ଓଡ଼ିଶାଲାଇଭ୍‌ ବ୍ୟୁରୋ

ଦୀର୍ଘ ଏକ ମାସ ଧରି ଚାଲିଥିବା ବିଶ୍ୱକପ ପୁରୁଷ ହକିର ପ୍ରସ୍ତୁତି, ଉଦ୍‌ଘାଟନ ଓ ଉଦ୍‌ଯାପନ ପରେ ସମସ୍ତଙ୍କ ମୁହଁରେ ଏବେ ଓଡ଼ିଶାକୁ ନେଇ ଚର୍ଚ୍ଚା। ବେଲ୍‌ଜିୟମ ଯେଉଁଭଳି ପ୍ରଥମ ଥର ପାଇଁ ଫାଇନାଲରେ ପ୍ରବେଶ କଲା ଓ କପ୍‌ ଉଠାଇନେଲା ଠିକ୍ ସେହିଭଳି ଏହି ଆନ୍ତର୍ଜାତିକ ମ୍ୟାଚ୍‌ଟି ଆୟୋଜନ କରି ଓଡ଼ିଶା ନିଜର ପାରଦର୍ଶିତାକୁ ପ୍ରମାଣ କରିପାରିଛି। ବିଶ୍ୱକପ ହକି, ଓଡ଼ିଶା ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନେଇ ସୋସିଆଲ ମିଡିଆ କଣ କହୁଛି ଆସନ୍ତୁ ଦେଖିବା।

ଆମେରିକାର ଜର୍ଜିଆରେ ରହୁଥିବା ଏବଂ ଓଡ଼ିଶାର ସମସ୍ତ କଥା ଓ ଘଟଣାର ଟିକିନିଖି ବିବରଣୀ ରଖୁଥିବା ସଫ୍ଟୱେର ଇଞ୍ଜିନିଅର ଓ ବ୍ଲଗର ସମ୍ବିତ ଦାଶ ତାଙ୍କ ଫେସବୁକ ପୋଷ୍ଟକୁ ଭିତ୍ତି କରି ଏହି ଲେଖାଟି ପ୍ରସ୍ତୁତ କରାଯାଇଛି। ସମ୍ବିତ ତାଙ୍କ ପୋଷ୍ଟରେ ଲେଖିଛନ୍ତି ଯେ ଭୁବନେଶ୍ୱରରେ ବିଶ୍ୱକପ୍‌ ହକିର ବିଜେତା ବେଲ୍‌ଜିୟମ ନୁହେଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ତାଙ୍କ ପାଇଁ ଆଉ ଗୋଟିଏ ପାଳି ସରକାର ଥୁଆ।

ସମ୍ବଲପୁରରେ ରହୁଥିବା ଅମିତ ମହାନ୍ତି ଓ ଭୁବନେଶ୍ୱରବାସୀ ଗୁରୁ ପ୍ରସାଦ ପଟ୍ଟନାୟକ ସମ୍ବିତ ଦାଶଙ୍କ ମତ ସହ ଏକମତ ହୋଇଥିବା ବେଳେ ନାଲକୋର ଡିଜିଏମ ଫାଇନାନ୍ସ  ଶ୍ରୀମନ୍ତ ପଣ୍ଡା ପଚାରିଛନ୍ତି, “ଏହି ଇଭେଣ୍ଟ କଣ ଓଡ଼ିଶା ପାଇଁ ଏତେ ଜରୁରୀ ଥିଲା? ହକି ଖେଳ ରାଜ୍ୟରେ ଭୁବନେଶ୍ୱରରେ କେତେ ଲୋକଙ୍କ ଉପରେ ପ୍ରଭାବ ପକାଇଛି? ତାଙ୍କ କହିବା କଥା  ଆଲୋକସଜ୍ଜା, ରଙ୍ଗ ଓ ଡଟ ଫେଷ୍ଟିଭାଲ ଆଦି ଧୁମଧାମ ପରିବେଶ ଉତ୍ତମ ଶାସନର ପରିଭାଷା ନୁହେଁ।”

ଆଉ ଜଣେ ରାମ ନାରାୟଣ ଏହି ଥ୍ରେଡ୍‌ରେ ଲେଖିଛନ୍ତି, “ଓଡ଼ିଶା ଭଳି ଅନ୍ୟ କେଉଁ ସରକାର ହକିକୁ ଏଭଳି ପ୍ରାଧାନ୍ୟ ଦେଇଛନ୍ତି? ନିଶ୍ଚିତରେ ଏହା ଏକ ବଡ଼ କାମ ଓ ମୁଁ ମୋ ଭୋଟଟି ନବୀନଙ୍କୁ କେବଳ ଏଥିପାଇଁ ଦେବି। ଆମେ ଅଭିଯୋଗ କରୁ ଯେ ସରକାରମାନେ ଖେଳକୁ ପ୍ରୋତ୍ସାହନ ଦେଉନାହାନ୍ତି। ଏହା ତାହାହେଲେ କଣ?”

