ଓଡ଼ିଶାଲାଇଭ୍‌ ବ୍ୟୁରୋ

୨୭ରେ କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ହୋଇଥିଲା ହକି ବିଶ୍ୱକପ୍‌ର ଉଦ୍‌ଘାଟନୀ ଉତ୍ସବ। ଏଥିରେ ସାମିଲ୍‌ ହୋଇଥିଲେ ବଲିଉଡ ବାଦ୍‌ଶାହ ଶାହରୁଖ ଖାନ୍। ଭୁବନେଶ୍ୱର ଏୟାରପୋର୍ଟରେ ପହଞ୍ଚିବା ପରେ ସ୍ୱତନ୍ତ୍ର ଭ୍ୟାନିଟି ଭ୍ୟାନ୍‌ରେ ଷ୍ଟାଡିୟମରେ ପହଞ୍ଚିଥିଲେ।

ଶାହରୁଖ ପହଞ୍ଚିବା ପରେ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା। କରତାଳିରେ ଫାଟି ପଡ଼ିଥିଲା ଷ୍ଟାଡିୟମ୍‌।

ଫିଲ୍ମ ଷ୍ଟାଇଲ୍‌ରେ ଏଣ୍ଟ୍ରି କରିଥିଲେ ବଲିଉଡ ବାଦଶାହ। ଏକ ରଥରେ ସେ ଷ୍ଟାଡିୟମ୍‌ ଚାରିପଟେ ବୁଲିଥିଲେ। ଏହାପରେ ହକି ଷ୍ଟିକ୍‌ ଧରି ହକି ବିଶ୍ୱକପ୍‌ ମଞ୍ଚକୁ ଆସିଥିଲେ ବଲିଉଡ ବାଦ୍‌ଶାହ। ମଞ୍ଚ ଉପରେ ସବୁ ଦେଶର ହକି କ୍ୟାପଟେନ୍‌ମାନଙ୍କ ସହ ହାତ ମିଳେଇଥିଲେ ଏବଂ ଇଣ୍ଡିଆ ହକି ଟିମ୍‌ର କ୍ୟାପଟେନ୍‌ ମନପ୍ରୀତ୍‌ ସିଂଙ୍କୁ ଆଲିଙ୍ଗନ ମଧ୍ୟ କରିଥିଲେ।

ଏହା ପରେ ଶାହରୁଖ କହିଥିଲେ, “ହକି ଆମ ସ୍ପୋର୍ଟ୍ସ। ବହୁତ ବହୁତ ଧନ୍ୟବାଦ ଓଡ଼ିଶାବାସୀଙ୍କୁ। ଆପଣମାନେ ମତେ ଏଠାକୁ ଆସିବାକୁ ସୁଯୋଗ ଦେଇଥିବାରୁ ଆପଣମାନଙ୍କୁ ଧନ୍ୟବାଦ।”

ଶାହରୁଖ ଓଡ଼ିଆରେ ଏହା କହି ଦର୍ଶକଙ୍କ ମନ ମୋହିନେଇଥିଲେ।

ସେ ଆହୁରି ମଧ୍ୟ କହିଥିଲେ, ” ମୋ’ ବାପା ଜଣେ ହକି ଖେଳାଳି ଥିଲେ। ସେ ମତେ ୮ବର୍ଷ ବୟସରେ ହକି ଶିଖେଇଥିଲେ। ୧୮ ବର୍ଷ ବେଳକୁ ମୁଁ ମୋ ସ୍କୁଲରେ ହକି ଟିମ୍‌ର କ୍ୟାପଟେନ୍ ଥିଲି ଏବଂ ୩୮ ବର୍ଷ ବୟସରେ ମୁଁ ‘ଚକ୍‌ ଦେ ଇଣ୍ଡିଆ’ ଫିଲ୍ମରେ ଜାତୀୟ ହକି ଟିମ୍‌ର କୋଚ୍‌ ଭାବେରେ ଅଭିନୟ କରିବାର ସୁଯୋଗ ପାଇଥିଲି।”

ଏହାପରେ ଚକ୍‌ ଦେ ଇଣ୍ଡିଆର ଡାଇଲଗ୍‌ କହି ଖେଳାଳିଙ୍କୁ ଉତ୍ସାହିତ କରିଥିଲେ ଶାହରୁଖ। ଶାହରୁଖ ଆହୁରି ମଧ୍ୟ କହିଥିଲେ ଯେ ଓଡ଼ିଶାରେ ଆଉ ଏକ ହକି ଖେଳାଳି ଅଛନ୍ତି ଯିଏ ଡୁନ୍‌ ସ୍କୁଲରେ ପଢ଼ୁଥିବା ବେଳେ ଗୋଲ୍‌ କିପର୍‌ ଖେଳୁଥିଲେ। ସେ ହେଉଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଶାହରୁଖ ଖାନ୍‌ ମୁଖ୍ୟମନ୍ତ୍ରୀଙ୍କୁ ମଞ୍ଚ ଉପରକୁ ଆମନ୍ତ୍ରଣ କରିଥିଲେ। ଗୋଟିଏ ମଞ୍ଚରେ ରାଜନେତା ଏବଂ ଅଭିନେତା ଦୁହିଁଙ୍କୁ ଦେଖିବାକୁ ମିଳିଥିଲା। ଏହାପରେ ଶାହରୁଖ ନବୀନଙ୍କୁ କୁଣ୍ଢାଇଥିଲେ। ପରିଶେଷରେ ଓଡ଼ିଶାବାସୀଙ୍କୁ ଧନ୍ୟବାଦ ଜଣାଇଲେ।

ଏହି ହକି ମହାକୁମ୍ଭରୁ ଫେରି ଶାହରୁଖ ଟୁଇଟ୍ ମଧ୍ୟ କରିଥିଲେ। ସେ ନିଜ ଟୁଇଟରରେ ଲେଖିଛନ୍ତି, ” ମୋ ପ୍ରତି ଥିବା ଓଡ଼ିଶାବାସୀଙ୍କର ଭଲପାଇବା ପାଇଁ ମୁଁ ଧନ୍ୟବାଦ ଜଣାଉଛି। ଏଥିସହ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କୁ ଭେଟି ମୁଁ ଖୁସି ଅନୁଭବ କରୁଛି।”

ଏହାଛଡ଼ା ଶାହରୁଖ ହକି ଖେଳାଳିମାନଙ୍କୁ ଅଭିନନ୍ଦନ ଜଣାଇବା ସହ ‘ଚକ୍ ଦେ ଇଣ୍ଡିଆ’ ଲେଖିଛନ୍ତି।

Comment