ଓଡ଼ିଶାଲାଇଭ୍‌ ବ୍ୟୁରୋ

“ଓଡ଼ିଶାରେ ଯେଉଁମାନେ ଶିଳ୍ପ କାରଖାନା ପ୍ରତିଷ୍ଠା କରିବା ପାଇଁ ଚାହୁଁଛନ୍ତି ସେମାନଙ୍କୁ ସମସ୍ତ ପ୍ରକାର ସାହାଯ୍ୟ ଓ ସହଯୋଗ ଯୋଗାଇ ଦିଆଯିବ ଓ  କୌଣସିଥିରେ  ଅଭାବ ପରିଲକ୍ଷିତ ହେବ ନାହିଁ” – ଏ କଥା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଆଜି ଥିଲା ମେକ ଇନ୍ ଓଡ଼ିଶା କନକ୍ଲେଭର ଦ୍ୱିତୀୟ ଦିନ। ପୂର୍ବାହ୍ନ ୧୧ଟାରେ ଆରମ୍ଭ ହୋଇଥିଲା ସମ୍ମେଳନ। ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ଅତିଥି ମାନଙ୍କୁ ସ୍ୱାଗତ କରିବା ସହ ପୁଞ୍ଜି ନିବେଶ ପାଇଁ କି ପ୍ରକାର ସୁବିଧା ରହିଛି ଏବଂ ଓଡ଼ିଶା ସରକାରଙ୍କ ପକ୍ଷରୁ  କେଉଁ କେଉଁ ସୁବିଧା ଯୋଗାଇ ଦିଆଯାଉଛି ତାହା ଉଲ୍ଲେଖ କରିଥିଲେ। ଶିଳ୍ପ ବିଭାଗ ପ୍ରମୁଖ ଶାସନ ସଚିବ ସଞ୍ଜୀବ ଚୋପ୍ରା କନକ୍ଲେଭର ଉଦ୍ଦେଶ୍ୟ ଓ ଶିଳ୍ପ ପ୍ରତିଷ୍ଠା ପାଇଁ ସରକାରଙ୍କ ପକ୍ଷରୁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ବିସ୍ତୃତ ବିବରଣୀ ଉପସ୍ଥାପନ କରିଥିଲେ।

କନକ୍ଲେଭର ମୁଖ୍ୟ ଅଧିବେଶନରେ ଏକତ୍ରିତ ହୋଇଥିବା ଦେଶର ବଡ଼ବଡ଼ ଶିଳ୍ପପତିମାନଙ୍କ ଅଭିଭାଷଣରୁ ଏହା ସ୍ପଷ୍ଟ ହୋଇଥିଲା ଯେ ଓଡ଼ିଶାରେ ଶିଳ୍ପ ପ୍ରତିଷ୍ଠା ପାଇଁ ସମସ୍ତେ ଆଗ୍ରହୀ।

ଓଡ଼ିଶା ପାଇଁ ସେମାନଙ୍କ ଦୃଷ୍ଟିଭଙ୍ଗୀ ଓ ଶିଳ୍ପାୟନ ଯୋଜନା ସମ୍ପର୍କରେ ଉଲ୍ଲେଖ କରିଥିଲେ ଡଜନରୁ ଅଧିକ ଶିଳ୍ପପତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ କିଛି ଶିଳ୍ପ ପାଇଁ  ବୁଝାମଣା ପତ୍ର ଓ ଅନ୍ୟ କିଛି ପ୍ରକଳ୍ପର ଲୋକାର୍ପଣ ମଧ୍ୟ କରାଯାଇଥିଲା।

ରିଲାଏନ୍ସ ଇଣ୍ଡଷ୍ଟ୍ରିର ଅଧ୍ୟକ୍ଷ ମୁକେଶ ଅମ୍ବାନୀ କହିଲେ ଯେ ଓଡ଼ିଶା ପାଇଁ ତାଙ୍କ ମୂଳ କମ୍ପାନି ଓ ଜିଓ ଏ ପର୍ଯ୍ୟନ୍ତ ୬ ହଜାର କୋଟି ଟଙ୍କା ନିବେଶ କରିଛନ୍ତି। ଆଗାମୀ ଦିନରେ ଆଉ ୩୦୦୦ କୋଟି ଟଙ୍କାର ନିବେଶ ପାଇଁ ସେ ପ୍ରତିଶ୍ରୁତି ଦେଇଥିଲେ। ‘ଓଡ଼ିଶାର ଡିଜିଟାଲ ବିକାଶ ପାଇଁ ଆମ କମ୍ପାନୀ ଆଗ୍ରହୀ ଓ ଆଗାମୀ ଦିନରେ ଓଡ଼ିଶା ସରକାରଙ୍କ ବିଭିନ୍ନ ସାମାଜିକ-ଅର୍ଥନୈତିକ କ୍ଷେତ୍ରରେ ଜିଓ ସହଯୋଗ କରିବ’ ଏହା ସେ ଉଲ୍ଲେଖ କରିଥିଲେ।

