ଓଡ଼ିଶାଲାଇଭ୍ ବ୍ୟୁରୋ

କ୍ରିକେଟ୍ ଇତିହାସରେ ବିରଳ ରେକର୍ଡ। ଗୋଟିଏ ଓଭରରେ ୩୬ ରନ୍ ହେବା କଥା ସମସ୍ତେ ଜାଣିଛନ୍ତି କିନ୍ତୁ ୪୩ ରନ୍ କଥା ଭାବିଲା ବେଳକୁ ନିଶ୍ଚିତ ଭାବେ ଆଶ୍ଚର୍ଯ୍ୟ ଲାଗିବ। ନ୍ୟୁଜିଲାଣ୍ଡସ୍ଥିତ ହେମିଲଟନର ସେଡାନ ପାର୍କରେ ବୁଧବାର ଏହି ବିଶ୍ୱ ରେକର୍ଡ ପ୍ରତିଷ୍ଠା ହୋଇଛି। ଏଠାରେ ‘ଦ ଫୋର୍ଡ ଟ୍ରଫି’ରେ ଖେଳାଯାଇଥିବା ୫୦ ଓଭର ମ୍ୟାଚରେ ଏଭଳି ରନ୍ ବର୍ଷା ହୋଇଛି ଯେ, ଲିଷ୍ଟ-ଏ କ୍ରିକେଟରେ ବିଶ୍ୱ ରେକର୍ଡରେ ସ୍ଥାନ ପାଇଛି।

ନଦର୍ନ ଡିଷ୍ଟ୍ରିକ୍ଟ ପକ୍ଷରୁ ଜୋ କାର୍ଟର (ଅପରାଜିତ ୧୦୨ ରନ୍) ଓ ବ୍ରେଟ୍ ହେପଟନ୍ (୯୫ ରନ୍) ଯୋଡ଼ି ସେଣ୍ଟ୍ରାଲ ଡିଷ୍ଟ୍ରିକ୍ଟର ଦ୍ରୁତ ବୋଲର ଭିଲେମ ଲୁଡିକଙ୍କ ଏକ ଓଭରରେ ୪୩ (୪, ୬+ନୋ ବଲ, ୬+ନୋ ବଲ, ୬, ୧, ୬, ୬, ୩) ରନ ଦେଇଛନ୍ତି। ଲୁଡିକ ନିର୍ଦ୍ଧାରିତ ୧୦ ଓଭରରେ ଗୋଟିଏ ୱିକେଟ୍ ନେଇ ୮୫ ରନ ବ୍ୟୟ କରିଥିଲେ। କାର୍ଟର-ହେପଟନ ଯୋଡ଼ି ୪୬ତମ ଓଭରରେ ହିଁ ଏହି ରେକର୍ଡ କରିଥିଲେ।

ପ୍ରିଟୋରିଆ (ସାଉଥ ଆଫ୍ରିକା)ର ଜନ୍ମିତ ଏହି ବୋଲର ଏହି ଓଭରକୁ କେବେ ଭୁଲି ପାରିବେ ନାହିଁ। ଏହା ପୂର୍ବରୁ ଲିଷ୍ଟ-ଏ କ୍ରିକେଟରେ ଗୋଟିଏ ଓଭରରେ ସର୍ବାଧିକ ରନ ସଂଗ୍ରହ ହେବା ରେକର୍ଡ ଏଲଟନ ଚିଙ୍ଗୁମ୍ବୁରାଙ୍କ ନାମରେ ଥିଲା । ଯିଏକି ୨୦୧୩ରେ ଢାକାରେ ପ୍ରିମିୟର ଡିଭିଜନ ମୁକାବିଲାରେ ଶେଖ ଜମାଲ କ୍ଲବ ପକ୍ଷରୁ ଖେଳି ଆବ୍ରାହନୀ ଲିମିଟେଡ ବିପକ୍ଷରେ ଆଲାଉଦ୍ଦୀନ ବାବୁଙ୍କ ଗୋଟିଏ ଓଭରରେ ୩୯ (ନୋ ୫, ଓ୍ଵାଇଡ ୧, ୬, ୪, ୬, ୪,୬, ଓ୍ଵାଇଡ ୧, ୬) ରନ ସଂଗ୍ରହ କରିଥିଲେ।

Comment