ଓଡ଼ିଶାଲାଇଭ୍‌ ବ୍ୟୁରୋ

ଓଡ଼ିଶାରେ ଶିଳ୍ପ ବିକାଶ କରିବା ପାଇଁ ବଡ଼ ବଡ଼ ଶିଳ୍ପପତି ଦେଖାଇଛନ୍ତି ଆଗ୍ରହ।

ଓଡ଼ିଶାରେ ପୁଞ୍ଜି ଖଟାଇବା ପାଇଁ ଦେଶର ବଡ଼ ବଡ଼ ଶିଳ୍ପପତି ଆଗ୍ରହ ଦେଖାଇଛନ୍ତି। ରିଲାଏନ୍ସ, ଜେଏସ୍‌ଡବ୍ଲ୍ୟୁ, ଜେଏସ୍‌ପିଏଲ୍, ଟାଟା, ବେଦାନ୍ତ ଓ ବିର୍ଲା ଆଗାମୀ ଦୁଇରୁ ତିନି ବର୍ଷ ଭିତରେ ପୁଞ୍ଜି ଖଟାଇବାକୁ ‘ମେକ୍ ଇନ୍ ଓଡ଼ିଶା କନକ୍ଲେଭ’ ମଞ୍ଚରୁ ଘୋଷଣା କରିଛନ୍ତି।

ରବିବାରଠାରୁ ମେକ୍ ଇନ୍ ଓଡ଼ିଶା କନକ୍ଲେଭର ଦ୍ୱିତୀୟ ସଂସ୍କରଣ ଶୁଭାରମ୍ଭ ହୋଇଛି। ଏହାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଥିଲେ। ପ୍ରଥମ ଦିନ ପରେ ସୋମବାର ଓଡ଼ିଶାରେ ଶିଳ୍ପ ପ୍ରତିଷ୍ଠାକୁ ନେଇ ଆରମ୍ଭ ହୋଇଥିଲା ମାନସମନ୍ଥନ। ସୋମବାର ପୂର୍ବାହ୍ଣ ସାଢ଼େ ୧୦ଟାରୁ ଆରମ୍ଭ ହୋଇଥିବା ‘ବିଜିନେସ୍ ଲିଡରସିପ୍ ସମିଟ୍’ରେ ଦେଶର ବଡ଼ ବଡ଼ ଏବଂ ପ୍ରତିଷ୍ଠିତ ଶିଳ୍ପପତି ଯୋଗଦେଇ ଓଡ଼ିଶାରେ ଶିଳ୍ପ ବିକାଶ କରିବା ପାଇଁ ଆଗ୍ରହ ପ୍ରକାଶ କରିଥିଲେ।

ରିଲାଏନ୍ସ ନିବେଶ କରିବ ୩ ହଜାର କୋଟି

‘ବିଜିନେସ୍ ଲିଡରସିପ୍‌ ସମିଟ୍‌’ରେ ମୁଖ୍ୟ ଆକର୍ଷଣ ଥିଲେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ମୁଖ୍ୟ ମୁକେଶ ଅମ୍ବାନୀ। ଅମ୍ବାନୀ ଓଡ଼ିଶାରେ କେତେ ଟଙ୍କା ପୁଞ୍ଜି ଖଟାଇବେ ତା’ ଉପରେ ରହିଥିଲା ସମସ୍ତଙ୍କର ନଜର। ଶେଷରେ ଅମ୍ବାନୀ ମେକ୍ ଇନ୍ ଓଡ଼ିଶା କନକ୍ଲେଭ ମଞ୍ଚରେ ବଡ଼ ଘୋଷଣା କରିଥିଲେ।

ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ ଓଡ଼ିଶାରେ ୩ ହଜାର କୋଟି ଟଙ୍କା ନିବେଶ କରିବ ବୋଲି ଅମ୍ବାନୀ ଘୋଷଣା କରିଥିଲେ।

