ଓଡ଼ିଶାଲାଇଭ୍‌ ବ୍ୟୁରୋ

 ୱେଷ୍ଟଇଣ୍ଡିଜ ବିପକ୍ଷ ଟି-୨୦ ସିରିଜରେ ନେତୃତ୍ୱ ନେଇଥିବା ରୋହିତ ଶର୍ମା ନୂଆ ରେକର୍ଡ କରିଛନ୍ତି। ଲକ୍ଷ୍ନୌରେ ଖେଳାଯାଇଥିବା ଦ୍ୱିତୀୟ ମ୍ୟାଚରେ କୋହଲିଙ୍କ କୀର୍ତ୍ତିକୁ ଭାଙ୍ଗିଛନ୍ତି ରୋହିତ।

ଭାରତୀୟ ଖେଳାଳି ଭାବେ ଟି-୨୦ କ୍ରିକେଟରେ ସବୁଠୁ ଅଧିକ ରନ କରିବାରେ ସଫଳ ହୋଇଛନ୍ତି ରୋହିତ। ଦ୍ୱିତୀୟ ଟି-୨୦ ମ୍ୟାଚର ଚତୁର୍ଥ ଓଭରର ଦ୍ୱିତୀୟ ବଲରେ ଛକା ମାରି ସାଥି ଖେଳାଳି କୋହଲିଙ୍କ ରେକର୍ଡ ଭାଙ୍ଗିଛନ୍ତି।କୋହଲି ୬୨ଟି ମ୍ୟାଚ ଖେଳି ୫୮ ଇନିଂସରେ ମୋଟ ୨୧୦୨ ରନ କରିଥିବାବେଳେ ରୋହିତ ୨୧୦୦ ରନ ପାର କରିସାରିଛନ୍ତି। ଟି-୨୦ରେ ସବୁଠୁ ଅଧିକ ରନ୍ କରିବାର ରେକର୍ଡ ନ୍ୟୁଜିଲାଣ୍ଡର ମାର୍ଟିନ ଗୁପ୍ତିଲଙ୍କ ନାଁରେ ରହିଛି। ସେ ୨୨୭୧ ରନ କରି ଶୀର୍ଷରେ ଥିବାବେଳେ ପାକିସ୍ତାନର ଅଲରାଉଣ୍ଡର ସୋଏବ ମଲ୍ଲିକ ୨୧୬୧ ରନ କରି ତାଲିକାର ଦ୍ୱିତୀୟ ସ୍ଥାନରେ ଅଛନ୍ତି।

ସେହିପରି ନ୍ୟୁଜିଲାଣ୍ଡର ବ୍ରେଣ୍ଡନ ମ୍ୟାକକୁଲମ ୨୧୪୦ ରନ କରି ଚତୁର୍ଥ ସ୍ଥାନରେ ଅଛନ୍ତି। ସବୁଠୁ ଅଧିକ ରନ୍ କଥା କହିବାକୁ ଗଲେ ଭାରତୀୟ ଖେଳାଳିଙ୍କ ମଧ୍ୟରେ ରୋହିତ ଶର୍ମା ଏବଂ ବିରାଟ କୋହଲି ଛଡ଼ା ସୁରେଶ ରାଇନା ୧୬୦୫ ରନ୍ କରି ତୃତୀୟ ସ୍ଥାନରେ ଅଛନ୍ତି।

ଧୋନି ୧୪୮୭ ଏବଂ ଯୁବରାଜ ସିଂ ୧୧୭୭ ରନ୍ କରିଛନ୍ତି। ଏହାଛଡ଼ା ରୋହିତ ଓ ଧାୱନ ଓପନିଂ ଯୋଡି଼ ଟି-୨୦ରେ ସର୍ବାଧିକ ରନର ପାର୍ଟନରଶିପ୍ ଭାବେ ନିଜ ନାମରେ କରିଛନ୍ତି। ଏହି ଯୋଡ଼ି ୧୧୫୫ ରନ୍ କରି ଅଷ୍ଟ୍ରେଲିଆର ଡେଭିଡ ୱାର୍ଣ୍ଣର-ସେନ ୱାଟସନଙ୍କ ୧୧୫୪ ରେକର୍ଡକୁ ପଛରେ ପକାଇଛନ୍ତି।

Comment