ଅସିତ ମହାନ୍ତି

ଓଡ଼ିଆ ସାହିତ୍ୟିକ ପ୍ରତିଭା ରାୟଙ୍କ ଲିଖିତ କେତେକ କୃତୀକୁ ‘ସୃଜନିକା’ ପକ୍ଷରୁ ଡିଜିଟାଲ ପ୍ଲାଟଫର୍ମରେ ପ୍ରକାଶନକୁ ନେଇ ରୁଜୁ ହୋଇଥିବା ମାମଲା ପ୍ରସଙ୍ଗରେ।

୧୦ ଡିସେମ୍ବର ମୋ ପାଇଁ ଥିଲା ଏକ ଦୁଃଖର ଦିନ। କାରଣ, ସକାଳେ ସମ୍ବାଦପତ୍ରରେ ଲେଖିକା ଡକ୍ଟର ପ୍ରତିଭା ରାୟ ‘ସୃଜନିକା’ ଅନୁଷ୍ଠାନ ବିରୋଧରେ ଏକ ମାମଲା ଦାଏର କରିଥିବାର ଖବର ପ୍ରକାଶ ପାଇଥିଲା।

ସେହି ଖବରରେ ପ୍ରକାଶ ପାଇଛି ଯେ ଏହି ଅନୁଷ୍ଠାନ ଲେଖିକାଙ୍କର ‘ଯାଜ୍ଞସେନୀ’, ‘ମହାମୋହ’, ‘ମହାରାଣୀପୁତ୍ର’, ‘ନିଷିଦ୍ଧ ପୃଥିବୀ’, ‘ଅବ୍ୟକ୍ତ’, ‘ଦେହାତୀତ’, ‘ଉପନାୟିକା’ ଓ ‘ଶିଳାପଦ୍ମ’ ଉପନ୍ୟାସ ସମେତ କେତେକ କ୍ଷୁଦ୍ରଗଳ୍ପ ଓ ଭ୍ରମଣକାହାଣୀ ପୁସ୍ତକ ଏବଂ ‘ପର୍ଶୁରାମ ରଚନାବଳୀ’କୁ ବିନା ଅନୁମତିରେ ତାଙ୍କର ‘ଓଡିଆ ବିଭବ’ ୱେବ୍ ସାଇଟରେ ସ୍ଥାନିତ କରିଛି। ଯାହାଫଳରେ ତାଙ୍କର ନିଜସ୍ୱ ପ୍ରକାଶନ ସଂସ୍ଥା ‘ଆଦ୍ୟା ପ୍ରକାଶନୀ’ର ୨୦୧୨ ରୁ ଏଯାଏଁ ୨୦ ଲକ୍ଷ ଟଙ୍କା କ୍ଷତି ହୋଇଛି।

ଏହି ମାମଲା କପି ରାଇଟ ଆକ୍ଟର ୬୩-ଖ ଧାରାରେ କରାଯାଇଛି।

ଏହା ସତ୍ୟ ଯେ ଗୋଟିଏ ଲେଖାର ସ୍ୱତ୍ୱ ମୂଳତଃ ସଂପୃକ୍ତ ଲେଖକ ବା ଲେଖିକାଙ୍କର। ତାଙ୍କର ବିନା ଅନୁମତି ବା ସମ୍ମତିରେ ତାଙ୍କର ଲେଖାକୁ ସେପରି ସ୍ଥାନିତ କରିବା ସ୍ଵତ୍ଵଲିପି ଆଇନ ଅନୁସାରେ ଅପରାଧ। ସେଥିପାଇଁ ସଂପୃକ୍ତ ଲେଖିକା ତଥା ତାଙ୍କର ପ୍ରକାଶନ ସଂସ୍ଥା ପକ୍ଷରୁ ମାମଲା କରାଯିବା ଆଇନ ଦୃଷ୍ଟିରୁ ଯଥାର୍ଥ।

କିନ୍ତୁ ‘ଅଡୁଆରେ ଓଡ଼ିଆ ବିଭବ’ ଶୀର୍ଷକରେ ଗୋଟିଏ ସମ୍ବାଦପତ୍ରରେ ଯେଉଁ ଖବର ପ୍ରକାଶ ପାଇଛି ଏବଂ ସେଥିରେ ମାମଲାର ଯେଉଁ ବିବରଣୀ ଦିଆଯାଇଛି, ତାହା ହିଁ ମୋର ଦୁଃଖର ହେତୁ।