“ଜିଓ ଜରିଆରେ ଓଡ଼ିଶାରେ ପୂର୍ବରୁ ୬ ହଜାର କୋଟି ଟଙ୍କା ନିବେଶ ହୋଇଛି। ଆଗକୁ ୩ ହଜାର କୋଟି ନିବେଶ କରାଯିବ। ଓଡ଼ିଶାରେ ରିଲାଏନ୍ସ ଜିଓ ପ୍ରୋଜେକ୍ଟ ଦ୍ୱାରା ୩୦ ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି କରାଯାଇଛି”, କହିଛନ୍ତି ମୁକେଶ ଅମ୍ବାନୀ।

ଜେଏସ୍‌ପିଏଲ୍‌ ନିବେଶ କରିବ ୫୦ ହଜାର କୋଟି

ଖାଲି ସେତିକି ନୁହେଁ, ଶିଳ୍ପ କ୍ଷେତ୍ରରେ ଓଡ଼ିଶାର ଅଗ୍ରଗତିକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଶଂସା କରିଥିଲେ।

ସେହିପରି ଜେଏସ୍‌ପିଏଲ୍ କମ୍ପାନି ମୁଖ୍ୟ ନବୀନ ଜିନ୍ଦଲ ମଧ୍ୟ ବଡ଼ ଘୋଷଣା କରିଛନ୍ତି। ୨୦୩୦ ସୁଦ୍ଧା ଅନୁଗୋଳ ପ୍ଲାଣ୍ଟରୁ ୨୦ ମିଲିୟନ ଟନ୍ ଇସ୍ପାତ ଉତ୍ପାଦନ କରିବାର ଲକ୍ଷ୍ୟ ରହିଥିବା ସେ ଘୋଷଣା କରିଥିଲେ। ଏଥିପାଇଁ ୧ ଲକ୍ଷ କୋଟି ଟଙ୍କା ପୁଞ୍ଜି ନିବେଶ ଏବଂ ୧ ଲକ୍ଷ ଲୋକଙ୍କୁ ନିଯୁକ୍ତି ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି ନବୀନ ଜିନ୍ଦଲ।

ବର୍ତ୍ତମାନ ଏହି ପ୍ଲାଣ୍ଟରୁ ବାର୍ଷିକ ୬ ମିଲିୟନ ଟନ୍ ଇସ୍ପାତ ଉତ୍ପାଦନ ହେଉଛି।

ପାରାଦୀପରେ ମଡର୍ଣ୍ଣ ଷ୍ଟିଲ ପ୍ଲାଣ୍ଟ

ଅନ୍ୟତମ ଶିଳ୍ପପତି ତଥା ଜେଏସ୍‌ଡବ୍ଲ୍ୟୁ ମୁଖ୍ୟ ସଜ୍ଜନ ଜିନ୍ଦଲ ପାରାଦୀପରେ ବୃହତ ମଡର୍ଣ୍ଣ ଷ୍ଟିଲ ପ୍ଲାଣ୍ଟ କରିବାକୁ ଘୋଷଣା କରିଛନ୍ତି। ସେ ଏହି ପ୍ରକଳ୍ପ ପାଇଁ କେତେ ପୁଞ୍ଜି ଖଟାଇବେ ତାହା ଘୋଷଣା କରି ନାହାନ୍ତି।

ଦୁଇ ବର୍ଷରେ ୨ ବିଲିୟନ ଡଲାର ଖଟାଇବ ବିର୍ଲା

ବିଜିନେସ୍ ଲିଡରସିପ୍ ସମିଟ୍‌ରେ ଭାଗନେଇ ବିର୍ଲା ଗ୍ରୁପ୍ ଅଫ୍ ଇଣ୍ଡଷ୍ଟ୍ରିର ଅଧ୍ୟକ୍ଷ କୁମାର ମଙ୍ଗଲମ୍ ବିର୍ଲା ମଧ୍ୟ ଓଡ଼ିଶାରେ ଅଧିକ ପୁଞ୍ଜି ଖଟାଇବାକୁ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ ଦୁଇ ବର୍ଷରେ ବିର୍ଲା ଓଡ଼ିଶାରେ ୨ ବିଲିୟନ ଡଲାର ନିବେଶ କରିବ।

