ଓଡ଼ିଶାଲାଇଭ୍‌ ବ୍ୟୁରୋ

୫ଟି ଘଟଣା ପାଇଁ ସବୁବେଳେ ମନେ ରହିବେ ଅନନ୍ତ କୁମାର।

ମୋଦି କ୍ୟାବିନେଟର ସଂସଦୀୟ ବ୍ୟାପାର ମନ୍ତ୍ରୀ ଅନନ୍ତ କୁମାରଙ୍କ ଆଜି ପରଲୋକ ହୋଇଛି। ବେଙ୍ଗାଳୁରୁରେ ଚିକିତ୍ସାଧୀନ ଅବସ୍ଥାରେ ୫୯ ବର୍ଷ ବୟସରେ ଦେହାନ୍ତ ଘଟିଛି। କ୍ୟାନସର ରୋଗରେ ପୀଡ଼ିତ ଥିବା ଅନନ୍ତ କୁମାର ପୂର୍ବରୁ ଆମେରିକା ଓ ବ୍ରିଟେନରେ ଚିକିତ୍ସିତ ହୋଇ ଫେରିଥିଲେ।

ସଂସଦୀୟ ବ୍ୟାପାର ମନ୍ତ୍ରୀ ଥିବା ଅନନ୍ତ କୁମାର ସାର ଓ ରସାୟନ ମନ୍ତ୍ରାଳୟ ଭାର ସମ୍ଭାଳି ଥିଲେ। ଅଖିଳ ଭାରତୀୟ ପରିଷଦରୁ ଏକ ଦକ୍ଷ ରାଜନେତା ବନିବା ପରେ ୧୯୮୭ରେ ବିଜେପିରେ ସାମିଲ ହୋଇଥିଲେ।

୧୯୯୬ରେ ଜିତିଥିଲେ ପ୍ରଥମ ନିର୍ବାଚନ

ବେଙ୍ଗାଳୁରର ଏକ ମଧ୍ୟବିତ୍ତ ବ୍ରାହ୍ମଣ ପରିବାରରେ ଅନନ୍ତ କୁମାରଙ୍କ ଜନ୍ମ। ଲୋକସଭାକୁ ୬ ଥର ସାଂସଦ ଭାବେ ନିର୍ବାଚିତ ହୋଇଥିଲେ। ପ୍ରଥମ ଥର ପାଇଁ ୧୯୯୬ରେ ନିର୍ବାଚନ ଲଢ଼ିଥିଲେ ଏବଂ ଦକ୍ଷିଣ ବେଙ୍ଗାଳୁରୁ ଲୋକସଭା ଆସନରୁ କଂଗ୍ରେସର ବିଜି ରାଓଙ୍କୁ ହରାଇଥିଲେ।

ସେବେଠୁ ବର୍ତ୍ତମାନ ଯାଏଁ ଗୋଟିଏ ନିର୍ବାଚନ ବି ହାରିନାହାନ୍ତି ଅନନ୍ତ କୁମାର। ୧୯୯୮ରେ ହୋଇଥିବା ନିର୍ବାଚନ ପରେ ଅନନ୍ତ କୁମାର ବାଜପେୟୀ ସରକାରରେ ମନ୍ତ୍ରୀ ହୋଇଥିଲେ। ସବୁଠୁ କମ୍ ବୟସର ଯୁବ ନେତା ଭାବେ କେନ୍ଦମନ୍ତ୍ରୀ ଦାୟିତ୍ୱ ନେଇଥିଲେ।

ଅନନ୍ତ କୁମାରଙ୍କୁ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ପଦ ମିଳିଥିଲା। ୧୯୯୯ କର୍ଣ୍ଣାଟକ ନିର୍ବାଚନରେ ବିଜେପିର ବିଜୟରେ ମଧ୍ୟ ମୁଖ୍ୟ ସୂତ୍ରଧର ଥିଲେ।

ଏହି ୫ଟି କାରଣ ପାଇଁ ସବୁବେଳେ ମନେ ରହିବେ ଅନନ୍ତ

ପ୍ରଥମ ଡିଜିଟାଲ ରାଜନେତା: ନିର୍ବାଚନ ପ୍ରଚାର ପାଇଁ ଆଜି ସୋସିଆଲ ମିଡିଆ ମୁଖ୍ୟ ଭୂମିକା ଗ୍ରହଣ କରିଛି। ୧୯୯୮ ମସିହାରେ ଡିଜିଟାଲ ଦୁନିଆର କ୍ଷମତା କ’ଣ ସର୍ବପ୍ରଥମେ ଅନନ୍ତ କୁମାର ହିଁ ଚିହ୍ନି ପାରିଥିଲେ। ସେ ସମୟରେ ଅନନ୍ତ କୁମାର ପ୍ରଥମ ଭାରତୀୟ ରାଜନେତା ଥିଲେ ଯିଏ କି ନିଜର ୱେବସାଇଟ୍ ଲଞ୍ଚ କରିଥିଲେ।

