ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ଦେଖିବାକୁ ମିଳିବ ଓଡ଼ିଶା କଳା, ସଂସ୍କୃତିର ଝଲକ
  • ୧୫ ତାରିଖ ଯାଏଁ ଚାଲିବ କନକ୍ଲେଭ
  • ୧୨ରେ ଆସିବେ ମୁକେଶ ଅମ୍ବାନି
  • ସଫଳ ଉଦ୍ୟୋଗୀଙ୍କୁ ‘ଓଡ଼ିଶା ଗୌରବ’ ସମ୍ମାନ
  •  ୩ଟି ଶ୍ରେଷ୍ଠ କମ୍ପାନିକୁ ଏକ୍ସପୋ ପୁରସ୍କାର
  • ପ୍ରଥମ ଥର ପାଇଁ ଓଡ଼ିଶା ସିଏସ୍‌ଆର୍ ପୁରସ୍କାର – ୨୦୧୮

ନଭେମ୍ବର ୧୧ରୁ ଭୁବନେଶ୍ୱରରେ ଅନୁଷ୍ଠିତ ହେବ ମେକ୍ ଇନ୍ ଓଡ଼ିଶା କନକ୍ଲେଭ-୨୦୧୮। ୧୫ ତାରିଖ ଯାଏଁ ଚାଲିବ ଏହି କନକ୍ଲେଭ୍। ଓଡ଼ିଶାର ଶିଳ୍ପାୟନ ଯାତ୍ରାରେ ଏହି କନକ୍ଲେଭ୍ ଏକ ନୂଆ ଅଧ୍ୟାୟ ସୃଷ୍ଟି କରିବ ବୋଲି ଜୟଦେବ ଭବନର ଗୀତଗୋବିନ୍ଦ ସଦନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶିଳ୍ପମନ୍ତ୍ରୀ ଅନନ୍ତ ଦାସ ସୂଚନା ଦେଇଛନ୍ତି।

“ମେକ୍ ଇନ୍ ଓଡ଼ିଶା କନକ୍ଲେଭ ୨୦୧୮କୁ ସଫଳତାର ସହ ପରିଚାଳନା କରିବା ପାଇଁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ। ସରକାରଙ୍କର ୧୫ଟି ବିଭାଗ ୪ ଦିନ ଧରି ବିଭିନ୍ନ କ୍ଷେତ୍ର  ଉପରେ ଅଧିବେଶନ କରିବେ। ଏହାସହ ଦେଶ ବିଦେଶର ବହୁ ପ୍ରତିଷ୍ଠିତ ଶିଳ୍ପପତିଙ୍କୁ ଏହି କନକ୍ଲେଭକୁ ଆମନ୍ତ୍ରିତ କରାଯାଇଛି। ଏହି କନକ୍ଲେଭ ବେଶ୍ ପ୍ରଭାବୀ ହେବ”, କହିଛନ୍ତି ଶିଳ୍ପମନ୍ତ୍ରୀ ଅନନ୍ତ ଦାସ।

ଯୋଗଦେବେ ମୁକେଶ ଅମ୍ବାନି

ଏହି କନକ୍ଲେଭରେ ରାଜ୍ୟ ସରକାରଙ୍କର ୧୫ଟି ବିଭାଗ ସମେତ ଦେଶ ବିଦେଶର ନିବେଶକ, ସରକାରୀ ଅଧିକାରୀ ଏବଂ ସାଧାରଣ ଲୋକ ଯୋଗଦେବେ। ଏହି କନକ୍ଲେଭ୍‌କୁ ଆକର୍ଷଣୀୟ କରିବା ପାଇଁ ରାଜ୍ୟ ସରକାର ବ୍ୟାପକ ବ୍ୟବସ୍ଥା ଗ୍ରହଣ କରିଛନ୍ତି।

