ଓଡ଼ିଶାଲାଇଭ୍‌ ଫିଚର

ସାତ ଦଶନ୍ଧିର ଧନୁଯାତ୍ରାରେ କଂସଚରିତ୍ର ପାଇଁ ଅନେକ ଅଭିନେତା ବିଶ୍ୱପ୍ରସିଦ୍ଧ ମୁକ୍ତାକାଶ ରଙ୍ଗମଞ୍ଚରେ ଅଭିନୟ କରିଛନ୍ତି। ସେମାନଙ୍କ ଭିତରୁ କେତେ ଜଣ ଆଉ ଇହଜଗତରେ ନାହାନ୍ତି। ଅଥଚ ଲୋକଙ୍କ ହୃଦୟରେ ଛାଡ଼ି ଯାଇଛନ୍ତି ତାଙ୍କର  ଅଭିନୟ ଦକ୍ଷତାର ଛାପ। ପ୍ରତି ଥର ଧନୁଯାତ୍ରାରେ ସେମାନେ ଖୁବ୍ ମନେପଡ଼ିଥାନ୍ତି।

ବୁନ୍ଦି ରଥ ଧନୁଯାତ୍ରାର ପ୍ରଥମ କଂସ

ଧନୁଯାତ୍ରାର ପ୍ରଥମ କଂସ ହେଉଛନ୍ତି ସ୍ୱର୍ଗତ ବୁନ୍ଦି ରଥ। ଷାଠିଏ ବର୍ଷ ବୟସରେ ସେ କଂସ ଚରିତ୍ରରେ ଅଭିନୟ କରିଥିଲେ।

ସେ ସମୟରେ ଧନୁଯାତ୍ରାରେ “ହାତୀ’ର ଆବିର୍ଭାବ ହୋଇନଥିଲା। ଏକ ଚାରିଚକିଆ ଯାନରେ କଂସ ଚରିତ୍ରର ଏଇ ଦିବଂଗତ ଅଭିନେତା  ଜରିଲୁଗା ପୋଷାକ ପରିଧାନ କରି ଭ୍ରମଣ କରୁଥିଲେ। ବୟସର ଚାପ ଯୋଗୁ ତାଙ୍କର ସଂଳାପ ଉଚ୍ଚାରଣ ଓ ଅଭିନୟ ସେତେ ପ୍ରଭାବଶାଳୀ ନ ଥିଲା ବୋଲି କୁହାଯାଇଥାଏ। ଧନୁଯାତ୍ରାର ପ୍ରଥମ କଂସ ଭାବେ ସେ ପ୍ରବାଦ ପୁରୁଷ ହୋଇ ରହିଯାଇଛନ୍ତି।

ଯୁଧିଷ୍ଠିର ଶତପଥୀଙ୍କ ଅଭିନୟ ଧନୁଯାତ୍ରାର ଟର୍ଣ୍ଣିଂ ପଏଣ୍ଟ

Yudhisthir satpathy kansha of Baragarh Dhanu yatra
ଯୁଧିଷ୍ଠିର ଶତପଥୀ

ତାଙ୍କ ପରେ ଭୀମ ତ୍ରିପାଠୀ କଂସ ଚରିତ୍ରରେ ଅଭିନୟ କରିଥିଲେ। ଯୁଧିଷ୍ଠିର ଶତପଥୀଙ୍କ କଂସ ଚରିତ୍ରରେ ଅଭିନୟ ବରଗଡ଼ ଧନୁଯାତ୍ରାର ଏକ ଟର୍ଣ୍ଣିଂ ପଏଣ୍ଟ ବୋଲି କୁହାଯାଇଥାଏ। ବିଶାଳବପୁ ସହିତ ଛଅ ଫୁଟିଆ ମଣିଷ ଥିଲେ ସେ। ତାଙ୍କର ଗୁରୁଗୟୀର ସ୍ୱର, ସଂଳାପ ଉଚ୍ଚାରଣର ଶୈଳୀ, ଜୀବନ୍ତ ଅଭିନୟ, ରାଜକୀୟ ଠାଣି ଉପସ୍ଥିତ ଦର୍ଶକ ମାନଙ୍କର ମନକୁ ଜିଣି ନେଇଥିଲା। ରାଜଦାଣ୍ଡରେ ଶତପଥୀ ହାତୀ ଉପରେ ବସି ନଗର ଭ୍ରମଣ କରୁଥିବା ବେଳେ ମନେ ହେଉଥିଲା, ସତେ ଯେପରି ଦ୍ୱାପରଯୁଗର କଂସ ମହାରାଜା ମଧୁରାନଗରୀରେ ଆବିର୍ଭୂତ ହୋଇଛନ୍ତି।

