ଭାସ୍କର ପରିଚ୍ଛା

ରବିବାର ସନ୍ଧ୍ୟାରେ ଆରମ୍ଭ ହୋଇଛି ମେକ ଇନ ଓଡ଼ିଶା କନକ୍ଲେଭର ଦ୍ୱିତୀୟ ସଂସ୍କରଣ। ପ୍ରତି ଦୁଇ ବର୍ଷରେ ହେବାକୁ ଥିବା ଏହି ସମ୍ମେଳନ ଏବର୍ଷ ଏଭଳି ଏକ ସମୟରେ ହେଉଛି ଯାହା ଓଡ଼ିଶା ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଆସନ୍ତା ୨୮ରୁ ଡିସେମ୍ବର ୧୬ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ହକି ବିଶ୍ୱକପ ପାଇଁ ଭୁବନେଶ୍ୱର ସଜେଇ ହେଉଥିବା ବେଳେ ମେକ ଇନ ଓଡ଼ିଶାର ଆୟୋଜନ ଏକ ଅନୁକୂଳ ବାତାବରଣ ସୃଷ୍ଟି କରିଛି।

ଶିଳ୍ପ ମହାକୁମ୍ଭ

ଏହି ବ୍ୟବସାୟ ସମ୍ମେଳନ ଆୟୋଜନ ପୂର୍ବରୁ ଯେତେ ସବୁ ପଦକ୍ଷେପ ନିଆଯାଇଥିଲା ସେଥିରୁ ଜଣାପଡୁଥିଲା ମେକ ଇନ ଓଡ଼ିଶା ୨.୦ ଉପରେ କାହିଁକି ନବୀନ ପଟ୍ଟନାୟକଙ୍କ ସରକାର ପକ୍ଷରୁ ଗୁରୁତ୍ୱ ଦିଆଯାଇଛି। ଏହି ଶିଳ୍ପ ମହାକୁମ୍ଭ ପଛରେ ଉଦ୍ଦେଶ୍ୟ ହେଉଛି ଓଡ଼ିଶାକୁ ବ୍ୟାପକ ପରିମାଣର ପୁଞ୍ଜି ଆକର୍ଷଣ କରିବା। ଯେଉଁ କଥା ମୁଖ୍ୟମନ୍ତ୍ରୀ ତାଙ୍କ  ଉଦ୍‌ଘାଟନୀ ଭାଷଣରେ କହିଲେ, ଏହି କନକ୍ଲେଭରେ ଓଡ଼ିଶାର ଶିଳ୍ପ ନିପୁଣତାକୁ ପ୍ରଦର୍ଶନ କରାଯାଉଛି। ଏହି କନକ୍ଲେଭକୁ ସେ ରାଜ୍ୟର ଲକ୍ଷ ଲକ୍ଷ ଯୁବକ ଯୁବତୀଙ୍କୁ ଉତ୍ସର୍ଗୀକୃତ କରିଛନ୍ତି। ମେକ ଇନ ଓଡ଼ିଶା ସହିତ ସ୍କିଲଡ଼ ଇନ ଓଡ଼ିଶାକୁ ମଧ୍ୟ ଅଗ୍ରାଧିକାର ଦେବା ଆରମ୍ଭ କରିଛନ୍ତି। ଏହାର ଉଦାହରଣ ହେଉଛି ‘ଆଇ ଆମ ଓଡ଼ିଶା’ ଅଭିଯାନ ଯେଉଁଥିରେ ଯୁବକମାନେ ସାମିଲ ହୋଇଛନ୍ତି। ତା ଛଡ଼ା ପ୍ରଥମଥର ପାଇଁ ଏଥର କଳା ଓ କାରିଗରି ବିକାଶକୁ ପ୍ରାଧାନ୍ୟ ଦେଉଛନ୍ତି ଓଡ଼ିଶା ସରକାର। ଶିଳ୍ପାୟନ, କୌଶଳ ବିକାଶ ଓ ମାନବ ସମ୍ବଳର ଉପଯୁକ୍ତ ବିନିଯୋଗ ଏହି ତିନୋଟି ଯଦି ଗୋଟିଏ ସରଳ ରେଖାରେ ରହେ କେବଳ ଓଡ଼ିଶା କାହିଁକି ଯେ କୌଣସି ରାଜ୍ୟ ଉନ୍ନତିର ଉଚ୍ଚତମ ସୋପାନରେ ପହଞ୍ଚିପାରିବ ଏ କଥା କହିବାରେ ଦ୍ଵିଧା ନାହିଁ।

