ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ୧୪,୫୨୩ କୋଟି ଟଙ୍କାର ପ୍ରକଳ୍ପ ଲୋକର୍ପଣ ଏବଂ ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ
  • ଉନ୍ମୋଚନ ହେବ ପାଇକ ବିଦ୍ରୋହ ସ୍ମାରକୀ ମୁଦ୍ରା ଓ ଡାକଟିକଟ
  • ଉତ୍କଳ ବିଶ୍ୱବିଦ୍ୟାଳୟରେ ସ୍ମାରକୀ ଚେୟାର ପ୍ରତିଷ୍ଠା କରିବେ ପ୍ରଧାନମନ୍ତ୍ରୀ

ଡିସେମ୍ବର ୨୪ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଆସୁଛନ୍ତି। ଏଥିପାଇଁ ଚଳଚଞ୍ଚଳ ହୋଇ ପଡ଼ିଛି ବିଜେପି ଶିବିର। ଉଭୟ ସରକାରୀ ଓ ବିଜେପିର କାର୍ଯ୍ୟକ୍ରମରେ ସେ ସାମିଲ ହେବେ। ଏହି ଗସ୍ତ ସମୟରେ ମୋଦି ୧୪ ହଜାର ୫୨୩ କୋଟି ଟଙ୍କାର ପ୍ରକଳ୍ପର ଲୋକାର୍ପଣ କରିବେ। ଭୁବନେଶ୍ୱର ଆଇଆଇଟି ପରିସରରେ ହେବାକୁ ଥିବା ପ୍ରକଳ୍ପର ଶୁଭାରମ୍ଭ କରାଯିବ। ଏନେଇ ଗୁରୁବାର ନୂଆଦିଲ୍ଲୀଠାରେ ଏକ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି।

ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, “ପ୍ରଧାନମନ୍ତ୍ରୀଙ୍କ ଓଡ଼ିଶା ଗସ୍ତ ସମୟରେ ଭୁବନେଶ୍ୱର ଆଇଆଇଟି ପୂର୍ଣ୍ଣାଙ୍ଗ କ୍ୟାମ୍ପସ୍‌କୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ। ଏହାସହ ବ୍ରହ୍ମପୁରରେ ବିଶ୍ୱସ୍ତରୀୟ ଆଗିଜରର ଶିଳାନ୍ୟସ କରିବେ। ପାରାଦୀପ ଓ ହାଇଦ୍ରାବାଦ୍‌ ମଧ୍ୟରେ ପାଇପ୍‌ଲାଇନ୍‌ କାର୍ଯ୍ୟର ଶୁଭାରମ୍ଭ ହେବ। ଏଥିସହ ୭୫.୩ କୋଟି ଖର୍ଚ୍ଚରେ ଭୁବନେଶ୍ୱରରେ ଥିବା ଇଏସ୍‌ଆଇ ହସ୍ପିଟାଲକୁ ୧୦୦ ଶଯ୍ୟା ବିଶିଷ୍ଟ କରାଯିବା ସହ ପୁରୁଣା ଜାତୀୟ ରାଜପଥ କାମ ଆରମ୍ଭ ହେବ।”

କେନ୍ଦ୍ରମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ ଜୁଲାଇ ୨୦, ୨୦୧୭ରେ ତତ୍‌କାଳୀନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ହାତରେ ଆରମ୍ଭ  ହୋଇଥିବା ପାଇକ ବିଦ୍ରୋହର ୨୦୦ ବର୍ଷ ପୂରୁଛି। ଏହି ଅବସରରେ ପାଇକ ବିଦ୍ରୋହ ସ୍ମାରକୀ ମୁଦ୍ରା, ଡାକଟିକଟ ଓ ଉତ୍କଳ ବିଶ୍ୱବିଦ୍ୟାଳୟରେ ଆରମ୍ଭ ହେବାକୁ ଯାଉଥିବା ସ୍ମାରକୀ ଚେୟାରର ଶୁଭାରମ୍ଭ କରିବେ। କେନ୍ଦ୍ର ସଂସ୍କୃତି ମନ୍ତ୍ରାଳୟ ପକ୍ଷରୁ ଏଥିପାଇଁ ୫କୋଟି ଟଙ୍କାର ଫଣ୍ଡ ଦିଆଯିବ।

ଏହାସହ ଲଳିତଗିରି ଭଳି ପ୍ରାଚୀନ କୀର୍ତ୍ତିକୁ ଅତ୍ୟାଧୁନିକ ପର୍ଯ୍ୟଟନସ୍ଥଳୀ ଭାବେ କେନ୍ଦ୍ର ସରକାର ଘୋଷଣା କରିଛନ୍ତି।

Comment