ବାସ୍ତବିକ ଯୁଧିଷ୍ଠିର ଶତପଥୀ ଧନୁଯାତ୍ରାକୁ ନେଇ ଏକ ସ୍ୱର୍ଣ୍ଣିଳ ଅଧ୍ୟାୟ ସୃଷ୍ଟି କରିଯାଇଛନ୍ତି ଇତିହାସ ପୃଷ୍ଠାରେ।

ଚର୍ଚ୍ଚାରେ ଗୋପାଳ ସାହୁ

Gopal sahu, Kansha of Dhanu yatra
ଗୋପାଳ ସାହୁ

ଯୁଧିଷ୍ଠିର ଶତପଥୀଙ୍କ ପରେ ଅନେକ ଅଭିନେତା କଂସ ଚରିତ୍ରରେ ଅଭିନୟ କରିଛନ୍ତି। ସେମାନଙ୍କ ଭିତରୁ ପୋଲିସ କର୍ମଚାରୀ ଗୋପାଳ ସାହୁ ଦୀର୍ଘ ବର୍ଷ ଧରି କଂସ ଭୂମିକାରେ ଅଭିନୟ କରି ଚର୍ଚ୍ଚାରେ ଥିଲେ। ଗୋପାଳ ସାହୁଙ୍କ ସଂଳାପ ଉଚ୍ଚାରଣ ଓ ଅଭିନୟର ଚାତୁରୀ ଦୀର୍ଘ ଦୁଇ ଦଶନ୍ଧିରୁ ଅଧିକ ସମୟ ତାଙ୍କୁ କଂସ ଚରିତ୍ରରେ ଅଭିନୟ କରିବା ପାଇଁ ସୁଯୋଗ ଦେଇଛି।

ଗୋପାଳସାହୁ ଏବେ କଂସ ଚରିତ୍ରରେ ଅଭିନୟ କରୁନାହାନ୍ତି। ଗୋପାଳଙ୍କ ପରେ ହୃଷିକେଶ ଭୋଇ କଂସ ଚରିତ୍ରରେ ଅଭିନୟ କରିଛନ୍ତି। ହେଲେ ଗୋପାଳ ସାହୁଙ୍କ ଅଭିନୟ ଏକ ବିରଳ ରେକର୍ଡ ଭାବେ ସ୍ୱୀକାର କରାଯାଇଥାଏ।

ଗୋପାଳ ସାହୁ ବରଗଡ଼ ଧନୁଯାତ୍ରାରେ ସିନା କଂସ ରଚିତ୍ରରେ ଆଉ ଅଭିନୟ କରୁନାହାନ୍ତି ହେଲେ ଅନ୍ୟାନ୍ୟ ସ୍ଥାନର ଧନୁଯାତ୍ରାରେ ମଧ୍ୟ ଦର୍ଶକମାନଙ୍କ ପାଇଁ ପାଲଟିଛନ୍ତି ପ୍ରିୟକଂସ ମହାରାଜ।

Hrushikesh bhoi
ହୃଷୀକେଶ ଭୋଇ

ଗୋପାଳ ସାହୁଙ୍କ ପରେ ଆଠବର୍ଷ ଧରି ଅଭିନେତା ହୃଷୀକେଶ ଭୋଇ ନିଜସ୍ୱ ଶୈଳୀରେ “କଂସ’ ଚରିତ୍ରରେ ଅଭିନୟ କରି ଚର୍ଚ୍ଚାକୁ ଆସିବା ପାଇଁ ସଫଳ ହୋଇପାରିଛନ୍ତି।

ସେ ଗୋପାଳ ସାହୁଙ୍କୁ ନିଜର ଗୁରୁବୋଲି ମାନିଥାନ୍ତି। ମିଡିଆରେ ହୃଷିକେଶ ଭୋଇ ବେଶ୍ ପରିଚିତ। ତାଙ୍କର ଅଭିନୟକୁ ନେଇ ଏକ ସ୍ୱତନ୍ତ୍ର ପୃଷ୍ଠା ବରଗଡ଼ ଧନୁଯାତ୍ରା ଇତିହାସରେ ନିଶ୍ଚୟ ଯୋଡ଼ି ହୋଇ ରହିବ।