ଭୁବନେଶ୍ୱର ରେ ବାସ କରୁଥିବା ଶୀଷକ ରଥଙ୍କ ମତ ବି ସେୟା। ଓଡ଼ିଶାର ଲୋକଙ୍କ ହୀନମନ୍ୟତାକୁ ପ୍ରଶ୍ନ କରିବା ବେଳେ ସେ ହକି କପ ପାଇଁ ଜଣେ ଓଡ଼ିଆ ହିସାବରେ ଗର୍ବ ଅନୁଭବ କରିଛନ୍ତି। ଗତାନୁଗତିକ ଛବିରୁ ବାହାରି ବିଶ୍ୱକୁ ଆମକୁ ଦେଖାଇବାକୁ ହେବ ଯେ ଖେଳ, ସଂସ୍କୃତି ଓ ପର୍ଯ୍ୟଟନ ଆଦି କ୍ଷେତରେ ଓଡ଼ିଶା ପଛୁଆ ନୁହେଁ ଏହା ସେ କହିଛନ୍ତି।

ସମ୍ବିତ ଦାଶଙ୍କ କହିବା କଥା ହେଉଛି ଓଡ଼ିଶାର ପର୍ଯ୍ୟଟନ ବିକାଶ ପାଇଁ ହକି ଭଳି ଅନ୍ତର୍ଜାତୀୟ ଖେଳ ନିତାନ୍ତ ଆବଶ୍ୟକ। କିନ୍ତୁ ଏଥିପାଇଁ ଅନେକ କିଛି କରିବାକୁ ହେବ ଯଥା ଭିତ୍ତିଭୂମି, ପେଷାଦାରୀ ଇଭେଣ୍ଟ ପରିଚାଳନା ଆଦି। ରାଞ୍ଚିର ମୂଳ ବାସିନ୍ଦା ସିଙ୍ଗାପୁରରେ ରହୁଥିବା ଜ୍ଞାନ ଶର୍ମା ତାଙ୍କ କମେଣ୍ଟରେ କହିଛନ୍ତି ଯେ ଭୁବନେଶ୍ୱର ଏହିଭଳି ଏକ ବିଶ୍ଵସ୍ତରୀୟ ଖେଳ ଆୟୋଜନ  କରିପାରିଲା ନିଶ୍ଚିତରେ ଭଲ କଥା। ଖେଳ କେବଳ ନୁହେଁ ଅନ୍ୟ କ୍ଷେତ୍ରରେ ମଧ୍ୟ ଓଡ଼ିଶା ବହୁ ଅଗ୍ରଗତି କରିଛି। ପଡ଼ୋଶୀ ବିହାର/ଝାଡ଼ଖଣ୍ଡର ଜଣେ ଅଧିବାସୀ ଭାବରେ ମୁଁ ଅତ୍ୟନ୍ତ ଖୁସି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜଣେ ଭଦ୍ର, ସମ୍ଭ୍ରାନ୍ତ ଓ ଗ୍ରହଣୀୟ ନେତା। ନବୀନ ଓ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଏକା ଭଳି ଯାହାଙ୍କ ଅସଲ ଲକ୍ଷ୍ୟ ହେଉଛି ନିଜ ନିଜ ରାଜ୍ୟର ଓ ଲୋକଙ୍କର ଉନ୍ନତି କରିବା। ହତାଶାରୁ ଆଶା ଭିତରକୁ ଏହି ଦୁଇ ରାଜ୍ୟ ପ୍ରବେଶ କରିବାକୁ ଯାଉଛନ୍ତି।

ଅମୂଲ୍ୟ ନାୟକ ତାଙ୍କ କମେଣ୍ଟରେ କହିଛନ୍ତି ଯେ ସଚିନ ତେନ୍ଦୁଲକର, ଶାହରୁଖ ଖାଁ, ଏ ଆର ରେହମାନ ପ୍ରଭୃତିଙ୍କୁ ଅଣାଯାଇ ନବୀନଙ୍କ ସପକ୍ଷରେ ଏକ ସକାରାତ୍ମକ ଧାରଣା ସୃଷ୍ଟି କରିବା ପାଇଁ ଉଦ୍ୟମ ହୋଇଛି। ସୁଧୀର ଯୋଶୀ ଲେଖିଛନ୍ତି ବିନା ତ୍ରୁଟିରେ ଏଭଳି ଏକ ଖେଳ ଆୟୋଜନ କରି ଓଡ଼ିଶା ସରକାର ଉନ୍ନତ ଦୃଷ୍ଟିଭଙ୍ଗୀ ଓ ଅସାଧାରଣ ସାମର୍ଥ୍ୟର ପରିଚୟ ପ୍ରଦାନ କରିଛନ୍ତି।

ଫେସବୁକରେ ଯେହେତୁ ଯିଏ ଯାହା ଚାହିଁଲା ମତ ଦେଇପାରିବ। କିଛି ଜଣ(ଅନୁପ ଦାସ,ସୌମେନ ଦାସ)ହକି ଖେଳ ଆୟୋଜନ ପାଇଁ ନବୀନଙ୍କ ଆଶାତୀତ ସଫଳତାର ପ୍ରଶଂସା କରିଥିବା ବେଳେ ତାଙ୍କ ସ୍ୱାସ୍ଥ୍ୟ ସମସ୍ୟାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି।

ସମ୍ବିତ ଦାଶଙ୍କ ପୋଷ୍ଟରେ ଅନ୍ୟ ଜଣେ ଫ୍ରେଣ୍ଡ ରବୀନ୍ଦ୍ରନାଥ ତ୍ରିପାଠୀ  କମେଣ୍ଟ କରିଛନ୍ତି ଯେ ଆମେ ଓଡ଼ିଆମାନେ ସବୁ କଥାକୁ ଶୀଘ୍ର ଭୁଲିଯାଉ। ଆମେ କେବଳ ଚାହିଁ ବସିଥାଉ କୋଉଠି କ’ଣ ମାଗଣାରେ ମିଳୁଛି।

Comment