ସୁବିଧା ହିଁ ସୁବିଧା

ମୁଖ୍ୟମନ୍ତ୍ରୀ ତାଙ୍କ ସ୍ୱାଗତ ଭାଷଣରେ ଦେଶ ଓ ବିଦେଶର ଶିଳ୍ପପତି ତଥା ଶିଳ୍ପ ସଂସ୍ଥାମାନଙ୍କୁ ନିମନ୍ତ୍ରଣ କରିବା ସହ ସେମାନେ ରାଜ୍ୟ ପକ୍ଷରୁ କି କି ସୁବିଧା ସୁଯୋଗ ପାଇପାରିବେ ତାହା ଉଲ୍ଲେଖ କରିଥିଲେ। ଆହୁରି ମଧ୍ୟ,ଶିଳ୍ପପତି ମାନେ ଓଡ଼ିଶା ସହିତ ଦୀର୍ଘସ୍ଥାୟୀ ସମ୍ପର୍କ ସ୍ଥାପନ ପାଇଁ ଆହ୍ୱାନ ଦେଇଥିଲେ ଓ ଏହା ସ୍ୱାଭାବିକ। ଶିଳ୍ପ ପ୍ରତିଷ୍ଠାନ ପାଇଁ ଓଡ଼ିଶା ସରକାର ଯେଉଁ ସବୁ ସୁବିଧା ସୁଯୋଗ ଦେଉଛନ୍ତି ତାହା ହୁଏତ ଅନ୍ୟ ରାଜ୍ୟରେ ନାହିଁ। ବିଶେଷ କରି ପୂର୍ବ ଭାରତର ରାଜ୍ୟମାନଙ୍କ ମଧ୍ୟରେ ଓଡ଼ିଶା ଏବେ ଅଗ୍ରଣୀ। ଓଡ଼ିଶାରେ ଉପଲବ୍ଧ ସବୁ ସମ୍ବଳ – ପ୍ରାକୃତିକ ଓ ମାନବିକ – ରହିଛି ତାହାକୁ ଉପଯୋଗ କରିବା ପାଇଁ ହେଲେ ଯେଉଁ ଭଳି ଅନୁକୂଳ ପରିବେଶ ସୃଷ୍ଟି ହେବା ଦରକାର ଓଡ଼ିଶା ସରକାର ସେଥିରେ ବେଶ୍ ମନୋନିବେଶ କରି ଆସିଛନ୍ତି। କନକ୍ଲେଭ ପୂର୍ବରୁ ବିଗତ ଦୁଇ ବର୍ଷ ଧରି ନୀତି ସ୍ତରରେ, ପ୍ରଚାର ଓ ପ୍ରସାର ସ୍ତରରେ ଯାହା ପଦକ୍ଷପ ନିଆଯାଇଛି ତାହା ଅତ୍ୟନ୍ତ ତାତ୍ପର୍ଯ୍ୟପୂର୍ଣ୍ଣ। ଦେଶର ବଡ଼ ବଡ଼ ସହର ବ୍ୟତୀତ ବିଦେଶରେ ମଧ୍ୟ ରୋଡ଼ ଶୋ ମାନ କରାଯାଇଥିଲା ଯାହାର ଫଳ ଏହି ବିରାଟ ସମ୍ମେଳନ।

ଭିଜନ -୨୦୨୫

ଏହି ବ୍ୟବସାୟିକ ମେଳଣର ଅନ୍ୟ ଏକ ବିଶେଷତ୍ୱ ହେଉଛି ବିଶ୍ୱର ବିଭିନ୍ନ ଦେଶରୁ ପ୍ରତିନିଧିମାନେ ଯୋଗ ଦେଇଛନ୍ତି। ଏଥର କନକ୍ଲେଭରେ ଜାପାନ ଉପରେ ଗୁରୁତ୍ୱ ଆରୋପ କରାଯାଉଛି।

‘ଭିଜନ – ୨୦୨୫’ ଅନ୍ତର୍ଗତ ଛଅଟି ସେକ୍ଟରକୁ ଗୁରୁତ୍ୱ ଦେଇଛନ୍ତି ଓଡ଼ିଶା ସରକାର। ଆଗାମୀ ୪ ଦିନରେ କେତେ ପରିମାଣରେ ପୁଞ୍ଜି ବିନିଯୋଗ ପ୍ରତିଶ୍ରୁତି ମିଳୁଛି ତାହା ଦେଖିବାର କଥା। ସରକାରଙ୍କ ପକ୍ଷରୁ ଆଶା କରାଯାଉଛି ତିନି ଲକ୍ଷ କୋଟି ଟଙ୍କାର ଚୁକ୍ତି ସ୍ୱାକ୍ଷରିତ ହେବ। ସତ କହିଲେ, ୨୦୧୯ ନିର୍ବାଚନ ପୂର୍ବରୁ ଏହି କନକ୍ଲେଭ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଇଁ ବ୍ୟକ୍ତିଗତ ଭାବେ ଅନେକ ମାନେ ରଖୁଛି। ପୋସ୍କୋ ଓ ମିତ୍ତଲ ଆଦି କମ୍ପାନି ଚାଲିଯିବା ପରେ ଓଡ଼ିଶାର ଶିଳ୍ପାୟନ ନକ୍ସାକୁ ପୂରାପୂରି ବଦଳାଇବା ପାଇଁ ତାଙ୍କର ଏହି ଉଦ୍ୟମ ଏକ ବଡ଼ ଗତିରୋଧକୁ ଦୂର କରିବ ବୋଲି ଆଶା କରାଯାଉଛି।

Comment