୧୨ ତାରିଖରେ ବିଜିନେସ୍ ଲିଡରସିପ୍ ସମ୍ମିଟରେ ରିଲାଏନ୍ସ ଇଣ୍ଡଷ୍ଟ୍ରିର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ମୁକେଶ ଅମ୍ବାନି ଷ୍ଟାର ବକ୍ତା ଭାବେ ଯୋଗଦେବେ। ବିଭିନ୍ନ ବ୍ୟବସାୟରେ ଯୁବପିଢ଼ିଙ୍କୁ ଉତ୍ସାହିତ କରିବା ପାଇଁ ସେ ତାଙ୍କର ମତ ରଖିବେ।

ଦେଖିବାକୁ ମିଳିବ ଓଡ଼ିଶା କଳା, ସଂସ୍କୃତିର ଝଲକ

ମେକ୍‌ ଇନ ଓଡ଼ିଶା କନକ୍ଲେଭକୁ ଆହୁରି ଅଧିକ ସମୃଦ୍ଧ କରିବା ପାଇଁ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯିବ। ଏଥିରେ ଓଡ଼ିଶାର କଳା, ସଂସ୍କୃତି, ଐତିହ୍ୟର ଝଲକ ଦେଖିବାକୁ ମିଳିବ।

ଓଡ଼ିଶାର ସମୃଦ୍ଧ ସାଂସ୍କୃତିକ ଐତିହ୍ୟକୁ ଜଣାଇବା ଉଦ୍ଦେଶ୍ୟରେ ୧୧ ତାରିଖରେ କୋଷ୍ଟାଲ୍ ଫନ୍ ରନ୍, ହେରିଟେଜ ୱାକ, ଗଲ୍ଫ ଟୁର୍ଣ୍ଣାମେଣ୍ଟ, ଆଦିବାସୀ ସଂଗ୍ରହାଳୟ, ହସ୍ତଶିଳ୍ପ ସଂଗ୍ରହାଳୟ ପରିଦର୍ଶନ ଭଳି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।

୧୨ ତାରିଖରେ ହେବାକୁ ଥିବା ସମାରୋହରେ ବିଶିଷ୍ଟ ଓଡ଼ିଶୀ ନୃତ୍ୟଶିଳ୍ପୀ ଅରୁଣା ମହାନ୍ତି ଏବଂ ତାଙ୍କ ଟିମ୍ ଦ୍ୱାରା ଓଡ଼ିଶୀ ନୃତ୍ୟ ପରିବେଷଣ କରାଯିବ। ଆମେରିକାର ବିଶିଷ୍ଟ ଫ୍ୟାସନ ଡିଜାଇନର ଓଡ଼ିଆ ପୁଅ ବିଭୂ ମହାପାତ୍ର କ୍ରିଏଟିଭ୍ ଅର୍ଥନୀତି ଉପରେ ଆଲୋଚନା କରିବେ। ଏହାପରେ ଓଡ଼ିଶାର ହସ୍ତତନ୍ତ ଶାଢ଼ି ଏବଂ ପୋଷାକକୁ ନେଇ ଏକ ଫ୍ୟାଶନ ସୋ’ ଆୟୋଜନ କରାଯିବ।

ଓଡ଼ିଶା ଥିମ୍ ପାଭିଲିୟନ

ମେକ୍ ଇନ୍ ଓଡ଼ିଶା କନକ୍ଲେଭ୍‌ରେ ଏଥର ମୁଖ୍ୟ ଆକର୍ଷଣ ହେଉଛି ‘ଦେଓମାଳୀ’ ନାଁରେ ଓଡ଼ିଶା ଥିମ୍ ପାଭିଲିୟନ। ଏଥିରେ ବୃତ୍ତାକାର ଗମ୍ବୁଜରେ ବିଭିନ୍ନ ସମ୍ଭାବନାକୁ ପ୍ରଦର୍ଶନ କରାଯିବ। ଏଥିରେ ‘କାଇନେଟିକ୍ ଇନଷ୍ଟାଲେସନ’ ଭଳି ବ୍ୟାପକ କଟିଙ୍ଗ ଏଜ୍ ଟେକ୍ନୋଲୋଜିର ବ୍ୟବହାର କରାଯାଇଛି।