ଏହାଛଡ଼ା ବିର୍ଲା ଓଡ଼ିଶା ଏବଂ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସା କରିଛନ୍ତି। ତାରକସୀ କାମ, ପିପିଲି ଚାନ୍ଦୁଆ ଓ ଐତିହାସିକ ବାଲିଯାତ୍ରା କଥା ମଧ୍ୟ କହିଛନ୍ତି।  ପୁରୀ ଜଗନ୍ନାଥ ମନ୍ଦିର ଓ କୋଣାର୍କ ମନ୍ଦିର କଳାକୃତିକୁ ମଧ୍ୟ ବେଶ୍ ପ୍ରଶଂସା କରିଛନ୍ତି।

ଟାଟା ସନ୍ସ ଖଟାଇବ ୨୫ ହଜାର କୋଟି

ଟାଟା ମଧ୍ୟ ଯାଜପୁର ଜିଲ୍ଲା କଳିଙ୍ଗନଗରରେ ନିଜର ଉତ୍ପାଦନ କ୍ଷମତାକୁ ବୃଦ୍ଧି କରିବା ପାଇଁ ଘୋଷଣା କରିଛି। ଏହି କମ୍ପାନି ଓଡ଼ିଶାରେ ୭୫ ହଜାର କୋଟି ଟଙ୍କା ନିବେଶ କରି ସାରିଥିବା ବେଳେ ଆଉ ୨୫ ହଜାର କୋଟି ଟଙ୍କା ନିବେଶ କରିବାକୁ ଘୋଷଣା କରିଛି।

ସେହିପରି ବେଦାନ୍ତ କମ୍ପାନି ମୁଖ୍ୟ ଅନିଲ ଅଗ୍ରୱାଲ ମଧ୍ୟ ପୁରୀରେ ବେଦାନ୍ତ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରିବାକୁ ଅପେକ୍ଷା କରିଛନ୍ତି। ରାଜ୍ୟ ସରକାର ସବୁଜ ସଙ୍କେତ ଦେଲେ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ହେବ ବୋଲି ସେ କହିଛନ୍ତି। ଏହାଛଡ଼ା ବେଦାନ୍ତ ଓଡ଼ିଶାରେ ବର୍ତ୍ତମାନ ସୁଦ୍ଧା ୧ ବିଲିୟନ ଡଲାର ନିବେଶ କରିଥିବା ସେ କହିଛନ୍ତି।

୫୫୦ କୋଟି ନିବେଶ କରିବ ଆଇଟିସି

ଓଡ଼ିଶାରେ ଖାଦ୍ୟ ପ୍ରକ୍ରିୟାକରଣ ପ୍ଲାଣ୍ଟକୁ ଗୁରୁତ୍ୱ ଦେଉଛନ୍ତି ରାଜ୍ୟ ସରକାର। ଖୋର୍ଦ୍ଧାସ୍ଥିତ ପ୍ଲାଣ୍ଟରେ ଆଇଟିସି ୫୫୦ କୋଟି ଟଙ୍କା ନିବେଶ କରିବାକୁ ଘୋଷଣା କରିଛି। ଆଗାମୀ ୩ରୁ ୫ ବର୍ଷ ଭିତରେ ଏହି କମ୍ପାନି ପୁଞ୍ଜି ନିବେଶ କରିବ।

ସେହିପରି ବ୍ରିଟାନିଆ କମ୍ପାନି ମଧ୍ୟ ଖୋର୍ଦ୍ଧାରେ ୬୦ କୋଟି ଟଙ୍କା ଖର୍ଚ୍ଚ କରିବାକୁ ଘୋଷଣା କରିଛି। ଏହାସହ ଓଡ଼ିଶାର ଆଉ ୫ଟି ସ୍ଥାନରେ ମ୍ୟାଙ୍ଗୋ ହୋଟେଲ ନିର୍ମାଣ ହେବ।

Comment