ଓଡ଼ିଶାଲାଇଭ୍ ବ୍ୟୁରୋ

ମଦ ପିଇବାପରେ ମଣିଷ ନିଜର ହିତାହିତ ଜ୍ଞାନ ହରାଇ ବସେ, ଆଉ ନିଶାଶକ୍ତ ହେବାପରେ ସେ ପିଶାଚ ପାଲଟିଯାଏ ତାହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି କେନ୍ଦ୍ରପଡ଼ା ଜିଲ୍ଲାରେ।

ଘଟଣାଟି ଯେତିକି ବିଭତ୍ସ ସେତିକି ହୃଦୟ ବିଦାରକ। କେନ୍ଦ୍ରାପଡ଼ା ଜିଲାର ପାଟକୁରା ଥାନା ଅନ୍ତର୍ଗତ ମଧୁସୂଦନପୁର ଗାଁରେ ଶନିବାର ବିଳମ୍ବିତ ରାତିରେ ଘଟିଛି ଏହି ଘଟଣା। ଗାଁର ଜଣେ ଯୁବକ ନିଶାଶକ୍ତ ଅବସ୍ଥାରେ ନିଜ ପରିବାରର ୩ ଜଣଙ୍କୁ ହତ୍ୟା କରିବା ପରେ ନିଜ ମା’କୁ ହତ୍ୟା କରିବା ପାଇଁ ଚେଷ୍ଟା କରିଛି।

ଶନିବାର ରାତି ପ୍ରାୟ ସାଢେ ଦଶଟା। ମାର୍ଶାଘାଇ ବ୍ଲକ ମଙ୍ଗରାଜପୁର ପଞ୍ଚାୟତର ମଧୁସୂଦନପୁର ଗାଁର ଅକ୍ଷୟ ଦାସଙ୍କ ବଡପୁଅ ବିକ୍ରମ ନିଶାଶକ୍ତ ଅବସ୍ଥାରେ ଘରେ ପହଞ୍ଚି ନିଜ ସ୍ତ୍ରୀଙ୍କୁ ପିଟିବା ଆରମ୍ଭ କରିଥିଲେ। ବିକ୍ରମଙ୍କ ବାପା ଓ ମା’ ତାଙ୍କୁ ଅଟକାଇବାକୁ ଚେଷ୍ଟା କରିଥିବାବେଳେ ବିକ୍ରମ ସେମାନଙ୍କୁ ଏକ କାଠ ଫାଳିଆରେ ପିଟିବା ଆରମ୍ଭ କରିଦେଇଥିଲା। ଜୀବନ ବଞ୍ଚାଇବାକୁ ଅକ୍ଷୟଙ୍କ ବାପା ନିଜ ଘରୁ ବାହାରି ପାଖଘରେ ରହୁଥିବା ନିଜ ଭାଇଙ୍କ ଘରକୁ ପସି ଯାଇଥିଲେ। କୌଶଳ କ୍ରମେ ଅକ୍ଷୟ ବାହାରି ଆସିବା ପରେ ବିକ୍ରମଙ୍କ ହାବୁଡ଼ରେ ପଡ଼ିଗଲେ ୭୫ ବର୍ଷିୟ ଅକ୍ଷୟଙ୍କ ଦାଦା ଧୃବ ଦାସ, ୭୦ ବର୍ଷିୟା ସରସ୍ୱତୀ ଦାସ, ଯିଏକି ସମ୍ପର୍କରେ ଅକ୍ଷୟଙ୍କ ଆଇ ଓ ୪୫ ବର୍ଷିୟା ପିଉସୀ ପ୍ରତିମା ଦାସ। ଗୋଟିଏ ଘର ମଧ୍ୟରେ ଶୋଇଥିବା ଏହି ତିନିଜଣଙ୍କୁ ଅତି ନିର୍ମମ ଭାବରେ ଏକ କାଠ ଫାଳିଆରେ ପିଟି ପିଟି ରକ୍ତାକ୍ତ କରିଦେଲା ନିଶାସକ୍ତ ବିକ୍ରମ।

ପାଟି ଶୁଣି ପାଖ ପଡୋଶୀମାନେ ରୁଣ୍ଡ ହେବାକୁ ଲାଗିଲେ ଓ ଗୁରୁତର ଆହତ ୪ ଜଣଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଡାକ୍ତରଖାନାରେ ପହଞ୍ଚିବା ବେଳକୁ ଧୃବ ଓ ତାଙ୍କ ପତ୍ନି ସରସ୍ୱତୀଙ୍କର ମୃତ୍ୟୁ ହୋଇ ସାରିଥିଲା। ପ୍ରତିମା ଓ ବିକ୍ରମଙ୍କ ମା’ କେତକୀଙ୍କର ଅବସ୍ଥା ସଂକଟାପନ୍ନ ଥିବାରୁ ସେମାନଙ୍କୁ କଟକ ବଡ଼ମେଡିକାଲ ସ୍ଥାନାନ୍ତରିତ କରାଯାଇଥିଲା, କିନ୍ତୁ ଦୁର୍ଭାଗ୍ୟବଶତଃ

ଅଧାବାଟରେ କେତକୀଙ୍କର ମୃତ୍ୟୁ ଘଟିଥିଲା। ଗୁରୁତର ଆହତ ମା’ ପ୍ରତିମା କଟକ ବଡ଼ ଡାକ୍ତରଖାନାରେ ମୃତ୍ୟୁ ସହିତ ସଂଗ୍ରାମ କରୁଛନ୍ତି। ପାଟକୁରା ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିଛନ୍ତି। ଘଟଣାର ମୁଖ୍ୟ ଅଭିଯୁକ୍ତ ବିକ୍ରମକୁ ଗିରଫ କରିଛି ପୋଲିସ।

ବିକ୍ରମ ପେସାରେ ଜଣେ ଟ୍ରାକ୍ଟର ଡ୍ରାଇଭର। ଯାହା ରୋଜଗାର କରେ ତାକୁ  ମଦ ପିଇ ସାରିଦିଅନ୍ତି। ଆଉ ନିଶାରେ ଟଳିଟଳି ଘରକୁ ଫେରିବା ପରେ ଘରେ ପ୍ରାୟ ସବୁ ଦିନ ବାପା ମା’ ଓ ସ୍ତ୍ରୀଙ୍କ ଉପରେ ଅତ୍ୟାଚାର କରିଥାନ୍ତି। ପୂର୍ବରୁ ବହୁ ଥର ବିକ୍ରମର ମାଡ଼ରେ ଆହତ ହୋଇଛନ୍ତି ବାପା ମା’ ଓ ସ୍ତ୍ରୀ। ଏ ସମ୍ପର୍କରେ ମଧ୍ୟ ପାଟକୁରା ଥାନାରେ ପୁଅ ବିରୋଧରେ ମାମଲା କରିଥିଲେ ବାପା ଅକ୍ଷୟ। ପାରିବାରିକ  ଗଣ୍ଡଗୋଳକୁ ଅଧିକ ନ ବଢାଇବାପାଇଁ ଥାନାରେ ବୁଝାସୁଝା କରି ଗ୍ରାମବାସୀମାନେ ବିକ୍ରମକୁ ବହୁ ଥର ଥାନାରୁ ଆଣିଥିଲେ।

Comment