ଓଡ଼ିଶାଲାଇଭ୍ ବ୍ୟୁରୋ
୬୩ ବର୍ଷ ବୟସରେ ପହଞ୍ଚିଲେ ବହୁଜନ ସମାଜବାଦୀ ପାର୍ଟିର ଅଧ୍ୟକ୍ଷ ମାୟାବତୀ।
ବହୁଜନ ସମାଜବାଦୀପାର୍ଟିର ଅଧ୍ୟକ୍ଷ ମାୟାବତୀ ମଙ୍ଗଳବାର ୬୩ତମ ଜନ୍ମ ଦିବସ ପାଳୁଛନ୍ତି। ଆଗକୁ ନିର୍ବାଚନ ରହିଥିବାରୁ ବିଏସ୍ପି ସୁପ୍ରିମୋଙ୍କ ଜନ୍ମ ଦିନ ଉପରେ ସମସ୍ତଙ୍କର ନଜର ରହିଛି। ଦଳର ସମସ୍ତ କର୍ମକର୍ତ୍ତା ଜନ୍ମ ଦିନର ଅଭିନନ୍ଦନ ଜଣାଇଛନ୍ତି। ମାୟାବତୀ ସବୁ ବର୍ଷ ପରି ଏ ବର୍ଷ ବି ଗରିବକୁ ଭୋଜନ ଓ ପୋଷକ ଦାନ କରି ଜନ୍ମ ଦିନ ପାଳନ କରିଛନ୍ତି। ତାଙ୍କ ଜନ୍ମ ଦିନକୁ ସେ ଜନ କଲ୍ୟାଣକାରୀ ଦିବସ ଭାବେ ପାଳନ କରିବେ।
ବିଏସ୍ପି କାର୍ଯ୍ୟାଳୟରେ ଆଜି ମାୟାବତୀଙ୍କ ଜନ୍ମ ଦିନ ସମାରୋହ ଆୟୋଜିତ ହୋଇଛି। ଏହି ଅବସରରେ ମାୟାବତୀ ୬୩ କିଲୋଗ୍ରାମର କେକ୍ କାଟିବେ।
ମାୟାବତୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣେଇବାକୁ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ତାଙ୍କ ନିକଟରେ ପହଞ୍ଚିଛନ୍ତି। ଗତ କିଛି ବର୍ଷ ହେଲା ଦୁଇ ଦଳ ଭିତରେ ଥିବା ସବୁ ଶତ୍ରୁତାକୁ ଭୁଲି ଦୁଇ ଦଳର ମୁଖ୍ୟ ପୁଣି ହାତ ମିଳାଇଛନ୍ତି। ଦୁଇ ଦଳର ମୁଖ୍ୟଙ୍କ ଭିତରେ ପୁଣି ଗଢ଼ି ଉଠିଥିବା ବନ୍ଧୁତାକୁ ନେଇ ଲକ୍ଷ୍ନୌ ବିଏସ୍ପି କାର୍ଯ୍ୟାଳୟ ବାହାରେ ପୋଷ୍ଟର ଲାଗିଥିବା ଦେଖିବାକୁ ମିଳିଛି।
ଚଳିତ ଥର ବିଏସ୍ପି କର୍ମକର୍ତ୍ତାଙ୍କ ସମେତ ଏସ୍ପି କର୍ମକର୍ତ୍ତା ବି ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ନିକଟରେ ଦୁଇ ଦଳ ଭିତରେ ମହାମେଣ୍ଟକୁ ନେଇ ଦୁଇ ଦଳ ମୁଖ୍ୟ ଲକ୍ଷ୍ନୌର ଏକ ହୋଟେଲରେ ପ୍ରେସମିଟ୍ କରି ଚୂଡ଼ାନ୍ତ ଘୋଷଣା କରିଥିଲେ।
ଆଗାମୀ ନିର୍ବାଚନରେ ଉଭୟ ଦଳ ୩୮ ଟି ଆସନରେ ଲଢ଼ିବେ। ୨ଟି ଆସନ ଆରଏଲ୍ଡି (ରାଷ୍ଟ୍ରିୟ ଲୋକ ଦଳ)କୁ ଛାଡ଼ିବେ। ସେହିପରି ଅମେଠି ଓ ରାୟବରେଲି ଆସନରେ କଂଗ୍ରେସ ଅଧକ୍ଷ ରାହୁଲ ଗାନ୍ଧି ଓ ସୋନିଆ ଗାନ୍ଧିଙ୍କ ଆସନ ହୋଇଥିବାରୁ ୨ ଟି ଆସନ ଛାଢ଼ିବେ ବୋଲି ମାୟାବତୀ ପ୍ରେସମିଟ୍ରେ କହିଥିଲେ।