ସେଥିରେ କୁହାଯାଇଛି, “ସଂପୃକ୍ତ ସଂସ୍ଥା ମନ୍ଦ ଉଦ୍ଦେଶ୍ୟ ରଖି” ଏବଂ “ନିଜର ସ୍ୱାର୍ଥ ସାଧନ ନିମନ୍ତେ” ଏହା କରିଛନ୍ତି। ପୁଣି କୁହାଯାଇଛି, ସେଠାରେ ବହି ଗୁଡ଼ିକ ରହିଲେ “ସାରସ୍ୱତ ସଂପଦର ଅପବ୍ୟବହାର” ହେବ।

ଏ ସମ୍ପର୍କରେ ଏଠାରେ ସୂଚାଇ ଦିଏ ଯେ ସାହିତ୍ୟର ଜଣେ ଛାତ୍ର ଓ ସଂସ୍କୃତିର ଜଣେ ଅନୁରାଗୀ ଭାବରେ ମୁଁ ‘ସୃଜନିକା’ ସଂପର୍କରେ ଓ ତା’ର ୱେବସ୍ଥଳୀ ‘ଓଡିଆ ବିଭବ’ ସଂପର୍କରେ ଜାଣେ। କମ୍ପ୍ୟୁଟର ମାଧ୍ୟମରେ ଓଡ଼ିଶାର ଐତିହ୍ୟକୁ ସାଇତି ରଖିବା ଏବଂ ତାକୁ ସହଜରେ, ସମସ୍ତଙ୍କ ପାଇଁ ଉପଲବ୍ଧ କରାଇବା ପାଇଁ ୨୦୦୪ ରେ ଏହା ଆରମ୍ଭ କରାଯାଇଥିଲା ଏବଂ ଠିକ୍ ବର୍ଷକ ତଳେ ଆରମ୍ଭ ହୋଇଛି ‘ଓଡିଆ ବିଭବ’ ୱେବସ୍ଥଳୀ। ଏହା ଗୋଟିଏ ପାଠାଗାର। ଏଇ ବର୍ଷକ ଭିତରେ ହିଁ ଧୀରେ ଧୀରେ ସେଥିରେ ପାଠକ ଓ ଗବେଷକଙ୍କ ପାଇଁ ଅନେକ ମୂଲ୍ୟବାନ ବହି ଯୋଡ଼ା ଯାଇଛି। ମୁଁ ତାହାକୁ ଦେଖିଛି ଓ ଅଳ୍ପ ଅଳ୍ପ ବ୍ୟବହାର ମଧ୍ୟ କରିଛି। ଏହା ସଂପୂର୍ଣ୍ଣ ମାଗଣା।

ଏ ପ୍ରସଙ୍ଗରେ ମୋର ଗୋଟିଏ ଦୁଇଟି ବ୍ୟକ୍ତିଗତ ଅନୁଭୂତି କହିବି। ଗୋଟିଏ ସମୟରେ ଗୋପାଳ ଚନ୍ଦ୍ର ପ୍ରହରାଜଙ୍କ ‘ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ’ ରୁ ସୂଚନା ସଂଗ୍ରହ ପାଇଁ ମୁଁ କବି ପ୍ରମୋଦ କୁମାର ମହାନ୍ତିଙ୍କ ଘରକୁ ଯାଉଥିଲି। କାରଣ ତାହା ଦୁଷ୍ପ୍ରାପ୍ୟ ଥିଲା। ପରେ ସ୍ୱତ୍ୱ ଅବଧି ଶେଷ ହେବା ବେଳକୁ ତାହାର ଗୋଟିଏ ଛାପା ସଂସ୍କରଣ ପ୍ରସ୍ତୁତି ପାଇଁ ଉଦ୍ୟମ ହେଲା। କିନ୍ତୁ ତାହାକୁ ନେଇ ମାମଲା ଦାଏର କରାଗଲା। ଶେଷରେ ପ୍ରକାଶକ ଜିତିଲେ ଓ ନୂଆ ଛାପା ସଂସ୍କରଣ ପ୍ରକାଶ ପାଇଲା। କିନ୍ତୁ ତାହାର ମୂଲ୍ୟ ଏତେ ଅଧିକ (୭୦୦୦ ଟଙ୍କା) ଥିଲା ଯେ ତାହା କିଣିବା ମୋ ପକ୍ଷରେ ସମ୍ଭବ ନଥିଲା। କିନ୍ତୁ ପରେ ପରେ ‘ସୃଜନିକା’ ତାହାର ଏକ ସିଡି ପ୍ରସ୍ତୁତ କଲେ ଏବଂ ତାହା ନଗଣ୍ୟ ମୂଲ୍ୟରେ (ମାତ୍ର ୩୦୦ ଟଙ୍କାରେ) ମିଳିଲା। ମୁଁ ତାହା ସହଜରେ କିଣି ପାରିଲି ଓ ବ୍ୟବହାର କରି ପାରିଲି। ଏବେ କିନ୍ତୁ ତାହା ‘ସୃଜନିକା’ର ୱେବସ୍ଥଳୀ ‘ଓଡିଆ ବିଭବ’ରେ ସଂପୂର୍ଣ୍ଣ ମାଗଣାରେ ଉପଲବ୍ଧ।

ଆଉ ଗୋଟିଏ ଅନୁଭୂତି କହିବି। ମାନନୀୟା ଲେଖିକା ପ୍ରତିଭା ରାୟ ‘ମହାରାଣୀପୁତ୍ର’ ଉପନ୍ୟାସ ଲେଖିଛନ୍ତି। ତେଣୁ ସେ ଏ କଥାଟି ଖୁବ୍ ଭଲଭାବରେ ବୁଝିପାରିବେ। (ସେହି ଉପନ୍ୟାସର ରସଦ ସଂଗ୍ରହ ପାଇଁ ସେ କେନ୍ଦୁଝରର କାହା ପାଖକୁ ଯାଉଥିଲେ ମୁଁ ଜାଣେ।) କେନ୍ଦୁଝରର ଭୂୟାଁ ମେଳି ଓ ଧରଣୀଧରଙ୍କ ସଂଗ୍ରାମ ସମୟର ଦୁଇଜଣ ପ୍ରମୁଖ ବ୍ୟକ୍ତିତ୍ୱ ହେଉଛନ୍ତି, ଫକୀରମୋହନ ସେନାପତି ଓ ଇଂରେଜ ଶାସନକାଳୀନ ପ୍ରଶାସକ ରାୟବାହାଦୁର ନନ୍ଦକିଶୋର ଦାସ। ଗୋଟିଏ ସୂତ୍ରରେ, ସେତେବେଳେ ନନ୍ଦକିଶୋର ଦାସଙ୍କ ଉପରେ ବହିଟିଏ ପ୍ରସ୍ତୁତ କରିବାର ଦାୟିତ୍ବ ମୋ ଉପରେ ଆସି ପଡିଲା। ମୋ ହାତରେ ପ୍ରଫେସର ବାଉରୀବନ୍ଧୁ କରଙ୍କରମାତ୍ର ଗୋଟିଏ ଲେଖା ଥିଲା। ମୁଁ ‘ସୃଜନିକା’ର ସୂତ୍ରଧର ଓ କର୍ତ୍ତା ନିଖିଳ ମୋହନ ପଟ୍ଟନାୟକଙ୍କର ସହାୟତା ଲୋଡ଼ିଲି ଏବଂ ସେ ତୁରନ୍ତ ମୋତେ ‘ଉତ୍କଳ ଦୀପିକା’ରୁ ନନ୍ଦକିଶୋର ଦାସଙ୍କ ବାବଦ ଅନେକ ତଥ୍ୟ ଯୋଗାଇଦେଲେ। ବହିଟିର ପ୍ରସ୍ତୁତି ସମ୍ଭବ ହେଲା।  ସେ ଡିଜିଟାଇଜ୍ କରି ଆମ ପାଇଁ / ଓଡ଼ିଆ ଜାତି ପାଇଁ ସାଇତି ଥିବା / ସଂପାଦିଥିବା ଏପରି ବହୁ ଅମୂଲ୍ୟ ସମ୍ପଦର ଗନ୍ତାଘର/ପାଠାଗାର ହେଉଛି ‘ଓଡିଆ ବିଭବ’।

ଯେଉଁମାନେ ଏଯାଏଁ ତାହାକୁ ଦେଖିନାହାନ୍ତି ବା ତା ଭିତରେ ପଶି ନାହାନ୍ତି, ଏବେ ଦେଖନ୍ତୁ ଓ ତା’ ଭିତରେ ପଶନ୍ତୁ ବୋଲି ମୁଁ ଅନୁରୋଧ କରିବି। ତାହାହେଲେ ବୁଝିପାରିବେ, ନିଖିଳ ପଟ୍ଟନାୟକ ଓ ‘ସୃଜନିକା’ ବା ‘ଓଡ଼ିଆ ବିଭବ’ ଆମପାଇଁ କି ଅମୂଲ୍ୟ ଅବଦାନ ଦେଇଛନ୍ତି।

