ଓଡ଼ିଶାଲାଇଭ୍ ବ୍ୟୁରୋ

ବିମୁଦ୍ରାକରଣକୁ ପୂରିଲା ଦୁଇ ବର୍ଷ। ମୋଦିଙ୍କ ନିଷ୍ପତ୍ତି ସପକ୍ଷରେ ଯୁକ୍ତି ବାଢ଼ିଲେ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ।

ନୋଟବନ୍ଦୀକୁ ଦୁଇ ବର୍ଷ ପୂରିଲା। ଏହି ପରିପ୍ରେକ୍ଷୀରେ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ନିଜର ପ୍ରତିକ୍ରିୟା ରଖିଛନ୍ତି। ବିମୁଦ୍ରାକରଣକୁ ବିରୋଧୀମାନେ ତୀବ୍ର ସମାଲୋଚନା କରୁଥିବା ବେଳେ ଅର୍ଥମନ୍ତ୍ରୀ ଏହାର ଜବାବ ରଖିଛନ୍ତି।

ଅରୁଣ ଜେଟଲୀ କହିଛନ୍ତି, “କେବଳ ଟଙ୍କା ଜବତ କରିବା କେବଳ କେନ୍ଦ୍ର ସରକାରଙ୍କ ଉଦ୍ଦେଶ୍ୟ ନଥିଲା। ଅର୍ଥବ୍ୟବସ୍ଥା ସୁଧାର ପାଇଁ ନୋଟବନ୍ଦୀ ପଦକ୍ଷେପ ମହତ୍ତ୍ୱପୂର୍ଣ୍ଣ ଥିଲା।”

ମୋଦିଙ୍କ ନିଷ୍ପତି ସପକ୍ଷରେ ଫେସବୁକରେ ବ୍ଲଗ ମଧ୍ୟ ଲେଖିଛନ୍ତି ଅର୍ଥମନ୍ତ୍ରୀ।

୨୦୧୬ ନଭେମ୍ବର ୮ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୫୦୦ ଓ ୧୦୦୦ ଟଙ୍କା ନୋଟ୍ ଅଚଳ କରି ଦେଇଥିଲେ। ମୋଦି ହଠାତ୍ ଅପ୍ରତ୍ୟାଶିତ ଭାବେ ଦୁଇଟି ବଡ଼ ନୋଟ୍ ଅଚଳ କରି ଦେଇଥିଲେ। ଏହାକୁ ନେଇ ସମଗ୍ର ଦେଶବାସୀ ଅକଥନୀୟ ଦୁର୍ଦ୍ଦଶା ଭୋଗିଥିଲେ। ଅଚଳ ନୋଟ୍ ବଦଳାଇବା ପାଇଁ ଲୋକେ ବ୍ୟାଙ୍କରେ ଧାଡ଼ି ବାନ୍ଧି ଛିଡ଼ା ହୋଇଥିଲେ। ଏଟିଏମରେ ମଧ୍ୟ ପର୍ଯ୍ୟାପ୍ତ ନୂଆ ଟଙ୍କା ଉପଲବ୍ଧ ନ ହେବାରୁ ବହୁ ଗରିବ ଓ ନିମ୍ନ ମଧ୍ୟବିତ୍ତ ଶ୍ରେଣୀର ଲୋକେ ହଇରାଣ ହୋଇଥିଲେ। ବ୍ୟାଙ୍କ କର୍ମଚାରୀ ମଧ୍ୟ ଅଧିକ ଚାପରେ ରହିଥିଲେ। ତଥାପି ଯେଉଁ ମହତ ଉଦ୍ଦେଶ୍ୟ ରଖି ନୋଟ ଅଚଳ କରାଯାଇଛି ବୋଲି କୁହାଯାଉଥିଲା ତାହା ଫଳପ୍ରଦ ହୋଇ ନ ଥିବା ଆରବିଆଇ ତଥ୍ୟରୁ ଜଣାପଡିଥିଲା।

କଳାଧନ ଅର୍ଥନୈତିକ ବ୍ୟବସ୍ଥାରୁ ବାହାରିଯିବ ବୋଲି ଯେଉଁ ଆକଳନ କରାଯାଇଥିଲା ତାହା ଭୁଲ ପ୍ରମାଣିତ ହୋଇଥିଲା।

ଏନେଇ ସ୍ପଷ୍ଟୀକରଣ ରଖିଛନ୍ତି ଅର୍ଥମନ୍ତ୍ରୀ। ସେ କହିଛନ୍ତି, “ଟଙ୍କାକୁ ଜବତ କରିବା ସରକାରଙ୍କ ଉଦ୍ଦେଶ୍ୟ ନଥିଲା। ଏକ ଔପଚାରିକ ଅର୍ଥନୈତିକ ବ୍ୟବସ୍ଥାକୁ ପ୍ରବେଶ କରିବା ସରକାରଙ୍କ ମୂଳ ଉଦ୍ଦେଶ୍ୟ ଥିଲା।”

Comment