ଆଦିତ୍ୟ ବିର୍ଲା ଗ୍ରୁପର ଅଧ୍ୟକ୍ଷ କୁମାରମଙ୍ଗଳମ ବିର୍ଲା କହିଲେ ଯେ ସେ ଏଠାକୁ ଜଣେ ନୂଆ ଶିଳ୍ପପତି ଭାବେ ଆସିନାହାନ୍ତି ଓ ଓଡ଼ିଶା ସହିତ ତାଙ୍କର ସମ୍ପର୍କ ଅତି ଘନିଷ୍ଠ।ବର୍ତ୍ତମାନ ଯେଉଁ ସବୁ ପ୍ରକଳ୍ପ ଚାଲୁଛି ତା ସହିତ ନୂଆ ନୂଆ କ୍ଷେତ୍ରରେ ବିର୍ଲା ଗ୍ରୁପ ପକ୍ଷରୁ  ପୁଞ୍ଜି ବିନିଯୋଗ ହେବ ବୋଲି ସେ କହିଥିଲେ।

ଟାଟା ସନ୍‌ସର ଅଧ୍ୟକ୍ଷ ଏନ୍ ଚନ୍ଦ୍ରଶେଖରନ ଓଡ଼ିଶା ସହିତ ଟାଟାର ଐତିହାସିକ ସମ୍ପର୍କ ବିଷୟରେ ଆଲୋଚନା କରିଥିଲେ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏକନିଷ୍ଠ ଉଦ୍ୟମ ଯୋଗୁଁ କିଭଳି ଶିଳ୍ପପତି ମାନେ ଓଡ଼ିଶା ଆଡ଼କୁ ମୁହାଁଇଛନ୍ତି ସେ କଥା ଉଲ୍ଲେଖ କରିଥିଲେ।

ବେଦାନ୍ତ ଗ୍ରୁପର ଅଧ୍ୟକ୍ଷ ଅନୀଲ ଅଗ୍ରୱାଲ କହିଲେ, “ବିଜୁ ପଟ୍ଟନାୟକଙ୍କ ଗୋଟିଏ ଅନୁରୋଧ ତାଙ୍କୁ ଅଭିଭୂତ କରିଥିଲା ଓ ସେହି ଲକ୍ଷ୍ୟ ନେଇ ଏବଂ କଳାହାଣ୍ଡି ଭଳି ଏକ ଅବହେଳିତ  ଜିଲ୍ଲାର ଲୋକଙ୍କ ଜୀବନ ଧାରଣରେ ଉନ୍ନତି ଆଣିବା ପାଇଁ ବେଦାନ୍ତ ଗ୍ରୁପ ବଦ୍ଧପରିକର। ଓଡ଼ିଶାରେ ଏକ ବିଶ୍ୱ ସ୍ତରୀୟ ବିଶ୍ୱବିଦ୍ୟାଳୟ ପାଇଁ ସେ ଆଗ୍ରହୀ ଓ ତାଙ୍କ ଫାଉଣ୍ଡେସନ ପକ୍ଷରୁ ଏଥିପାଇଁ ଅର୍ଥ ବିନିଯୋଗ ହେବ ବୋଲି ସେ ପ୍ରତିଶ୍ରୁତି ଦେଇଥିଲେ।”

ଅନ୍ୟମାନଙ୍କ ମଧ୍ୟରେ ଜିନ୍ଦଲ ଗ୍ରୁପର ସଜ୍ଜନ ଜିନ୍ଦଲ ଓ ନବୀନ ଜିନ୍ଦଲ ଓଡ଼ିଶାରେ ସେମାନଙ୍କ ଭବିଷ୍ୟତ ଯୋଜନା ନେଇ ବକ୍ତବ୍ୟ ରଖିଥିଲେ। ଏହି ଅଧିବେଶନରେ ଷ୍ଟିଲ ଅଥରିଟିର ଅଧ୍ୟକ୍ଷ, ଷ୍ଟେଟବ୍ୟାଙ୍କର ସେମାନଙ୍କ ଆଗାମୀ ସହଯୋଗ କଥା ଉଲ୍ଲେଖ କରିଥିଲେ।

ମେକ ଇନ୍ ଓଡ଼ିଶାର କଣ୍ଟ୍ରି ପାର୍ଟନର ରହିଛି ଜାପାନ। ଏଥିରେ ଜାପାନ ରାଷ୍ଟ୍ରଦୂତ ଓଡ଼ିଶାରେ ହେବାକୁ ଥିବା ତାଙ୍କ ଦେଶର ଭବିଷ୍ୟତ କାର୍ଯ୍ୟପନ୍ଥା ସମ୍ପର୍କରେ ସୂଚନା ଦେଇଥିଲେ। ସିଙ୍ଗାପୁରର ଆଇଟି କଂପାନିର ମଧ୍ୟ ଓଡ଼ିଶାରେ କି ପ୍ରକାର ଯୋଜନା ପ୍ରସ୍ତୁତ କରାଯାଇ ପାରିବ ତାହାର ଏକ ରୋଡମ୍ୟାପ ଉପସ୍ଥାପନ କରିଥିଲେ। ଏହି ଅବସରରେ ଫାଲକନ୍ ଗ୍ରୁପର ଏକ ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଗ୍ରୁପର ଅଧ୍ୟକ୍ଷ ତାରା ପ୍ରସାଦ ପଟ୍ଟନାୟକ ଲୋକାର୍ପଣ କରିଥିଲେ।

ଅଧିବେଶନ ଶେଷରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶିଳ୍ପପତିମାନଙ୍କ ବିଭିନ ପ୍ରଶ୍ନର ଉତ୍ତର ଦେଇଥିଲେ। ଇଡକଲର ଅଧ୍ୟକ୍ଷ ସଞ୍ଜୟ କୁମାର ସିଂହ ଧନ୍ୟବାଦ ଅର୍ପଣ କରିଥିଲେ।

Comment