ଓଡ଼ିଶାଲାଇଭ୍ ବ୍ୟୁରୋ

ସମ୍ବଲପୁର ଆହାର କେନ୍ଦ୍ରରୁ ୩ହଜାର ଲୋକଙ୍କ ଖାଦ୍ୟ ନଷ୍ଟ କରିବା ଘଟଣାର ତଦନ୍ତ ରିପୋର୍ଟ ଜିଲ୍ଲାପାଳଙ୍କ ନିକଟକୁ ଆସିଛି। ରିପୋର୍ଟରେ ଯାହା ଉଲ୍ଲେଖ ରହିଛି, ସେଥିରୁ ସ୍ପଷ୍ଟ ହୋଇଛି ଯେ, ମହାନଗର ନିଗମ କମିଶନରଙ୍କ ଦାୟିତ୍ୱହୀନତା ