ଓଡ଼ିଶାଲାଇଭ୍ ବ୍ୟୁରୋ

ଚର୍ଚ୍ଚିତ ଚାଟ ଶୋ କଫି ୱିଥ୍‌ କରନରେ ମହିଳାଙ୍କ ପ୍ରତି ଅଶ୍ଳୀଳ ଟିପ୍ପଣୀ ଦେଇ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ଓ ରାହୁଲ ବିବାଦରେ ପଡ଼ିଛନ୍ତି। ଏହି ବିବାଦ ପରେ ଦୁଇ ଖେଳାଳିଙ୍କ ଖେଳ ଉପରେ ବ୍ୟାନ ଲାଗିପାରେ। ସିଓଏ(କମିଟି ଅଫ୍ ଆଡମିନଷ୍ଟ୍ରେଟର) ମୁଖ୍ୟ ବିନୋଦ ରାୟ ଦୁଇ ଖେଳାଳିଙ୍କୁ ଦୁଇଟି ଦିନିକିଆ ମ୍ୟାଚରେ ବ୍ୟାନ କରିବାକୁ ବିସିସିଆଇ ନିକଟରେ ସୁପାରିଶ କରିଛନ୍ତି।

ବିସିସିଆଇ ଏନେଇ କ’ଣ ପଦକ୍ଷେପ ନେବେ ତା’ଉପରେ ସମସ୍ତଙ୍କର ନଜର ରହିଛି। ଅନ୍ୟପକ୍ଷରେ ସଓଏର ଅନ୍ୟ ଜଣେ ସଦସ୍ୟ ଡାୟନା ଏଡୁଲଜୀ ମାମଲାକୁ ବିସିସିଆଇଙ୍କ ଲିଗାଲ ସେଲକୁ ପଠାଇଛନ୍ତି।

ଏହାପୂର୍ବରୁ ବୁଧବାର ବିସିସିଆଇ ମଧ୍ୟ ଦୁଇ ଖେଳାଳିଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଥିଲେ। ଯାହାର ଉତ୍ତରରେ ହାର୍ଦ୍ଦିକ କ୍ଷମା ମାଗିଥିଲେ।

କଫି ଓ୍ଵିଥ୍ କରଣ ଟିଭି ଶୋ’ରେ ପାଣ୍ଡ୍ୟାଙ୍କ ଟିପ୍ପଣୀକୁ ବହୁତ ସମାଲୋଚନା କରାଯାଇଛି। ପାଣ୍ଡ୍ୟା ଏହି ଶୋ’ରେ ମହିଳାଙ୍କ ପ୍ରତି ସେକ୍ସି ଶବ୍ଦ ଉଚ୍ଚାରଣ କରିଥିଲେ। ପରେ ନିଜର ଏହି ଟିପ୍ପଣୀ ପାଇଁ କ୍ଷମା ମାଗିଥିଲେ। ଅନ୍ୟପଟେ ଲୋକେଶ ରାହୁଲ ଏହି ସମାଲୋଚନା ଉପରେ କୌଣସି ପ୍ରତିକ୍ରିୟା ଦେଇ ନଥିଲେ। ବିସିସିଆଇ ୨୪ ଘଣ୍ଟା ଭିତରେ ମହିଳାଙ୍କ ପ୍ରତି ଏହି ଧରଣର ଟିପ୍ପଣୀକୁ ନେଇ ଉଭୟ ଖେଳାଳିଙ୍କଠୁ ଜବାବ ମାଗିଥିଲେ।

Comment