ସେମାନଙ୍କ ଅବଗତି ପାଇଁ କିଛି ସଂକ୍ଷିପ୍ତ ସୂଚନା ଏଠି ଦେଉଛି। ୧୯୫୦ ପୂର୍ବର ୨୧ ଟି ଖବରକାଗଜ ଓ ୧୮୬୬ ରେ ପ୍ରକାଶ ପାଇ ଏବେ ଓଡ଼ିଶାର ଇତିହାସ ପାଲଟି ଥିବା ‘ଉତ୍କଳ ଦୀପିକା’ର ସମସ୍ତ ଉପଲବ୍ଧ ସଂଖ୍ୟା ଏଥିରେ ଅଛି। ତା’ ସହିତ ଅଛି ୧୯୫୦ ପୂର୍ବର ୭୪ଟି ଓଡ଼ିଆ ପତ୍ରିକା। ବହି ଭିତରେ ଅଛି ୧୮୦୭ ମସିହାର ପ୍ରଥମ ଛାପା ବହିଠାରୁ ଆରମ୍ଭ କରି ୧୮୧୧ ଓ ତା’ର ପରବର୍ତ୍ତୀ କାଳର ବହୁ ଦୁଷ୍ପ୍ରାପ୍ୟ ବହି । ପରିକ୍ରମା, ଭାଷା-ସାହିତ୍ୟ, ଜ୍ଞାନକୋଷ, ଗ୍ରନ୍ଥସୂଚୀ, ଇତିହାସ- ସଂସ୍କୃତି, କଳା-ଭାସ୍କର୍ଯ୍ୟ, ଚରିତ ପଞ୍ଜିକା ପ୍ରଭୃତି ବିଭାଗରେ ସେହିସବୁ ଦୁଷ୍ପ୍ରାପ୍ୟ ଓ ଦୁର୍ଲଭ ପୁସ୍ତକ ଓ ସଂକଳନକୁ ଆମେ ସହଜରେ ପାଇବା ପରି ସଜାଇ ରଖାଯାଇଛି। ଏବଂ ସବୁଠୁ ଉଲ୍ଲେଖନୀୟ କଥା ହେଲା, ଏସବୁ ଆମକୁ ମିଳୁଛି ସଂପୂର୍ଣ୍ଣ ମାଗଣାରେ।

ଅଥଚ ମାନନୀୟା ଲେଖିକା ଡକ୍ଟର ପ୍ରତିଭା ରାୟଙ୍କ ମାମଲାର ଅଭିଯୋଗରେ ଉଲ୍ଲେଖ ଅଛି ଯେ “ସଂପୃକ୍ତ ସଂସ୍ଥା ମନ୍ଦ ଉଦ୍ଦେଶ୍ୟରେ” ଓ “ନିଜର ସ୍ୱାର୍ଥ ସାଧନ ନିମନ୍ତେ” ଏହା କରିଛନ୍ତି। ଏ ସମ୍ପର୍କରେ ମୋର ବିନମ୍ର ନିବେଦନ, ଜଣେ ଓଡ଼ିଆ ଲେଖିକା ଓ ଓଡ଼ିଶାବାସୀ ଭାବେ ସେ ସହୃଦୟତାର ସହ ବିଚାର କରନ୍ତୁ, ଏଥିରେ କି ମନ୍ଦ ଉଦ୍ଦେଶ୍ୟ ଓ ସ୍ୱାର୍ଥ ଅଛି ?

ପ୍ରଥମରୁ ମୁଁ ସ୍ପଷ୍ଟ ଭାବେ କହିଛି ଯେ ଗୋଟିଏ ଲେଖାର ସ୍ୱତ୍ୱ ମୂଳତଃ ସଂପୃକ୍ତ ଲେଖକ ବା ଲେଖିକାଙ୍କର। ଏଥିରେ ଆଇନତଃ କୈାଣସି ଦ୍ୱିରୁକ୍ତି ନାହିଁ।  କିନ୍ତୁ ମୋର ବିନମ୍ର ମତ ଯେ ସେ ଲେଖାର ପ୍ରକୃତ ଉପଭୋକ୍ତା ହେଉଛନ୍ତି ପାଠକ ପାଠିକା। ଆଇନର ଧାରାରେ ଏବେ ହୁଏତ ଏହା ଗ୍ରହଣଯୋଗ୍ୟ ହୋଇ ନପାରେ, ମାତ୍ର ମୋର ବିନମ୍ର ପ୍ରଶ୍ନ ଯେ ଜଣେ ଖଣ୍ଡିଏ ବହି କିଣି ଯଦି ଏକ ସାର୍ବଜନୀନ ପାଠାଗାରରେ ରଖି ପାରୁଛି, ଯଦି ବହିଟି ଜିଜିଟାଲ ରୂପରେ ଉପଲବ୍ଧ ନୁହେଁ, ତେବେ ବହିଟି କିଣି, ତାହାକୁ ଡିଜିଟାଇଜ୍ କରି, ତାକୁ ଏକ ସାର୍ବଜନୀନ ୱେବସାଇଟରେ ରଖିପାରିବ କି ନାଁ ? ଅନୁରୋଧ, ଏ ବାବଦରେ ସ୍ଵତ୍ଵଲିପି ଆଇନର ଅଧିବକ୍ତା ମାନେ ଚିନ୍ତା କରିବେ।

