ଓଡ଼ିଶାଲାଇଭ୍ ବ୍ୟୁରୋ

Kansha Maharaja

ବରଗଡ଼ର ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା ସମ୍ପର୍କରେ ଓଡ଼ିଶାଲାଇଭ୍ ମିଡିଆ ପକ୍ଷରୁ ଏକ ଆକର୍ଷଣୀୟ କଫି ଟେବୁଲ୍ ବୁକ୍ ପ୍ରସ୍ତୁତ କରାଯାଇଛି। ଇଂରାଜୀ ଭାଷାରେ ପ୍ରସ୍ତୁତ ଏହି ସଚିତ୍ର ପ୍ରକାଶନ ଖୁବ୍ ଶୀଘ୍ର ମୁକ୍ତିଲାଭ କରିବାକୁ ଯାଉଛି। ଏହି ପୁସ୍ତକର ନାଁ ରହିଛି ‘କଂସ ମହାରାଜା – ଦ ହିରୋ ଅଫ୍ ବରଗଡ଼ ଧନୁଯାତ୍ରା’।

୧୯୪୭ ମସିହାରେ ଦେଶ ସ୍ୱାଧୀନ ହେବା ସହ ପଶ୍ଚିମ ଓଡ଼ିଶାର ବରଗଡ଼ଠାରେ ଆରମ୍ଭ ହୋଇଥିଲା ଏହି ଅନନ୍ୟ ନାଟ୍ୟ ପରମ୍ପରା। ୧୯୪୭ରୁ ୨୦୧୭ – ୭ ଦଶନ୍ଧିର ସଂସ୍କୃତିକୁ ଏହି ପୁସ୍ତକରେ ଉପସ୍ଥାପନ କରାଯାଇଛି। ଏହି ପ୍ରକାଶନର ପରିକଳ୍ପନା ଓ ସମ୍ପାଦନା କରିଛନ୍ତି ବରିଷ୍ଠ ସାମ୍ବାଦିକ ତଥା ଓଡ଼ିଶାଲାଇଭ୍ ମିଡିଆର ପ୍ରତିଷ୍ଠାତା ଓ ମୁଖ୍ୟ ସମ୍ପାଦକ ନୀଳାମ୍ବର ରଥ।

ଦ୍ୱାପର ଯୁଗରେ କଂସ ଥିଲେ ଜଣେ ଅତ୍ୟାଚାରୀ ରାଜା। ନିଜ ବାପାଙ୍କୁ ଗାଦିଚ୍ୟୁତ କରି ସେ ବନ୍ଦୀ କରିଥିଲେ। ନିଜ ଭଉଣୀ ଓ ଭିଣୋଇଙ୍କୁ ବନ୍ଦୀଶାଳାର ଅନ୍ଧକାର ଭିତରେ ଫୋପାଡ଼ି ଦେଇଥିଲେ। ନିଜ ଭଣଜାଙ୍କୁ ହତ୍ୟା କରିବା ପାଇଁ କଳ, ବଳ ଓ କୌଶଳ ପ୍ରୟୋଗ କରିବାକୁ ପଛାଇ ନଥିଲେ। ଏହି ନାଟ୍ୟଧାରା ଉପରେ ବରଗଡ଼ର ଧନୁଯାତ୍ରା ଆଧାରିତ। ହେଲେ ଏଠାରେ କଂସ କେବଳ ଅତ୍ୟାଚାରୀ ରାଜା ନୁହନ୍ତି, ବରଂ ଜଣେ ଲୋକପ୍ରିୟ ପ୍ରଶାସକ ମଧ୍ୟ। ଅର୍ଥାତ୍ ଦ୍ୱାପର ଯୁଗର ଭିଲେନ୍ କଂସ ଆଜିର ସମୟର ହିରୋ।

