ ଜିଲ୍ଲା ଓମସାର ସମ୍ପାଦକ ଡାକ୍ତର ସଞ୍ଜିତ ସେଠି।

Comment