‘ଓଡିଆ ବିଭବ’ ୱେବସ୍ଥଳୀ ମାତ୍ର ବର୍ଷେ ହେଲା ଆରମ୍ଭ ହୋଇଛି। ଏହା ଓଡ଼ିଆ ଭାଷା-ସାହିତ୍ୟର ଅମୂଲ୍ୟ ସମ୍ପଦ। ପୁଣି ଏ ସଂପଦ ଓଡ଼ିଶା ବାସୀଙ୍କୁ ବିନା ମୂଲ୍ୟରେ ମିଳୁଛି। ତା’ର ପଛରେ ‘ସୃଜନିକା’ ଓ ନିଖିଳ ବାବୁଙ୍କର କେତେ ତ୍ୟାଗ, ଆବେଗ ଓ ସ୍ୱପ୍ନ ରହିଛି ତାହା ମୁଁ ଓ ମୋ ପରି ଅନେକେ ଜାଣୁ। କିନ୍ତୁ ତା’ ବଦଳରେ ଏ ଜାତି ତାଙ୍କୁ କ’ଣ ଦେଇଛି ? ଗୋଟିଏ ମାମଲା ?

ମାନନୀୟା ଲେଖିକା ଡକ୍ଟର ପ୍ରତିଭା ରାୟ ତାଙ୍କ ମାମଲାରେ ସେଥିରେ ଥିବା ତାଙ୍କର ତଥା ତାଙ୍କ ପ୍ରକାଶନୀର ଅଳ୍ପ କେତୋଟି ବହି ପାଇଁ ୨୦ ଲକ୍ଷ ଟଙ୍କା କ୍ଷତିପୂରଣ ଦାବି କରିଛନ୍ତି। ଏହା ସୂଚାଉଛି, ସେ ବିଗତ ବର୍ଷ ଗୁଡ଼ିକରେ ତାଙ୍କ ବହିଗୁଡ଼ିକ ପାଇଁ କୋଟି କୋଟି ଟଙ୍କା ପାଇଛନ୍ତି। କେବଳ ସେ କାହିଁକି, ଓଡ଼ିଶାରେ ଆମେ କେହି ବି ଲେଖକ ପଇସା ପାଇଁ ଲେଖୁ ନାହିଁ। ତେଣୁ ଓଡ଼ିଶାର ଅଗଣିତ ପାଠକ ତଥା ଓଡ଼ିଆ ଭାଷା-ସାହିତ୍ୟର ବୃହତ୍ତର ସ୍ୱାର୍ଥ ପାଇଁ ସେ କ’ଣ ଏଇ କେତୋଟି ବହିର ପ୍ରାପ୍ୟ ଛାଡ଼ିଦେଇ ପାରିବେ ନାହିଁ?

ଏ ବିଷୟରେ ସହୃଦୟତାର ସହ ବିଚାର କରି ମାମଲାର ପ୍ରତ୍ୟାହାର ତଥା ବିବାଦର ସହୃଦୟ ସମାଧାନ କରିବାକୁ ତାଙ୍କୁ ମୋର ଏହା ମାଧ୍ୟମରେ ବିନମ୍ର ନିବେଦନ।

 

(ଏହି ଲେଖାରେ ପ୍ରକାଶିତ ଅଭିମତ ଓ ମନ୍ତବ୍ୟ ଲେଖଙ୍କର ସମ୍ପୁର୍ଣ୍ଣ ନିଜସ୍ୱ ଏହାକୁ ଓଡ଼ିଶାଲାଇଭ୍‌ ସମ୍ପାଦନା ମଣ୍ଡଳୀର ବିଚାର ବା ଅଭିମତ ଭାବେ ଗ୍ରହଣ କରାଯିବ ନାହିଁ)

(ସୌଜନ୍ୟ ଫେସବୁକ୍‌)

Comment