Bhubaneswar Pradhan Baragarh Dhanuyatra
ଭୁବନେଶ୍ୱର ପ୍ରଧାନ

କଳିଯୁଗର ହିରୋ ଭୁବନେଶ୍ୱର ପ୍ରଧାନ

ହୃଷୀକେଶ ଭୋଇଙ୍କ ପରେ ଏବେ ‘କଂସ’ ଚରିତ୍ରରେ ଅଭିନୟ କରି ଚର୍ଚ୍ଚାକୁ ଆସିଛନ୍ତି ଭୁବନେଶ୍ୱର ପ୍ରଧାନ। ସେ ପିଲାଟୁ ଦିନରୁ କଂସ ହେବେ ବୋଲି ଇଚ୍ଛୁକ ଥିଲେ। ୨୦୧୭ରେ ବରିଷ୍ଠ କଳାକାରଙ୍କୁ ପଛରେ ପକାଇ କଂସ ଭୂମିକାରେ ଅଭିନୟ କରିବାର ସୁଯୋଗ ପାଇଥିଲେ ସେ। ଏହି ଅଭିନୟ ପରେ ଭୁବନେଶ୍ୱର ଯାତ୍ରାରେ ବହୁତ ସୁଧାର ଆଣିଛନ୍ତି। ପରିବେଶ ସଫା ସୁତୁରା ରଖିବା ଉପରେ ସେ ଗୁରୁତ୍ୱ ଦେଇଥିଲେ। ଶାନ୍ତି ଶୃଙ୍ଖଳାରେ ଯାତ୍ରା ସମାପନ ହୋଇଥିଲା। ଦୂରଦୂରାନ୍ତରୁ ଯେଉଁ ଦର୍ଶକ ଆସନ୍ତି ସେମାନଙ୍କ ରାତିରେ କୌଣସି ଅସୁବିଧା ହେଲେ ସେମାନଙ୍କ ରହିବା, ଶୋଇବାର ବ୍ୟବସ୍ଥା ମାଗଣାରେ ହୋଇଥିଲା।

ଭୁବନେଶ୍ଵର ପ୍ରଧାନ ଜଣେ ଯାତ୍ରା କଳାକାର ଭାବେ ନିଜର ଅଭିନୟ ଆରମ୍ଭ କରିଥିଲେ। ସେ ପୂର୍ବରୁ ନିଜେ ଏକ ଯାତ୍ରା ପାର୍ଟି ବି କରିଥଲେ। ଯାତ୍ରା ପାର୍ଟି ପାଇଁ ସେ ତାଙ୍କର ୧୭ ଏକର ସମ୍ପତ୍ତି ବିକ୍ରି କରିଦେଇଥିଲେ। ଧନୁଯାତ୍ରାରେ କଂସ ହେବାକୁ ୩୦ ଜଣ କଳାକାର ଫର୍ମ ପୂରଣ କରିଥଲେ। କିନ୍ତୁ ୨୩ଜଣ କଳାକାର ଅଡିସନରେ ସାମିଲ ହୋଇଥିଲେ। ୨୨ଜଣକୁ ପଛରେ ପକାଇ ନିଜ ପ୍ରତିଭା ପ୍ରଦର୍ଶନ କରି ଭୁବନେଶ୍ଵର ପ୍ରଧାନ ୨୦୧୭ରେ କଂସ ଭୂମିକାରେ ଅଭିନୟ କରିବା ପାଇଁ ଚୟନ ହୋଇଥିଲେ। ଚଳିତ ବର୍ଷ ବି ସେ କଂସ ଭୂମିକାରେ ଅଭିନୟ କରିବେ।

ଭୁବନେଶ୍ୱର ପ୍ରଧାନ ଯୁଧିଷ୍ଠିର ଶତପଥୀଙ୍କୁ ନିଜ ଗୁରୁ ଭାବେ ଦେଖନ୍ତି।

ଧନୁଯାତ୍ରାରେ କଂସ ଭୂମିକାରେ ଅଭିନୟ କରିବା ସହ ବିଭିନ୍ନ ପୌରାଣିକ କଥାବସ୍ତୁ ଉପରେ ଆଧାରିତ ନାଟକରେ ସେ ଅଭିନୟ କରିଛନ୍ତି। ରାବଣ, ଜଳନ୍ଧର, ତାରକାସୁର, ମୁରାସୁର, ହିରଣ୍ୟକଶ୍ୟପ ଆଦି ଭୂମିକାରେ ଅଭିନୟ କରିଛନ୍ତି ଭୁବନେଶ୍ୱର।

ଚଳିତ ବର୍ଷର ଧନୁଯାତ୍ରାରେ ଦର୍ଶକମାନେ ନୂଆ ସଂଳାପ, ଉଚ୍ଚକୋଟୀର ଅଭିନୟ ଏବଂ ଉଚ୍ଚକୋଟୀର ଅସ୍ତ୍ର ପରିଚାଳନା ଦେଖିବାକୁ ପାଇବେ। ଭାବ, ଭଙ୍ଗୀ ଏବଂ ଠାଣୀ ଏବର୍ଷ ଆହୁରି ଉଚ୍ଚକୋଟୀର ହେବ। ଏଣୁ ଦର୍ଶକମାନେ ନିଶ୍ଚିତ ଭାବେ ଚଳିତ ବର୍ଷ ଧନୁଯାତ୍ରାକୁ ଉପଭୋଗ କରିବେ।

Comment