ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଗୁରୁବାରଠାରୁ ଖେଳାଯିବ ଟେଷ୍ଟ ସିରିଜର ଶେଷ ତଥା ନିର୍ଣ୍ଣାୟକ ମ୍ୟାଚ। ସିଡନୀ କ୍ରିକେଟ ଗ୍ରାଉଣ୍ଡରେ ଖେଳାଯିବ ଏହି ମ୍ୟାଚ। ଇତିହାସ ସୃଷ୍ଟି କରିବା ଲକ୍ଷ୍ୟରେ ପଡ଼ିଆକୁ ଓହ୍ଲାଇବ ବିରାଟ ବାହିନୀ। ଅନ୍ତିମ ଟେଷ୍ଟକୁ ଜିତି କିମ୍ବା ଡ୍ର କରି ସିରିଜ ଜିତି ଏହି ଇତିହାସ ରଚିପାରିବ ଟିମ ଇଣ୍ଡିଆ।

ଅନ୍ୟପଟେ ପରାଜୟରୁ ବଞ୍ଚିବା ପାଇଁ ଘରୋଇ ଦଳ ଅଷ୍ଟ୍ରଲିଆ ଏହି ମ୍ୟାଚକୁ ଜିତି ସିରିଜ ବରାବର କରିବାକୁ ଚେଷ୍ଟା କରିବ। ଭାରତ ପାଖରେ ଅଷ୍ଟ୍ରେଲିଆରେ ପ୍ରଥମ ଥର ଟେଷ୍ଟ ସିରିଜ ଜିତିବାର ସୁଯୋଗ ରହିଛି। ଯଦି ଭାରତ ଏହି ସିରିଜ ଜିତେ ତେବେ ଅଷ୍ଟ୍ରେଲିଆରେ ସିରିଜ ଜିତିବାରେ ପ୍ରଥମ ଅଧିନାୟକ ହେବେ ବିରାଟ କୋହଲି।

ସେହିପରି ସିଡନୀ ଗ୍ରାଉଣ୍ଡ ଇତିହାସ କହୁଛି ଯେ ସିଡନୀରେ ଭାରତର ପଦର୍ଶନ ଭଲ ନୁହେଁ। ୪୦ ବର୍ଷ ହେଲା ଟିମ ଇଣ୍ଡିଆ ଏହି ପଡିଆରେ ଗୋଟିଏ ବି ଟେଷ୍ଟ ମ୍ୟାଚ ଜିତିନି । ଭାରତ ଏହି ଗ୍ରାଉଣ୍ଡରେ କେବଳ ଗୋଟିଏ ମ୍ୟାଚ ଜିତିଛି। ୪୦ ପୂର୍ବେ ୧୯୭୮ ମସିହାରେ ଗୋଟିଏ ମ୍ୟାଚ ଶେଷଥର ପାଇଁ ଜିତିଥିଲା। ବିସନ ସିଂହ ବେଦୀଙ୍କ ଅଧିନାୟକତ୍ୱରେ ଭାରତୀୟ ଦଳ ଏହି ମ୍ୟାଚ ଜିତିଥିଲା। ଏହାପରେ ବିରାଟ ବାହିନୀ ପାଖରେ ଏହାକୁ ଦୋହରାଇବର ସୁଯୋଗ ଅଛି।

ବର୍ତ୍ତମାନ ସୁଦ୍ଧା ସିଡନୀ ଗ୍ରାଉଣ୍ଡରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ୧୧ଟି ମ୍ୟାଚ ଖେଳିଥିବା ବେଳେ ଭାରତ ଗୋଟିଏ ମ୍ୟାଚ ଜିତିବାରେ ସଫଳ ହୋଇଛି। ୫ଟି ଅଷ୍ଟ୍ରେଲିଆ ଜିତିଥିବା ବେଳେ ୫ଟି ମ୍ୟାଚ ଡ୍ର ରହିଛି। ଅନ୍ୟପଟେ ଅଷ୍ଟ୍ରେଲିଆ ଏହି ଗ୍ରାଉଣ୍ଡରେ ୧୦୬ଟି ମ୍ୟାଚ ଖେଳିଥିବା ବେଳେ ୫୯ଟି ମ୍ୟାଚରେ ବିଜୟୀ ହୋଇଥିବା ବେଳେ ୨୮ ମ୍ୟାଚରେ ପରାସ୍ତ ହୋଇଛି, ସେହିପରି ୧୯ ଟି ମ୍ୟାଚ ଡ୍ର ରହିଛି।

ଆଜିକୁ ଠିକ୍ ୪ ବର୍ଷ ପୂର୍ବେ ଟେଷ୍ଟ କ୍ରିକେଟରୁ ଧୋନିଙ୍କ ଅବସର ପରେ ସିଡନୀ କ୍ରିକେଟ ଗ୍ରାଉଣ୍ଡରେ ଅଷ୍ଟ୍ରେଲିଆ ବିପକ୍ଷରେ ଅଧିନାୟକ ଦାୟିତ୍ୱ ତୁଲାଇଥିଲେ। ସେତେବେଳେ ଭାରତ ୭ନଂ ସ୍ଥାନରେ ଥିଲାବେଳେ ଏବେ ଟେଷ୍ଟ କ୍ରିକେଟରେ ଶୀର୍ଷ ସ୍ଥାନରେ ରହିଛି।

Comment