ଓଡ଼ିଶାଲାଇଭ୍ ବ୍ୟୁରୋ
ହକି ବିଶ୍ୱକପ୍ରେ ଚମକିବେ ବୀରେନ୍ଦ୍ର ଲାକ୍ରା ଏବଂ ଅମିତ ଦାସରୋହି।
ନଭେମ୍ବର ୨୮ରୁ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହେବ ହକି ପୁରୁଷ ବିଶ୍ୱକପ୍। ଡିସେମ୍ବର ୧୬ ଯାଏଁ ଚାଲିବାକୁ ଥିବା ଏହି ମେଗା ଇଭେଣ୍ଟରେ ୧୬ଟି ଦେଶ ଭାଗ ନେଇଛନ୍ତି। କଳିଙ୍ଗ ଷ୍ଟାଡିୟମ ମଇଦାନରେ ପ୍ରମୁଖ ପ୍ରତିଦ୍ୱନ୍ଦ୍ୱୀଙ୍କୁ ଟକ୍କର ଦେବା ପାଇଁ ଟିମ୍ ଇଣ୍ଡିଆ ପ୍ରସ୍ତୁତ ବୋଲି କୋଚ ହରେନ୍ଦ୍ର ସିଂ କହିଛନ୍ତି।
“ଫିଟ୍ନେସ୍ ଏବଂ ପୂର୍ବ ମ୍ୟାଚର ପ୍ରଦର୍ଶନୀକୁ ଦେଖି ହକି ବିଶ୍ୱକପ୍ ପାଇଁ ଖେଳାଳିମାନଙ୍କୁ ଚୟନ କରାଯାଇଛି। ବିଶ୍ୱକପ୍ ପାଇଁ ଖେଳାଳିମାନେ ଉତ୍ସାହିତ ଅଛନ୍ତି। ସେମାନେ ଭଲ ପ୍ରଦର୍ଶନ କରିବେ ବୋଲି ଆଶା ରହିଛି। ଭାରତ ହେଉଛି ପ୍ରଥମ ଦେଶ, ଯିଏ ତୃତୀୟ ଥର ପାଇଁ ବିଶ୍ୱକପ୍ ଆୟୋଜନ କରିବାକୁ ଯାଉଛି”, କହିଛନ୍ତି ହରେନ୍ଦ୍ର ସିଂ।
ହକି ବିଶ୍ୱକପ୍ ପାଇଁ ୧୮ ଜଣିଆ ଭାରତୀୟ ଟିମ୍ ଘୋଷଣା କରାଯାଇଛି। ଏହି ଦଳରେ ଦୁଇ ଜଣ ଓଡ଼ିଆ ଖେଳାଳି ବୀରେନ୍ଦ୍ର ଲାକ୍ରା ଏବଂ ଅମିତ ରୋହିଦାସଙ୍କୁ ସାମିଲ କରାଯାଇଛି। ନିଜ ହୋମ୍ଗ୍ରାଉଣ୍ଡରେ ଭଲ ପ୍ରଦର୍ଶନ କରିବେ ବୋଲି ଉଭୟ କହିଛନ୍ତି।
“ଏସିଆନ୍ ଗେମ୍ସରେ ମୁଁ ଆହତ ହୋଇଯାଇଥିଲି। ଦିଲ୍ଲୀରେ ମୁଁ ଚିକିତ୍ସିତ ହେଉଥିଲି। ହକି ବିଶ୍ୱକପରେ ସାମିଲ ହେବା ପାଇଁ ମତେ ସଂଘର୍ଷ କରିବାକୁ ପଡ଼ିଥିଲା। ମତେ ଭାରତୀୟ ଟିମ୍ରେ ସାମିଲ କରାଯାଇଥିବାରୁ ମୁଁ ବହୁତ ଖୁସି। ହୋମ୍ଗ୍ରାଉଣ୍ଡରେ ମୁଁ ଭଲ ପ୍ରଦର୍ଶନ କରିବାକୁ ଚାହିଁବି”, କହିଛନ୍ତି ବୀରେନ୍ଦ୍ର ଲାକ୍ରା।
ସେ ଆହୁରି କହିଛନ୍ତି ଯେ ଓଡ଼ିଶା ସରକାର ହକି ସମତେ ଅନ୍ୟ ଖେଳକୁ ପ୍ରୋତ୍ସାହନ ଦେଇ ଆସୁଛନ୍ତି। ହକି ବିଶ୍ୱକପକୁ ମଧ୍ୟ ପ୍ରୋତ୍ସାହନ ଦେଉଛନ୍ତି। ଆଗାମୀ ଦିନରେ ସହଯୋଗ ଜାରି ରହିବ ବୋଲି ଆଶା ରହିଛି।
“ଭାରତୀୟ ଟିମ୍ରେ ମତେ ସାମିଲ କରାଯାଇଥିବାରୁ ମୁଁ ବହୁତ ଖୁସି। ଆମ ପ୍ରତି ଲୋକମାନଙ୍କର ସମର୍ଥନ ରହିଛି। ଭାରତୀୟ ଟିମ୍ ଭଲ ପ୍ରଦର୍ଶନ କରିବ”, କହିଛନ୍ତି ଅମିତ ରୋହିଦାସ।