Dhanu Yatra

ବରଗଡ଼ ଧନୁଯାତ୍ରା ବିଶ୍ୱର ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚ ଭାବେ ପରିଚିତ। ଏହି ବାର୍ଷିକ ୧୧ ଦିନର କାର୍ଯ୍ୟକ୍ରମ ମଧ୍ୟରେ ସମଗ୍ର ବରଗଡ଼ ସହର ଉତ୍ସବ ମୁଖର ପାଲଟିଥାଏ। ଏପରିକି ପ୍ରତ୍ୟେକ ବରଗଡ଼ବାସୀ ପାଲଟିଥାଆନ୍ତି ଏହି ନାଟକର ଜଣେ ଜଣେ ଚରିତ୍ର। ବରଗଡ଼ ପାଲଟେ ମଥୁରା ନଗରୀ। ଅମ୍ବାପାଲି ପାଲଟେ ଗୋପପୁର । ଏବଂ ଏହି ଦୁଇଟି ଅଞ୍ଚଳକୁ ଚିରି ମଝିରେ ପ୍ରବାହିତ ହୋଇଥିବା ଜିରା ନଦୀ ପାଲଟିଥାଏ ଯମୁନା। ୨୦ରୁ ଅଧିକ ଛୋଟବଡ଼ ମଞ୍ଚରେ ଅଭିନୀତ ବରଗଡ଼ ଧନୁଯାତ୍ରା ସତରେ ଏକ ବିରଳ, ବିଚିତ୍ର, ଅନନ୍ୟ ଏବଂ ଆକର୍ଷଣୀୟ କଳା ପରମ୍ପରା। ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ଗଢ଼ି ଉଠିଥିବା ପ୍ରମୁଖ କଳାଧାରା ବା ପରମ୍ପରା ଭିତରେ ବରଗଡ଼ ଧନୁଯାତ୍ରା ଅନ୍ୟତମ। ଓଡ଼ିଶା ପର୍ଯ୍ୟଟନ ମଧ୍ୟ ଏହାକୁ ତାର ବାର୍ଷିକ କ୍ୟାଲେଣ୍ଡରରେ ସ୍ଥାନ ଦେଇଛି।

ଓଡ଼ିଶାଲାଇଭ୍ ପକ୍ଷରୁ ପ୍ରସ୍ତୁତ କଂସ ମହାରାଜା ପୁସ୍ତକ ଜରିଆରେ ଜଣେ ପାଠକ ଏହି ଆକର୍ଷଣୀୟ ବିଷୟର ବିଭିନ୍ନ ଦିଗ ଛୁଇଁବା ସହ ଅନେକ ଅଜଣା ଓ ଅପଢ଼ା କଥା ଜାଣିବାର ସୁଯୋଗ ପାଇବେ।

ଗତ ୭୦ ବର୍ଷ ମଧ୍ୟରେ ଅନେକ ଚରିତ୍ର ଏହି ୧୧ ଦିନର ମହାରାଜା ହୋଇ ଚାଲି ଯାଇଛନ୍ତି। ତେବେ ସେମାନଙ୍କ ମଧ୍ୟରେ ସ୍ମରଣୀୟ ହୋଇ ରହିଛନ୍ତି ଯୁଧିଷ୍ଠିର ଶତପଥୀ, ଗୋପାଳ ସାହୁ ଏବଂ ହୃଷିକେଶ ଭୋଇ ପ୍ରମୁଖ। ସେହିପରି ବର୍ତ୍ତମାନ କଂସ ଭୂମିକାରେ ଅଭିନୟ କରୁଥିବା ବରିଷ୍ଠ କଳାକାର ଭୁବନେଶ୍ୱର ପ୍ରଧାନ, ୨୦୧୭ ମସିହାରୁ ମହାରାଜା ମୁକୁଟ ପିନ୍ଧି ଦର୍ଶକମାନଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ବରଗଡ଼ ଧନୁଯାତ୍ରାର ଏହି ହିରୋ କଂସମାନଙ୍କ ସମ୍ପର୍କରେ ମଧ୍ୟ ଏହି ବହିରେ ଅନେକ ରୋଚକ କଥା ସ୍ଥାନ ପାଇଛି।