ଉଦ୍ୟୋଗୀଙ୍କ ପାଇଁ ପ୍ଲାଟଫର୍ମ – ଷ୍ଟାଟ୍‌ଅପ୍ ଟକ୍

ମେକ୍‌ ଓଡ଼ିଶା କନକ୍ଲେଭରେ ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ତରର ନିବେଶକ, ମେଣ୍ଟର, ପ୍ରତିଷ୍ଠିତ ଉଦ୍ୟୋଗୀମାନେ ଯୋଗଦେବେ। ଯେଉଁ ଯୁବପିଢ଼ିମାନେ ଉଦ୍ୟୋଗ କ୍ଷେତ୍ରରେ ନୂଆ ନୂଆ ପ୍ରବେଶ କରୁଛନ୍ତି ସେମାନେ ଏହି ମଞ୍ଚରେ ଦେଶ ବିଦେଶର ପ୍ରତିଷ୍ଠିତ ଉଦ୍ୟୋଗୀମାନଙ୍କ ସହ ଆଲୋଚନା କରିବାର ସୁଯୋଗ ପାଇବେ।

ଏହି ଆଲୋଚନାଚକ୍ରରେ ନେଷ୍ଟଆୱେର ସିଇଓ ଅମରେନ୍ଦ୍ର ସାହୁ, ପରପଲ୍‌ର ସିଇଓ ରାହୁଲ ଦାଶ, ମିଲ୍କମନ୍ତ୍ରାର ଏମ୍‌ଡି ଶ୍ରୀକୁମାର ମିଶ୍ର, ଭିଡୋଲିର ସିଇଓ ସୁବ୍ରତ କର ପ୍ରମୁଖ ଭାଗନେବେ।

ଏହାସହ ସିସ୍‌କୋ ସିଷ୍ଟମ୍‌ସର ପୂର୍ବତନ ବରିଷ୍ଠ ଉପ-ସଭାପତି ମିସ୍ ୟେଭେତ କନୌଫ ଆମେରିକା ପ୍ରଗତିଶୀଳ ଟେକ୍ନୋଲୋଜି ଉପରେ ଟକ୍‌ ସୋ’ ଦେବେ।

ଏହି ଅବସରରେ ଓଡ଼ିଶାର ସାମାଜିକ ଓ ଆର୍ଥିକ ବିକାଶ ଦିଗରେ ସହାୟକ ହେଉଥିବା କମ୍ପାନିଗୁଡ଼ିକୁ ‘ଓଡ଼ିଶା ସିଏସ୍‌ଆର୍ ପୁରସ୍କାର – ୨୦୧୮’ ପ୍ରଦାନ କରାଯିବ। ଏହାସହ ୩ ଜଣ ସଫଳ ଉଦ୍ୟୋଗୀଙ୍କୁ ‘ଓଡ଼ିଶା ଗୌରବ’ ସମ୍ମାନ, ୩ଟି ଶ୍ରେଷ୍ଠ କମ୍ପାନିକୁ ଏକ୍ସପୋ ପୁରସ୍କାର ପ୍ରଦାନ କରାଯିବ।

ମେକ୍ ଇନ୍ ଓଡ଼ିଶା କନକ୍ଲେଭ୍‌ ଅବସରରେ ପ୍ରଥମ ଥର ପାଇଁ ସ୍ମାର୍ଟ ଓଡ଼ିଶା ହାକାଥନ୍ ଆୟୋଜନ କରାଯିବ। ୨୯୩ ଛାତ୍ରଛାତ୍ରୀଙ୍କୁ ନେଇ ୯୩ଟି ଟିମ୍ ଗଠନ କରାଯାଇଛି।

ସାମ୍ବାଦିକ ସମ୍ମିଳନୀରେ ଶିଳ୍ପ ବିଭାଗର ପ୍ରମୁଖ ଶାସନ ସଚିବ ସଞ୍ଜିବ ଚୋପ୍ରା, ଇଡ୍‌କୋ ଏମ୍‌ଡି ସଞ୍ଜୟ ସିଂ ପ୍ରମୁଖ ଉପସ୍ଥିତ ଥିଲେ।

Comment