ଓଡ଼ିଶାଲାଇଭ୍ ବ୍ୟୁରୋ
ଟଙ୍କା ପାଇଁ ମଣିଷକୁ ମରଣ ମୁହଁକୁ ଠେଲି ଦେଇଛି ହସ୍ପିଟାଲ। ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ଘଟିଛି ଚାଞ୍ଚଲ୍ୟକର ଘଟଣା। ହସ୍ପିଟାଲରେ ଚାଲିଥିଲା ରକ୍ତର କଳା କାରବାର। ଏଭଳି ଏକ ଘଟଣାର ପର୍ଦ୍ଦାଫାସ କରିଛି ୟୁପି ଏସଟିଏଫ୍।
ଗତ ଶୁକ୍ରବାର ରାତି ୨ଟା ସମୟ। ହଠାତ୍ ଲକ୍ଷ୍ନୌସ୍ଥିତ ମାଣ୍ଡୟାଁବ ହସ୍ପିଟାଲରେ ରେଡ୍ କରିଥିଲା ୟୁପି ଏସଟିଏଫ୍। ହସ୍ପିଟାଲରେ ଚାଲୁଥିବା କଳା କାରବାରର ପର୍ଦ୍ଦାଫାସ କରି ୭ ଜଣଙ୍କୁ ବାନ୍ଧିଛି ଏସଟିଏଫ୍।
ଅଭିଯୁକ୍ତମାନେ ରୋଗୀ ଜୀବନକୁ କିପରି ବାଜି ଲଗାଉଥିଲେ ତାହା ଶୁଣିଲେ ଆପଣ ଆର୍ଶ୍ଚଯ୍ୟ ହେବେ। ଟଙ୍କା ଲୋଭରେ କେମିକାଲ ଓ ପାଣି ମିଶାଇ ରକ୍ତ ବିକ୍ରି କରୁଥିଲେ। ପାଣି ମିଶା ରକ୍ତକୁ ଦୁଇକୁ ତିନି ୟୁନିଟ କରି ବିକ୍ରି କରୁଥିଲେ।
ରାତି ଅଧିଆ ଚଢ଼ାଉ କରି ୮ ୟୁନିଟ ନକଲି ରକ୍ତ ଜବତ କରିବା ସହ ୟୁପି ଏସଟିଏଫ୍ ଘଟଣାର ତଦନ୍ତ କରୁଛି। ବ୍ଲଡ ବ୍ୟାଙ୍କର ଦସ୍ତାବିଜ, ଉପକରଣ ଓ କର୍ମଚାରୀଙ୍କ ତଥ୍ୟ ଖୋଳତାଡ଼ କରୁଛି।
ଏସଟିଏଫର ଏହି ଚଢା଼ଉ ଅତି ଗୋପନୀୟ ଥିଲା। ସ୍ଥାନୀୟ ପୁଲିସ ବି ଚଢ଼ାଉର ଟେର ପାଇନଥିଲା। ରେଡ୍ ପୂର୍ବରୁ ପାଖାପାଖି ୧୫ ଦିନ ପର୍ଯ୍ୟନ୍ତ ହସ୍ପିଟାଲ ଉପରେ ନଜର ରଖିଥିଲା। ପ୍ରମାଣ ଓ ସାକ୍ଷ୍ୟ ଯୋଗାଡ଼ ପରେ ଚଢ଼ାଉ କରିଥିଲା ଏସଟିଏଫ୍।
ଅଭିଯୁକ୍ତମାନେ ଅତି ଚତୁରତାର ସହ କେମିକାଲ ଓ ପାଣି ମିଶାଇ ରକ୍ତ ତିଆରି କରୁଥିଲେ। ମେଡିକାଲରେ କାମ କରୁଥିବା କର୍ମଚାରୀଙ୍କ କୌଣସି ଡିଗ୍ରୀ ପ୍ରମାଣପତ୍ର ନଥିବା ଜଣାପଡ଼ିଛି।
ଏପରିକି ବ୍ଲଡବ୍ୟାଙ୍କରେ କୌଣସି ଡାକ୍ତର ନିୟୋଜିତ ହୋଇନଥିଲେ। କେମିକାଲ ଓ ପାଣି ମିଶ୍ରିତ ଗୋଟିଏ ୟୁନିଟ ରକ୍ତ ପାଇଁ ୩୫୦୦ ଟଙ୍କା ନେଉଥିଲେ। ରିକ୍ସା ଚାଳକ ଓ ଗରିବ ଲୋକଙ୍କ ଠାରୁ ହଜାରେରୁ ୧୨ ଶହ ଟଙ୍କାରେ ରକ୍ତ କିଣି ସେଥିରେ କେମିକାଲ ଓ ପାଣି ମିଶାଉଥିଲେ।














