ଓଡ଼ିଶାଲାଇଭ୍ ବ୍ୟୁରୋ

ବାଲିଯାତ୍ରା କେମିତି ଚାଲିଛି?

‘ମୁଁ ଦହିବରା ଆଳୁଦମ ଖାଇକି ଯିବି’

କଟକ ହେଉଛି ଭାଇଚାରାର ସହର

ସବୁଠି ଭାଇଚାରା ରହିବା ଦରକାର

ଭାଇଚାରାର ସହର କଟକକୁ ଆସି ଏହି ମନ୍ତବ୍ୟ ଦେଇଛନ୍ତି ବଲିଉଡର ଭାଇଜାନ୍ ସଲମାନ ଖାନ୍।

କଳିଙ୍ଗ ଷ୍ଟାଡିୟମରେ ମଙ୍ଗଳବାର ହକି ପୁରୁଷ ବିଶ୍ୱକପ୍ ଉଦଘାଟନୀ ଉତ୍ସବରେ ବୁଧବାର ସନ୍ଧ୍ୟାରେ କଟକରେ ହୋଇଥିଲା ଦ୍ୱିତୀୟ ଉଦଘାଟନୀ ସମାରୋହ। ଏହି ସମାରୋହରେ ସାମିଲ ହୋଇଥିଲେ ସଲମାନ୍। ଭୁବନେଶ୍ୱର ଏୟାରପୋର୍ଟରେ ପହଞ୍ଚିବା ପରେ ସ୍ୱତନ୍ତ୍ର ଗାଡ଼ି ସଡ଼କ ପଥରେ କଟକ ଯାଇଥିଲେ ସଲମାନ୍। ବାରବାଟୀ ଷ୍ଟାଡିୟମରେ ଆୟୋଜିତ କାର୍ଯ୍ୟକ୍ରମରେ ସାମିଲ ହୋଇ ଦର୍ଶକମାନଙ୍କ ମନ ମୋହିଥିଲେ।

“କଟକ ହେଉଛି ଭାଇଚାରାର ସହର। ଏହି ସହରରେ ଯେମିତି ଭାଇଚାରା ରହିଛି ତାହା ସବୁଠି ରହିବା ଦରକାର। ମୁଁ ପ୍ରଥମ ଥର ପାଇଁ କଟକ ଆସିଛି। ମତେ ଯେଉଁ ଆତିଥ୍ୟ ପ୍ରଦାନ କରାଯାଇଛି ସେଥିରେ ମୁଁ ବହୁତ ଖୁସି। କଟକ ପ୍ରସିଦ୍ଧ ଦହିବରା ଆଳୁଦମ୍ ନିଶ୍ଚୟ ଖାଇବି। ହକି ବିଶ୍ଵକପ୍ ଆୟୋଜନ ଓଡ଼ିଶାରେ ହୋଇଥିବାରୁ ଓଡ଼ିଶାବାସୀ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ”, କହିଛନ୍ତି ସଲମାନ୍।

ସଲମାନ ବାରବାଟୀରେ ପହଞ୍ଚିବା ପରେ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା। ଷ୍ଟାଡିୟମ ପରିସର ଦର୍ଶକଙ୍କ କରତାଳିରେ ଫାଟି ପଡ଼ିଥିଲା। ମିଲେନିୟମ ସିଟି କଟକରେ ଏଭଳି ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦେଖି ଭାବବିହ୍ୱଳ ହୋଇଯାଇଥିଲେ ଭାଇଜାନ୍।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଉତ୍ସବରେ ଯୋଗ ଦେଇଥିଲେ। ମୁଖ୍ୟମନ୍ତ୍ରୀ ସଲମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ। କ୍ରୀଡ଼ାମନ୍ତ୍ରୀ ଚନ୍ଦ୍ରସାରଥୀ ବେହେରା, ବାରବାଟୀ-କଟକ ବିଧାୟକ ଦେବାଶିଷ ସାମନ୍ତରାୟ ମଧ୍ୟ ଉପସ୍ଥିତ ଥିଲେ।

ଏହି ସମାରୋହରେ ଓସ୍କାର ବିଜେତା ଏ ଆର ରେହମାନ ମଧ୍ୟ ଗୋଟିଏ ପରେ ଗୋଟିଏ ସଙ୍ଗୀତ ପରିବେଷଣ କରି ଦର୍ଶକଙ୍କୁ ଝୁମାଇଥିଲେ।

କଟକରେ ସଲମାନଙ୍କୁ ଦେଖିବା ପାଇଁ ଦର୍ଶକମାନଙ୍କ କ୍ରେଜ୍ ଦେଖିବାକୁ ମିଳିଥିଲା। ଷ୍ଟାଡିୟମ ଭିତରେ ଯେତିକି ଭିଡ଼ ବାହାରେ ମଧ୍ୟ ସେତିକି ଭିଡ଼ ଦେଖିବାକୁ ମିଳିଥିଲା।

Comment