ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭୁବନେଶ୍ୱରରେ ସର୍ବନିମ୍ନ ତାପମାତ୍ରା ୯.୫ ଡିଗ୍ରୀ, ଫୁଲବାଣୀରେ ୪.୫ ଡିଗ୍ରୀ ରହିଥିବା ବେଳେ ଦାରିଙ୍ଗିବାଡ଼ିରେ ସର୍ବନିମ୍ନ ୩ ଡିଗ୍ରୀ।

ପ୍ରବଳ ଥଣ୍ଡାରେ ଥରହର ଓଡ଼ିଶା। ଉପକୂଳଠାରୁ ପଶ୍ଚିମ ଓଡ଼ିଶା ଯାଏଁ ସବୁଠି ହାଡ଼ଭଙ୍ଗା ଶୀତ। ଓଡ଼ିଶାର କାଶ୍ମୀର କୁହାଯାଉଥିବା ଦାରିଙ୍ଗିବାଡ଼ିରେ ତୁଷାରପାତ ହୋଇଛି। ସବୁଆଡ଼େ ବରଫର ଆସ୍ତରଣ ଜମି ରହିଥିବା ଦେଖିବାକୁ ମିଳିଛି। ଦାରିଙ୍ଗବାଡ଼ି ବ୍ଲକର ବହୁ ଆଭ୍ୟନ୍ତରୀଣ ସ୍ଥାନରେ ତୁଷାରପାତ ହୋଇଥିବା ଦେଖିବାକୁ ମିଳିଥିଲା। ରବିବାର ସର୍ବନିମ୍ନ ତାପମାତ୍ରା ୩ ଡିଗ୍ରୀ ସେଲସିୟସ ଥିବାବେଳେ ଆଭ୍ୟନ୍ତରୀଣ ଅଞ୍ଚଳରେ ତାପମାତ୍ରା ୨ରୁ ୩ ଡିଗ୍ରୀ କମ୍ ଅର୍ଥାତ ୩ରୁ ୪ ଡିଗ୍ରୀ ସେଲସିୟସ୍ ରହୁଛି।

ଅନ୍ୟପକ୍ଷରେ ଭୁବନେଶ୍ୱରରେ ତାପମାତ୍ରା ୯.୫ ଡିଗ୍ରୀ ତଳକୁ ଖସିଛି। ଯାହାକି ଗତ କିଛି ବର୍ଷ ମଧ୍ୟରେ ସବୁଠୁ ସର୍ବନିମ୍ନ। ଗତ ସପ୍ତାହ ହେଲା ରାଜଧାନୀର ତାପମାତ୍ରା ୧୦ରୁ ୧୩ ଡିଗ୍ରୀ ମଧ୍ୟରେ ରହୁଥିବାବେଳେ ଶନିବାର ହଠାତ୍ ୧୦ ଡିଗ୍ରୀ ତଳକୁ ଖସି ଆସିଛି। ଆଞ୍ଚଳିକ ପାଣିପାଗ କେନ୍ଦ୍ରର ପୂର୍ବାନୁମାନ ଅନୁଯାୟୀ ଆଉ ତିନିରୁ ଚାରିଦିନ ପର୍ଯ୍ୟନ୍ତ ଶୀତର ପ୍ରକୋପ ରହିବ। ବର୍ଷର ଶେଷ ରାତିର ତାପମାତ୍ରା ସ୍ୱାଭାବିକ ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି।

ପ୍ରବଳ ଥଣ୍ଡା ଯୋଗୁଁ ଲୋକେ ଘରୁ ବାହାରକୁ ବାହାରି ପାରୁ ନାହାନ୍ତି। ଶୀତରୁ ରକ୍ଷା ପାଇବା ପାଇଁ ଲୋକ ନଆଁ ଜାଳି ବସି ରହୁଛନ୍ତି।

ନୂଆବର୍ଷ ପର୍ଯ୍ୟନ୍ତ ସାରା ରାଜ୍ୟରେ ଶୀତ ଜାରି ରହିବ। ଥଣ୍ଡାକୁ ଦୃଷ୍ଟିରେ ରଖି ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟସ୍ଥିତ କୃଷି ପାଣିପାଗ ବିଭାଗ ପକ୍ଷରୁ କୃଷି ଉପଦେଶ ଜାରି କରାଯାଇଛି। ଅନ୍ୟପଟେ ଶୀତ ଯୋଗୁଁ ବୃଦ୍ଧା ଅଧିକ ହଇରାଣ ହେଉଛନ୍ତି।

Comment