ଜିଏସଟି : ଗୁଡ୍ସ ଆଣ୍ଡ ସର୍ଭିସ ଟ୍ୟାକ୍ସ (ଜିଏସଟି) ବିଲକୁ ସଂସଦରେ ପାସ କରିବା ନେଇ ବିଜେପି ଓ ବିରୋଧୀଙ୍କ ମଧ୍ୟରେ ବିବାଦ ଦେଖାଦେଇଥିଲା। ରାଜ୍ୟସଭାରେ ଏହି ବିଧେୟକକୁ ପାସ୍ କରିବା ପାଇଁ ବିଜେପି ନିକଟରେ ପୂର୍ଣ୍ଣ ବହୁମତ ନଥିଲା। ସଂସଦୀୟ ମନ୍ତ୍ରୀ ହେବା ପରେ ଅନନ୍ତ କୁମାର ହିଁ ଦଳର ବିଧେୟକକୁ ପାସ୍ କରିବା ପାଇଁ ଅଧିକ ସଂଖ୍ୟକ ସମର୍ଥନ ଯୋଗାଡ଼ କରିଥିଲେ।

ସ୍ୱାସ୍ଥ୍ୟ କ୍ଷେତ୍ର:  ସାର ଓ ରସାୟନ ମନ୍ତ୍ରାଳୟ ଦ୍ୱାରା ନିଆଯାଇଥିବା ଦୁଇଟି ନିଷ୍ପତ୍ତି ହାର୍ଟ ଏବଂ ଆଣ୍ଠୁ ରୋଗରେ ପୀଡ଼ିତ ଲୋକଙ୍କ ପାଇଁ ଲାଭାନିତ୍ୱ କରିବ। ହୃଦରୋଗ ପରୀକ୍ଷଣ ମୂଲ୍ୟରେ ୮୫ ପ୍ରତିଶତ ଏବଂ ଆଣ୍ଠୁ ପ୍ରତ୍ୟାରୋପଣ ମୂଲ୍ୟରେ ୭୦ ପ୍ରତିଶତ ପର୍ଯ୍ୟନ୍ତ ମୂଲ୍ୟ ହ୍ରାସ କରିଥିଲେ।

ନିମ୍ କୋଟେଡ୍ ୟୁରିଆ : ପ୍ରଧାନମନ୍ତ୍ରୀ ମୋଦି ନିଜର ବହୁ ସଭାରେ ନିମ୍ କୋଟେଡ୍ ୟୁରିଆ ସାର କଥା ଉଠାଇଛନ୍ତି। ଅନନ୍ତ କୁମାରଙ୍କ ମନ୍ତ୍ରଣାଳୟ ହିଁ ୟୁରିଆରେ ଶହେ ପ୍ରତିଶତ ନିମ୍ କୋଟେଡ୍ କରିବା ପାଇଁ ନିଷ୍ପତ୍ତି ନେଇଥିଲା। ୟୁରିଆର ଚୋରା କାରବାର ବନ୍ଦ ସହ ୧୦ ହଜାର କୋଟି ଟଙ୍କା ସଂଚୟ ହୋଇଥିବା ସରକାର ଦାବି କରିଛନ୍ତି।

ସୁବିଧା କ୍ୟାମ୍ପେନ: ଅନନ୍ତ କୁମାର  ‘ସୁବିଧା କ୍ୟାମ୍ପେନ’ର ଲଞ୍ଚ୍ କରିଥିଲେ। ଦୁଇ ଶହ ଟଙ୍କାରେ ମହିଳାଙ୍କୁ ବାୟୋ ଡିଗ୍ରେଡେବଲ ସାନିଟାରୀ ନାପକିନ୍ ଯୋଗାଇ ଦେବା ଏହାର ଲକ୍ଷ୍ୟ ଥିଲା। ଏହି କାର୍ଯ୍ୟକ୍ରମ ଚଳିତ ବର୍ଷ ଜୁନରେ ଲଞ୍ଚ୍ ହୋଇଥିଲା।

Comment