ଅସିତ ମହାନ୍ତି

 

୨୦୧୫ ମସିହା ଥିଲା ଶ୍ରୀଜଗନ୍ନାଥଙ୍କର ପବିତ୍ର ନବକଳେବର ବର୍ଷ। ସେହି ବର୍ଷଠାରୁ ଏଯାଏଁ, ପ୍ରତିବର୍ଷ ନୀଳାଦ୍ରିବିଜେ ଦିନଟିକୁ ‘ରସଗୋଲା ଦିବସ’ ଭାବରେ ପାଳନ କରାହୋଇ ଆସୁଛି। ଏହାର ଅଗ୍ର ଶ୍ରେୟ ଡକ୍ଟର ଅନିତା ସାବତଙ୍କର। କାରଣ, ସୋସିଆଲ ମିଡିଆରେ ପ୍ରଚାର କରି ସେ ବର୍ଷ ସେ ହିଁ ଏହାର ନିୟାମକ ହୋଇଥିଲେ।

ସେହି ବର୍ଷଠାରୁ ସୁଖ୍ୟାତ ବାଲୁକାଶିଳ୍ପୀ ଶ୍ରୀ ସୁଦର୍ଶନ ପଟ୍ଟନାୟକ ପ୍ରତିବର୍ଷ ‘ରସଗୋଲା ଦିବସ’ ପାଇଁ ସ୍ୱତନ୍ତ୍ର ବାଲୁକା କଳା ପ୍ରସ୍ତୁତ କରି ଆସୁଛନ୍ତି। ଏଥିପାଇଁ ସେ ଆମ ସମସ୍ତଙ୍କର ଧନ୍ୟବାଦର ପାତ୍ର।

ଶ୍ରୀ ସୁବଳ ମହାରଣା ମଧ୍ୟ ଏ କ୍ଷେତ୍ରରେ ପଛରେ ପଡ଼ିନାହାନ୍ତି। ସେ ବି ‘ରସଗୋଲା ଦିବସ’କୁ ନେଇ ବାଲୁକା କଳା ପ୍ରସ୍ତୁତ କରିଛନ୍ତି। ବିଶେଷ କରି ଗତ ଜୁଲାଇ ମାସ ୨୯ ତାରିଖରେ ‘ଓଡିଶା ରସଗୋଲା’ ଜିଆଇ ମାନ୍ୟତା ପାଇବା ପରେ,  ସେ ତାହାକୁ ନେଇ ସ୍ୱତନ୍ତ୍ର ବାଲୁକା କଳା ପ୍ରସ୍ତୁତ କରିଛନ୍ତି। ଏଣୁ ସେ ମଧ୍ୟ ଆମ ସମସ୍ତଙ୍କର ଧନ୍ୟବାଦର ପାତ୍ର।

ଏହି ଅବସରରେ ମୁଁ ଆମ ରାଜ୍ୟର ଏହି ଦୁଇ ପ୍ରତିଭାବାନ ବାଲୁକା ଶିଳ୍ପୀଙ୍କୁ ସେମାନଙ୍କର ସହଯୋଗ ତଥା ସଂସ୍କୃତିପ୍ରାଣତା ପାଇଁ କୃତଜ୍ଞତା ଜଣାଉଛି।

‘କିଏ କାହାର’ ସିନେମା ଓ ରଙ୍ଗିଆ ରସଗୋଲା

‘ଓଡିଶା ରସଗୋଲା’ ଜିଆଇ ମାନ୍ୟତା ପାଇବା ପଛରେ ଅଳ୍ପେ, ବହୁତେ ଯେଉଁ ମାନଙ୍କର ଅବଦାନ ଅଛି, ସେମାନଙ୍କ ମଧ୍ୟରୁ ଜଣେ ସୂର୍ଯ୍ୟ ଦେଓ। ଏଇ କିଛି ବର୍ଷ ଭିତରେ ବେଶ୍ କେତୋଟି ଓଡ଼ିଆ ସିନେମାକୁ ବିସ୍ମୃତି ବା ବିଲୁପ୍ତିର କବର ତଳୁ ଜିଆଇ ଆଣିବାରେ ତାଙ୍କର ଅବଦାନ ଅତୁଳନୀୟ।

୧୯୬୮ ମସିହାର କଥା। ସେ ବର୍ଷ ମୁକ୍ତିଲାଭ କରିଥିଲା ଲୋକପ୍ରିୟ ଓଡ଼ିଆ ସିନେମା ‘କିଏ କାହାର’। ତା’ର ନିର୍ଦ୍ଦେଶକ ଥିଲେ ନିତାଇ ପାଲିତ୍। ‘ପଞ୍ଚସଖା ପିକ୍ଚର୍ସ’ ବ୍ୟାନର୍ ରେ ତାହା ନିର୍ମିତ ହୋଇଥିଲା। ବିଖ୍ୟାତ ନାଟ୍ୟକାର ଗୋପାଳ ଛୋଟରାୟ ଥିଲେ ତାହାର ସଂଳାପକାର।

