ଓଡ଼ିଶାଲାଇଭ୍‌ ବ୍ୟୁରୋ

Kansha Maharaja Book Inaugurated
‘କଂସ ମହାରାଜା – ଦ ହିରୋ ଅଫ୍ ବରଗଡ଼ ଧନୁଯାତ୍ରା

ବରଗଡ଼: ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ମଞ୍ଚରେ ଓଡ଼ିଶାଲାଇଭ୍ ମିଡିଆ ପକ୍ଷରୁ ଇଂରାଜୀ ଭାଷାରେ କଫି ଟେବୁଲ୍ ବୁକ୍ ‘କଂସ ମହାରାଜା – ଦ ହିରୋ ଅଫ୍ ବରଗଡ଼ ଧନୁଯାତ୍ରା’ ଉନ୍ମୋଚିତ ହୋଇଯାଇଛି। ଧନୁଯାତ୍ରାର ୧୦ମ ଦିନରେ କଂସ ମହାରାଜା ଏହି ପୁସ୍ତକକୁ ଉନ୍ମୋଚନ କରିଛନ୍ତି।

୧୯୪୭ରୁ ୨୦୧୭ – ୭ ଦଶନ୍ଧିର ସଂସ୍କୃତିକୁ ଏହି ପୁସ୍ତକରେ ଉପସ୍ଥାପନ କରାଯାଇଛି। ଇଂରାଜୀ ଭାଷାରେ ପ୍ରସ୍ତୁତ ଏହି ପୁସ୍ତକରେ ବରଗଡ଼ ଧନୁଯାତ୍ରାର ଆକର୍ଷଣୀୟ ଏବଂ ବିରଳ ଫଟୋ ସ୍ଥାନ ପାଇଛି । ଏହି ପ୍ରକାଶନର ପରିକଳ୍ପନା  ଓ ସମ୍ପାଦନା କରିଛନ୍ତି ବରିଷ୍ଠ  ସାମ୍ବାଦିକ ତଥା ଓଡ଼ିଶାଲାଇଭ୍ ମିଡିଆର ପ୍ରତିଷ୍ଠାତା ଓ ମୁଖ୍ୟ ସମ୍ପାଦକ ନୀଳାମ୍ବର ରଥ।

ଏହି ପୁସ୍ତକ ସମ୍ପର୍କରେ କଂସ ମହାରାଜା କହିଛନ୍ତି, “ଓଡ଼ିଶାଲାଇଭ୍‌ ପକ୍ଷରୁ ବରଗଡ଼ ଧନୁଯାତ୍ରା ସମ୍ପର୍କରେ ବିସ୍ତୃତ ଭାବରେ ଦେଶବିଦେଶର ପାଠକମାନଙ୍କୁ ଅବଗତ କରାଇବା ପାଇଁ ଏହି ଇଂରାଜୀ କଫି ଟେବୁଲ ବୁକ୍‌ର ଉନ୍ମୋଚନ କରାଯାଇଛି। ବରଗଡ଼ ଧନୁଯାତ୍ରା ସମ୍ପର୍କରେ ପାଠକମାନଙ୍କୁ ବିସ୍ତୃତ ଭାବେରେ ଅବଗତ କରାଇବା ପାଇଁ ଓଡ଼ିଶାଲାଇଭ୍‌ ପକ୍ଷରୁ କରାଯାଇଥିବା ପ୍ରୟାସକୁ ମୁଁ ସାଧୁବାଦ୍‌ ଜଣାଉଛି। ଏବଂ ସମସ୍ତଙ୍କୁ ନିର୍ଦ୍ଦେଶ ଦେଉଛି ସମସ୍ତେ ଖଣ୍ଡେ ଖଣ୍ଡେ ପୁସ୍ତକ କିଣି ପଢ଼ନ୍ତୁ ଏବଂ ବରଗଡ଼ ଧନୁଯାତ୍ରା ସମ୍ପର୍କରେ ଅଧିକ ଜାଣନ୍ତୁ।”