‘‘ଓଡ଼ିଶାର ବିରଳ କଳା ସଂସ୍କୃତିର ସଂରକ୍ଷଣ ଏବଂ ପ୍ରସାର ପାଇଁ ଓଡ଼ିଶାଲାଇଭ୍ ପକ୍ଷରୁ ଯଥାସମ୍ଭବ ଉଦ୍ୟମ କରାଯାଉଛି । ବିଶେଷକରି ଡିଜିଟାଲ ମିଡିଆ ମାଧ୍ୟମରେ ତଥ୍ୟ, ଚିତ୍ର ଏବଂ ଭିଡିଓ ପରିବେଷଣ କରିବା ପାଇଁ ଆମେ ଉଦ୍ୟମ କରିଆସୁଛୁ। ଆମର ଏହି କ୍ଷୁଦ୍ର ପ୍ରୟାସକୁ ସଫଳ କରିବା କ୍ଷେତ୍ରରେ ଯେଉଁମାନେ ସହଯୋଗ କରିଛନ୍ତି ଆଜି କଂସ ମହାରାଜା ପୁସ୍ତକ ପ୍ରକାଶନ ଅବସରରେ ଆମେ ସେମାନଙ୍କ ନିକଟରେ କୃତଜ୍ଞତା ଜଣାଉଛୁ’’, କହିଛନ୍ତି ଓଡ଼ିଶାଲାଇଭ୍ ମିଡିଆର ପ୍ରତିଷ୍ଠାତା ଓ ମୁଖ୍ୟ ସମ୍ପାଦକ ନୀଳାମ୍ବର ରଥ।

ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଏକ ବାର୍ତ୍ତା ଜରିଆରେ ଓଡ଼ିଶାଲାଇଭର ଏହି ଉଦ୍ୟମକୁ ଅଭିନନ୍ଦନ ଜଣାଇଛନ୍ତି। ସେହିପରି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ତଥା ପର୍ଯ୍ୟଟନ ବିଭାଗର ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଏହି ଅନନ୍ୟ କଳା, ପରମ୍ପରାର ଡକୁମେଣ୍ଟେସନ୍ କାର୍ଯ୍ୟକ୍ରମ ପାଇଁ ଓଡ଼ିଶାଲାଇଭକୁ ପ୍ରଶଂସା କରିଛନ୍ତି।

ପରିଚିତ ଲେଖକ ଓ ନାଟ୍ୟ ନିର୍ଦ୍ଦେଶକ ଅନନ୍ତ ମହାପାତ୍ର ଲେଖିଛନ୍ତି ଯେ ଏହି ବହିଟି ପଢ଼ିଲେ ଜଣେ ବରଗଡ଼ ଯାଇ ଏହି ଆକର୍ଷଣୀୟ ନାଟ୍ୟ କଳା ଦେଖିବାକୁ ନିଶ୍ଚୟ ଚାହିଁବେ।

ସେହିପରି ନାଲକୋର ପରିଚାଳନା ନିର୍ଦ୍ଦେଶକ ଡକ୍ଟର ତପନ କୁମାର ଚାନ୍ଦ ଲେଖିଛନ୍ତି ଯେ ବରଗଡ଼ ଧନୁଯାତ୍ରା ଓଡ଼ିଶାର ବିରଳ ଏବଂ ଆକର୍ଷଣୀୟ ଲୋକ ସଂସ୍କୃତିକୁ ଉପସ୍ଥାପନ କରେ। ତେଣୁ ଏହି ସଂସ୍କୃତିର ପ୍ରସାର ପାଇଁ ଓଡ଼ିଶାଲାଇଭ୍‌ ପକ୍ଷରୁ ଉଦ୍ୟମ ପ୍ରଶଂସନୀୟ ବୋଲି ସେ କହିଛନ୍ତି।

Comment