ଓଡ଼ିଶାଲାଇଭ୍ ବ୍ୟୁରୋ

ମହମଦଙ୍କ ଜୟନ୍ତୀ ପାଳନ କଲେ କେନ୍ଦ୍ରପଡ଼ାର ହଜାର ହଜାର ମୁସଲମାନ ଶ୍ରଦ୍ଧାଳୁ।

ପରଷ୍ପର ମଧ୍ୟରେ ସ୍ନେହ ଶ୍ରଦ୍ଧା ଓ ଭଲପାଇବାର ବାର୍ତ୍ତା ଦେଇଥିଲେ ମହମ୍ମଦ। ସେହି ପରମ ପ୍ରେମମୟ ମହମ୍ମଦଙ୍କ ପ୍ରେମରେ ବୁଧବାର କେନ୍ଦ୍ରାପଡ଼ାର ହଜାର ହଜାର ମୁସଲମାନ ଶ୍ରଦ୍ଧାଳୁ ମତୁଆଲା ହୋଇଛନ୍ତି। ସାରା କେନ୍ଦ୍ରାପଡ଼ା ସହରରେ କରିଛନ୍ତି ତାଜିଆ ଶୋଭାଯାତ୍ରା।

କେନ୍ଦ୍ରାପଡ଼ା ସହରରେ ବୁଧବାର ମହାଆଡ଼ମ୍ବରରେ ଅନୁଷ୍ଠିତ ହୋଇଛି ପ୍ରଫେଟ ମହମ୍ମଦଙ୍କ ଜନ୍ମ ଜୟନ୍ତୀ। ପବିତ୍ର ଧାମ ମକ୍କାରେ ସେହି ପରମ କାରୁଣିକ ପ୍ରଫେଟ ମହମ୍ମଦ ଆଜିର ଦିନରେ ଜନ୍ମ ଗ୍ରହଣ କରିଥିଲେ। ମୁସଲମାନ ଧର୍ମର ସୁନ୍ନି ସମ୍ପ୍ରଦାୟର ମୁସଲମାନମାନେ ଏହି ପବିତ୍ର ଦିନକୁ ଧୁମ୍ ଧାମରେ ପାଳନ କରିଛନ୍ତି।

ଏହି ଅବସରରେ ବୁଧବାର କେନ୍ଦ୍ରାପଡ଼ା ହାଇସ୍କୁଲ ପଡ଼ିଆରୁ ଆରମ୍ଭ ହୋଇଥିଲା ତାଜିଆ ଶୋଭାଯାତ୍ରା। କେନ୍ଦ୍ରାପଡ଼ା ସହର ତଥା ଆଖପାଖ ଅଞ୍ଚଳ ନାଗେଶ୍ୱରପୁର, ଦୁହୁରିଆ, ଗରାପୁର, ରଣପଡ଼ା, ଡୟୀପୁରା, କୁମ୍ଭାରିଆ, ଦିଲାରପୁର, ଇମାମବାଡା, ଇଦଘାମହଲା, ମନକରପୁର, ଖଡ଼ିଅଙ୍ଗ, ବଡ଼ହାଟ, କଜଳା, ପୋଷ୍ଟ ଅଫିସ ଲେନ୍, କନିଆଯୋର, ଜେଲରୋଡ ଆଦି ଅଞ୍ଚଳର ହଜାର ହଜାର ଶ୍ରଦ୍ଧାଳୁ ଯୋଗ ଦେଇଥିଲେ। ମହମ୍ମଦଙ୍କ ଉଦ୍ଦେଶ୍ୟରେ ନିର୍ମିତ ମୋଟ ୨୧ଟି ତାଜିଆ ଏହି ବିଶାଳ ଶୋଭାଯାତ୍ରାରେ ସାମିଲ ହୋଇଥିଲେ। ତାଜିଆ ଶୋଭାଯାତ୍ରା କେନ୍ଦ୍ରାପଡ଼ା ହାଇସ୍କୁଲ ପଡ଼ିଆରୁ ବାହାରି ସାରା ସହର ପରିକ୍ରମା କରି ନୂଆ ଇଦଘା ପଡ଼ିଆ ପର୍ଯ୍ୟନ୍ତ ଯାଇଥିଲା।

“୨୦୦୦ ମସିହାରୁ ସହରର ନବି କମିଟି ଦ୍ବାରା ଅନୁଷ୍ଠିତ ହୋଇ ଆସୁଛି ମହମ୍ମଦ ଜୟନ୍ତୀ”, କହିଛନ୍ତି କମିଟିର ସଭାପତି ସେକ ତଜମୁଲ ହୁସେନ। ତଜମୁଲ ହୁସେନଙ୍କ ପୌରହିତ୍ୟରେ ଅନୁଷ୍ଠିତ ଧର୍ମ ସଭାରେ ମୌଲାନା ହାପିକ କମାଲୁଦ୍ଦିନ୍ ହବିବ୍ , ମୌଲାନା ଗୁଲାମ ମହମଦ୍, ମୌଲାନା ଫକିରୁଦ୍ଦିନ ଆସି, ମୌଲାନା ଫୈଜୁଲ ହବିବ୍, ଜୁମା ମସଜିଦର ଇମାମ୍ ପ୍ରମୁଖ ଏକ ଧର୍ମ ସଭାରେ ଯୋଗ ଦେଇ ପ୍ରଫେଟ ମହମ୍ମଦଙ୍କ ଧର୍ମୀୟ ବାଣୀ ଆଲୋଚନା କରିଥିଲେ।

ହଜାର ହଜାର ଶ୍ରଦ୍ଧାଳୁଙ୍କର ଏହି ସମାବେଶକୁ ମୁସଲମାନ ସାହି ବସ୍ତିର ମୁରବି ମୁକ୍ତାର ଖାଁ, ଗୟାସୁଦ୍ଦିନ ଖାଁ, ସୟେଦ ଏସାନ ଅଲ୍ଲି, ହାଜି ଫାରୁକ, ଗୋଫ୍ରାନ, ଚନ୍ଦନ, ସେକ ରହେମତ୍ ପ୍ରମୁଖ ପରିଚାଳନା କରିଥିଲେ।

Comment