ବରଗଡ଼ ଜିଲ୍ଳାର ଜିଲ୍ଲାପାଳ ତଥା ବରଗଡ଼ ଧନୁଯାତ୍ରା କମିଟିର ସଭାପତି ଇନ୍ଦ୍ରମଣୀ ତ୍ରିପାଠୀ ଓଡ଼ିଶାଲାଇଭ୍‌କୁ ଅଭିନନ୍ଦନ ଜଣାଇଛନ୍ତି ଏବଂ ଓଡ଼ିଶାଲାଇଭ୍‌ର ଏଭଳି ଏକ ପ୍ରୟାସକୁ ସ୍ୱାଗତ କରିଛନ୍ତି। ଏହାସହ ପର୍ଯ୍ୟଟକମାନେ ଇଂରାଜୀ ପୁସ୍ତକ ମାଧ୍ୟମରେ ବିସ୍ତୃତ ସୂଚନା ପାଇପାରିବେ ବୋଲି ସେ ଆଶାବାଦୀ ଅଛନ୍ତି।

ବରଗଡ଼ ଧନୁଯାତ୍ରା ମହୋତ୍ସବର ସମ୍ପାଦକ ସୁରେସ୍ୱର ଶତପଥୀ କହିଛନ୍ତି, “ଆଗରୁ ବରଗଡ଼ ଧନୁଯାତ୍ରା ସମ୍ପର୍କିତ ଇଂରାଜୀ ପୁସ୍ତକ ପ୍ରକାଶନ ହୋଇଥିଲେ ମଧ୍ୟ ଏଭଳି ସୁନ୍ଦର, ଗବେଷଣା ଭିତ୍ତିକ ଆକର୍ଷଣୀୟ କଫି ଟେବୁଲ ବୁକ୍‌ ପ୍ରସ୍ତୁତ ହୋଇନଥିଲା। ପ୍ରଥମଥର ପାଇଁ ଓଡ଼ିଶାଲାଇଭ୍‌ ପକ୍ଷରୁ ଏହି ବରଗଡ଼ ଧନୁଯାତ୍ରା ତଥ୍ୟ ସମ୍ବନ୍ଧିତ ପୁସ୍ତକ ଉନ୍ମୋଚିତ ହୋଇଛି ତାହା ଆଗାମୀ ପିଢ଼ି ପାଇଁ ବରଗଡ଼ ଧନୁଯାତ୍ରା ସମ୍ପର୍କିତ ତଥ୍ୟ ଜାଣିବା ପାଇଁ ସହାୟକ ହେବ।”

ଓଡ଼ିଆ ଭାଷା, ସାହିତ୍ୟ ଏବଂ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଓଡ଼ିଶାଲାଇଭ୍‌ର ଏହି ଉଦ୍ୟମକୁ ପ୍ରସଂଶା କରିଛନ୍ତି। ସେ କହିଛନ୍ତି ଯେ ଏଭଳି ପୁସ୍ତକ ଓଡ଼ିଶାର ଅନନ୍ୟ କଳା ସଂସ୍କୃତି ସମ୍ପର୍କରେ ସୂଚନା ଦେବା ସହ ଦେଶବିଦେଶରେ ଓଡ଼ିଶାର ପର୍ଯ୍ୟଟନ ଆକର୍ଷଣ ସମ୍ପର୍କରେ ଲୋକଙ୍କୁ ଅବଗତ କରାଇବ। ଓଡ଼ିଶାର ପର୍ଯ୍ୟଟନର ପ୍ରଚାର କ୍ଷେତ୍ରରେ ଏକ ଉପାଦୟ ପୁସ୍ତକ ହୋଇପାରିବ।

