ଓଡ଼ିଶାଲାଇଭ୍ ବ୍ୟୁରୋ

(କେନ୍ଦ୍ରାପଡ଼ାରୁ ନାରାୟଣ ସାହାଣୀ): କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ଥାନା କୁସୁନୁପୁର ଗାଁରେ ଗତକାଲି ରାତିରେ ହୋଇଥିବା ଡକାୟତି ଘଟଣାରେ ଉଚ୍ଚସ୍ତରୀୟ ତଦନ୍ତ ଜାରି ରହିଛି। କେନ୍ଦ୍ରାପଡ଼ା ଏସ୍‌ପିଙ୍କ ନେତୃତ୍ଵରେ ତଦନ୍ତ ଚାଲିଛି। ଜିଲ୍ଲା ସ୍ଵତନ୍ତ୍ର ପୋଲିସ ସ୍କ୍ଵାର୍ଡ, ସାଇଣ୍ଟିଫିକ୍ ଟିମ୍ ଓ ସନ୍ଧାନୀ କୁକୁର ଏହି କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି।

ଗତକାଲି ୬ ଜଣ ଡକାୟତ କୁସୁନୁପୁର ଗାଁର କାହ୍ନୁଚରଣ ନାୟକଙ୍କ ଘରେ ପଶି ପଶି ନଗଦ ୨୫ ହଜାର ଟଙ୍କା, ୨୦ ଗ୍ରାମ୍ ସୁନା ଓ ୧୦ଟି ମୋବାଇଲ୍ ଲୁଟି ନେଇଥିଲେ। ବିରୋଧ କରିବାରୁ ଡକାୟତମାନେ କାହ୍ନୁଚରଣ ଓ ତାଙ୍କ ପତ୍ନୀଙ୍କୁ ଭୁଜାଲିରେ ଆକ୍ରମଣ କରି ଫେରାର ହୋଇଯାଇଥିଲେ।ଉଭୟ ଦମ୍ପତିଙ୍କୁ ମାର୍ଶାଘାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ କାହ୍ନୁଚରଣଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।

ଏହି ଘଟଣାକୁ ଗୁରୁତର ଭାବେ ନେଇଛି କେନ୍ଦ୍ରାପଡ଼ା ପୋଲିସ। ଅଭିଯୁକ୍ତ ମାନଙ୍କୁ ଶୀଘ୍ର ଗିରଫ କରିବାକୁ ଏସ୍‌ପି ଜିଲ୍ଲାର ସ୍ଵତନ୍ତ୍ର ପୋଲିସ ସ୍କ୍ଵାର୍ଡ ଓ ମାର୍ଶାଘାଇ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି।ଏସ୍‌ପି ନୀତିଶେଖରଙ୍କ ସମେତ ଏସ୍‌ଡିପିଓ ରାଜୀବଲୋଚନ ପଣ୍ଡା ଘଟଣା ସ୍ଥଳ ପରିଦର୍ଶନ କରି ଅପରାଧୀମାନଙ୍କର ଗତିବିଧି ଓ ଡକାୟତି ଶୈଳୀ ସମ୍ପର୍କରେ ଅନୁଧ୍ୟାନ କରି ଫେରିଛନ୍ତି। ଘଟଣାର ତଦନ୍ତ ପାଇଁ  ସନ୍ଧାନୀ କୁକୁର ଓ ସାଇଣ୍ଟିଫିକ୍ ଟିମ୍‌କୁ ନିୟୋଜିତ କରାଯାଇଛି। ତେବେ ଏପର୍ଯ୍ୟନ୍ତ ଡକାୟତମାନଙ୍କର କୌଣସି ସନ୍ଧାନ ମିଳିନଥିବା ଜଣାପଡ଼ିଛି।

Comment