ତାହାର ଗୋଟିଏ ଦୃଶ୍ୟରେ ଗୋପାଳ ଛୋଟରାୟ କଟକର ବିଖ୍ୟାତ ମିଠା ଦୋକାନୀ ରଙ୍ଗିଆ କଥା କହିଛନ୍ତି। ଆତ୍ମଜୀବନୀ ‘ପଥିକ’ରେ ବି ରଙ୍ଗିଆ ଦୋକାନର ରସଗୋଲା, କ୍ଷୀର ମୋହନ ବା ରାଜଭୋଗର ପ୍ରଶଂସା କରିଛନ୍ତି। କଲେଜ ଛକ ବାଞ୍ଛା ସାହୁ ଦୋକାନ ମଧ୍ୟ ଏହି ପ୍ରଶଂସାରୁ ବାଦ୍ ପଡ଼ିନାହିଁ।

ସେତେବେଳେ କାର୍ଯ୍ୟୋପଲକ୍ଷେ ବହୁ ବଙ୍ଗୀୟ କଟକ ଆସୁଥିଲେ । ହାୱଡା-ପୁରୀ ଏକ୍ସପ୍ରେସରେ ଆସି ସକାଳେ କଟକରେ ପହଞ୍ଚି, ପାର୍କ ଛକର ଦେ’ଜ୍ ହୋଟେଲରେ ରହୁଥିଲେ। ସେ ହୋଟେଲ ର ପାଚକ ବାମଦେବ ନନା ହାତରୁ ରୋହିମାଛ ଝୋଳ ଓ ରଙ୍ଗିଆ ଦୋକାନ ରସଗୋଲା ସେମାନଙ୍କର ଖୁବ୍ ପସନ୍ଦ ଥିଲା। ‘କିଏ କାହାର’ର ସେହି ଦୃଶ୍ୟରେ ସେ ରସଗୋଲା ଓ ରଙ୍ଗିଆ ଦୋକାନ ମିଠାର ବର୍ଣ୍ଣନା କରିଛନ୍ତି।

ଆଜି କଟକ ବାଲୁବଜାରରେ ରଙ୍ଗିଆ ଦୋକାନ ଆଉ ନାହିଁ। କିନ୍ତୁ ଗୋପାଳ ଛୋଟରାୟଙ୍କ ‘ପଥିକ’ର ପୃଷ୍ଠାରେ ଏବଂ ‘କିଏ କାହାର’ ସିନେମାର ଦୃଶ୍ୟ ଓ ସଂଳାପରେ ସାଇତା ଅଛି ତା’ର ସ୍ମୃତି।

ଗତବର୍ଷ ଶ୍ରୀ ଗୋକୁଳ ପଟ୍ଟନାୟକ (ଅବସରପ୍ରାପ୍ତ ଆଇଏଏସ୍)ଙ୍କ ଆଗ୍ରହରେ,  ଦିଲ୍ଲୀର ‘ଓଡିଶା ଫୋରମ୍ (ମଞ୍ଚ)’ରେ ରସଗୋଲା ବିଷୟରେ ଗୋଟିଏ ‘ଟକ୍’ ଦେବାକୁ ନିମନ୍ତ୍ରିତ ହୋଇଥିଲି। ସେଥିପାଇଁ ଯିବା ଆଗରୁ, ‘କିଏ କାହାର’ ସିନେମାର ସେଇ ଦୃଶ୍ୟଟିକୁ ସେଠାରେ ଦେଖାଇବାକୁ ସାଙ୍ଗରେ ନେବାକୁ ଚାହିଁଥିଲି। ସେଥିପାଇଁ ଶ୍ରୀ ସୂର୍ଯ୍ୟ ଦେଓଙ୍କୁ ଅନୁରୋଧ କରିଥିଲି। ସେ ମଧ୍ୟ ତୁରନ୍ତ ତାହା ପଠାଇଦେଇ  ମୋତେ ଚକିତ କରିଦେଇଥିଲେ। ସେଇ ଦୃଶ୍ୟରେ ଅଛନ୍ତି ଧୀର ବିଶ୍ଵାଳ, ଲୀଳା ଦୁଲାଳୀ ଓ ଭାନୁମତୀ। ଭାନୁମତୀ ଙ୍କ ସଂଳାପରେ ରସଗୋଲା ଓ ରଙ୍ଗିଆ ଦୋକାନ ମିଠା କଥା କୁହାଯାଇଛି।

ସିନେମାର ସେହି ଦୃଶ୍ୟର ଭିଡିଓ  ଏଠି ପରଷି ଦେବା ବେଳେ, ମୁଁ ତେଣୁ ଶ୍ରୀ ସୂର୍ଯ୍ୟ ଦେଓଙ୍କୁ ଆନ୍ତରିକ କୃତଜ୍ଞତା ଜଣାଉଛି।

(ଅସିତ ମହାନ୍ତି ଜଣେ ବରିଷ୍ଠ ସାମ୍ବାଦିକ, ଗବେଷକ ଏବଂ ଓଡ଼ିଆ ସଂସ୍କୃତି ବିଶେଷଜ୍ଞ। ନିକଟରେ ସେ ସୋସିଆଲ ମିଡିଆରେ ଏହି ଲେଖା ମାଧ୍ୟମରେ ‘ଓଡ଼ିଶା ରସଗୋଲା’କୁ ଜିଆଇ ଟ୍ୟାଗ୍ ମିଳିବା ପଛରେ ଥିବା ସମସ୍ତ ବ୍ୟକ୍ତି ଓ ଅନୁଷ୍ଠାନକୁ ଧନ୍ୟବାଦ ଜଣାଇଛନ୍ତି।)

Comment