ଏହି ପୁସ୍ତକର ଉନ୍ମୋଚନ ଅବସରରେ ମଞ୍ଚରେ ଓଡ଼ିଶାଲାଇଭ୍‌ର ମୁଖ୍ୟ ସମ୍ପାଦକ ତଥା ସିଇଓ ନୀଳାମ୍ବର ରଥ ପ୍ରଥମେ ଧନ୍ୟବାଦ ଦେଇଥିଲେ ବରଗଡ଼ ଧନୁଯାତ୍ରା ମହୋତ୍ସବ କମିଟିକୁ। ଏବଂ ସେ କହିଥିଲେ ଯେ ଓଡ଼ିଶାଲାଇଭ୍‌ ଟିମ୍‌ର ଉଦ୍ୟମରେ ଏହି ପୁସ୍ତକଟି ପ୍ରକାଶ କରାଯାଇଛି। ଏହାର ମୂଳ ଉଦ୍ଦେଶ୍ୟ ହେଉଛି ଓଡ଼ିଶା ବାହାରେ ବିଶେଷକରି ବିଦେଶରେ ବରଗଡ଼ ଧନୁଯାତ୍ରାର ୭୦ବର୍ଷର ଅନନ୍ୟ ପରମ୍ପରା ସମ୍ପର୍କରେ ସୂଚନା ଦେବା।

ଏହି ପୁସ୍ତକର ପସ୍ତୁତି ପଛରେ ବରଗଡ଼ ଅଞ୍ଚଳର ଗବେଷକ, ସାମ୍ବାଦିକ, ପ୍ରଶାସନ ଏବଂ ବିଭିନ୍ନ ବ୍ୟକ୍ତି ବିଶେଷ ସହଯୋଗ କରିଛନ୍ତି। ସେଥିପାଇଁ ଶ୍ରୀ ରଥ କୃତଜ୍ଞତା ଜଣାଇଥିଲେ।

ବରଗଡ଼ ଧନୁଯାତ୍ରାର ମୁଖ୍ୟ ଆକର୍ଷଣ କଂସ ମହାରାଜାଙ୍କ ହାତରେ ବହିଟି ଉନ୍ମୋଚନ ହେଲା।

Kansa

ଏହି ଉନ୍ମୋଚନ ଅବସରରେ ପ୍ରମୁଖ ଅତିଥିଭାବେ ଓଡ଼ିଆ ଭାଷା, ସାହିତ୍ୟ ଏବଂ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ କିଶୋର ମହାନ୍ତି, ସ୍ଥାନୀୟ ବିଧାୟକ ଦେବେଶ ଆଚାର୍ଯ୍ୟ, ଜିଲ୍ଲାପାଳ ଇନ୍ଦ୍ରମଣୀ ତ୍ରୀପାଠି, ଉତ୍ତରାଞ୍ଚଳ ଡିଆଇଜି ସତ୍ୟବ୍ରତ ଭୋଇ ପ୍ରମୁଖ ଉପସ୍ଥିତ ଥିଲେ।

ଅନ୍ୟମାନଙ୍କ ମଧ୍ୟରେ ଓଡ଼ିଶାଲାଇଭ୍‌ ପକ୍ଷରୁ ନିର୍ଦ୍ଦେଶିକା ପ୍ରଣତୀ ପରିଡ଼ା, ସିନିୟର କନ୍‌ସଲ୍‌ଟାଣ୍ଟ ସିଦ୍ଧାର୍ଥ ମିଶ୍ର, ସତ୍ୟବ୍ରତ ପାଢ଼ୀ, ହରିହର ବଡ଼ପଣ୍ଡା ପ୍ରମୁଖ ମଞ୍ଚରେ ଉପସ୍ଥିତ ଥିଲେ।

ଚଳିତବର୍ଷ ଧନୁଯାତ୍ରା ମଞ୍ଚର ୧୦ମ ଦିନରେ ମଥୁରା ନଗରୀ ରାଜଦରବାର କାର୍ଯ୍ୟକ୍ରମ ବେଳେ ଲକ୍ଷାଧିକ ଦର୍ଶକ ଉପସ୍ଥିତ ଥିଲେ। ଏହି ପରମ୍ପରା ଅନୁଯାୟୀ ଛାୟାକୃଷ୍ଣ ଉପାକ୍ଷାନ ଅଭିନୀତ ହୋଇଥିଲା।

ଏହି ଉନ୍ମୋଚନ ଅବସରରେ ଓଡ଼ିଶାଲାଇଭ୍‌ ପକ୍ଷରୁ କଂସ ମହାରାଜାଙ୍କୁ କୃତଜ୍ଞତା ସ୍ୱରୁପ ଏକ ଉପଢ଼ୌକନ ପ୍ରଦାନ କରାଯାଇଥିଲା।

Comment