ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାଉରକେଲାରେ ଜଣେ ଇଞ୍ଜିନିୟରିଂ ଛାତ୍ରୀଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଛାତ୍ରୀଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଛନ୍ତି। ଏ ନେଇ ରାଉରକେଲା ଥାନାରେ ଏକ ମାମଲା ରୁଜୁ କରାଯାଇଛି। ଏହା ସହିତ ଏସପିଙ୍କ ନିର୍ଦ୍ଦେଶକ୍ରମେ ରାଉରକେଲା ଜିଆରପି ମଧ୍ୟ ଏକ ମାମଲା ରୁଜୁ କରି, ତଦନ୍ତ ଆରମ୍ଭ କରିଛି।

ଅଭିଯୋଗ ଅନୁସାରେ ଛାତ୍ରୀଙ୍କ ଘର ଝାରସୁଗୁଡ଼ାରେ। ସେ ଏକ ଇଞ୍ଜିନିୟରିଂ କଲେଜରେ ପାଠ ପଢ଼ନ୍ତି। ଡିସେମ୍ବର ୩୧ରେ କଲେଜ ଛୁଟି ପରେ ରାଉରକେଲା ରେଳ ଷ୍ଟେସନରେ ଘରକୁ ଯିବା ଲାଗି ଟ୍ରେନକୁ ଅପେକ୍ଷା କରିଥିଲେ। ତେବେ ସେହି ସମୟରେ ତାଙ୍କ ଭାଇଙ୍କର ଜଣେ ବନ୍ଧୁଙ୍କ ସହିତ ସେଠାରେ ଦେଖାହୋଇଥିଲା। ସେହି ଯୁବକ ଜଣଙ୍କ ଏକ ଟ୍ରେନକୁ ଦେଖାଇ କହିଲେ ଏହା ଝାରସୁଗୁଡ଼ା ଯିବ ତାପରେ ଛାତ୍ରୀ ଜଣଙ୍କ ନିଜ ଭାଇଙ୍କ ବନ୍ଧୁ ସହ ସେହି ଟ୍ରେନରେ ଯାଇଥିଲେ। ତେବେ ଟ୍ରେନଟି ଅଲଗା ରୁଟ୍‌ରେ ଯାଉଥିବା ଦେଖି ଛାତ୍ରୀ ଜଣକ ପ୍ରଶ୍ନ କରିଥିଲେ। ମାତ୍ର ଉକ୍ତ ଯୁବକ(ଭାଇଙ୍କ ବନ୍ଧୁ) କହିଥିଲେ କି ଏହା ଅଲଗା ରୁଟ୍‌ ଦେଇ ଝାରସୁଗୁଡ଼ା ଯିବ।

ଏହାର କିଛି ସମୟ ପରେ ଯୁବକ ଜଣଙ୍କ ଛାତ୍ରୀଙ୍କୁ ଝାଡ଼ଖଣ୍ଡର ଲୋଟାପାହାଡ଼ ଷ୍ଟେସନରେ ଓହ୍ଲାଇଥିଲା। ପରେ ଯୁବକ ଜଣକ ତାଙ୍କୁ ଏକ ଘରକୁ ନେଇ ଯାଇଥିଲା। ତେବେ ଅଭିଯୋଗ ଅନୁସାରେ ସେଠାରେ ସେହି ଯୁବକଙ୍କର ୫ଜଣ ସାଙ୍ଗ ମିଶି ଦୁଇଦିନ ଧରି ତାଙ୍କୁ ଦୁଷ୍କର୍ମ କରିଥିଲେ।

ଗୋଟିଏ ପଟେ ଛାତ୍ରୀଙ୍କ ଅବସ୍ଥା ସଂଙ୍କଟାପନ୍ନ ଅଛି। ଅନ୍ୟପଟ ଜିଆରିପି ତଦନ୍ତ ଆରମ୍ଭ କରିଛି ତେବେ ପୋଲିସ କେତେ ଶୀଘ୍ର ଦୋଷୀଙ୍କୁ ଧରୁଛି ଆଉ ଦଣ୍ଡ ଦେଉଛି ତାହା ଦେଖିବାର କଥା।

Comment