ଓଡ଼ିଶାଲାଇଭ୍‌ ବ୍ୟୁରୋ

କୁହୁଡ଼ି ଚାଦର ତଳେ ଦାରିଙ୍ଗିବାଡ଼ି। ୨୬ ବର୍ଷରେ ସର୍ବନିମ୍ନ ତାପମାତ୍ରା।

ପ୍ରବଳ ଶୀତରେ ଥରୁଛି ଓଡ଼ିଶା। ରାତି ଯେତିକି ବଢ଼ୁଛି ଥଣ୍ଡା ସେତିକି ବଢ଼ୁଛି। ରବିବାର ଦାରିଙ୍ଗିବାଡ଼ିରେ ସର୍ବନିମ୍ନ ତାପମାତ୍ରା ୩ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ସୋମବାରର ତାପମାତ୍ରା ୨.୮ ଡିଗ୍ରୀକୁ ଖସି ଆସିଛି। ଫୁଲବାଣୀର ତାପମାତ୍ରା ୩ ଡିଗ୍ରୀ ରେକର୍ଡ କରାଯାଇଛି। କୋରାପୁଟରେ ୪.୮, ଟିଟିଲାଗଡ଼ରେ ୫, ଅନଗୁଳରେ ୫.୬, ଭବାନୀପାଟଣାରେ ୬, କେନ୍ଦୁଝରରେ ୬.୬ ଡିଗ୍ରୀ ରହିଛି।

ସୋମବାର ରାଜ୍ୟର ୯ଟି ସ୍ଥାନର ସର୍ବନିମ୍ନ ତାପମାତ୍ର ୮ ଡିଗ୍ରୀ ତଳେ ରହିଛି। ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଏ ନେଇ ସୂଚନା ଦିଆଯାଇଛି।

ଭୁବନେଶ୍ୱର କଟକରେ ପ୍ରବଳ ଶୀତ ଅନୁଭୂତ ହେଉଛି। ଏହି ଦୁଇ ସହରରେ ସର୍ବନିମ୍ନ ୯.୫ ଓ ୮.୮ ଡିଗ୍ରୀ ରେକର୍ଡ କରାଯାଇଛି। ଏହା ୨୬ ବର୍ଷର ରେକର୍ଡ ଭାଙ୍ଗିଛି। ସୋମବାର ଏବଂ ମଙ୍ଗଳବାର ଓଡ଼ିଶା ପାଇଁ ୟେଲୋ ଆଲର୍ଟ ଜାରି କରାଯାଇଛି। ପାଣିପାଗ ବିଜ୍ଞାନ କେନ୍ଦ୍ରର ପୂର୍ବାନୁମାନ କହୁଛି, ଆଜିଠାରୁ ୨ ତାରିଖ ପର୍ଯ୍ୟନ୍ତ ଶୀତ ଲହରି ଓଡିଶାକୁ ମାଡ଼ି ଆସିବାର ଆଶଙ୍କା ରହିଛି।

ଏଥିସହ ଦାରିଙ୍ଗିବାଡ଼ିରେ ତୁଷାରପାତ ହୋଇଛି। ପ୍ରବଳ ଶୀତ ସାଙ୍ଗକୁ ରାଜ୍ୟର ବିଭିନ୍ନ ସ୍ଥାନରେ ତୁଷାରପାତ ହେଉଛି। ରବିବାର ଦାରିଙ୍ଗିବାଡ଼ି ଅଞ୍ଚଳରେ ତୁଷାରପାତ ହୋଇଥିବା ଦେଖିବାକୁ ମିଳିଥିବା ବେଳେ ସୋମବାର ସୁନ୍ଦରଗଡ଼ ଜିଲ୍ଲାରେ ତୁଷାରପାତ ହୋଇଛି। କନ୍ଧମାଳ ଜିଲ୍ଲାର କିଛି ସ୍ଥାନରେ ତୁଷାରପାତ ହୋଇଛି।

Comment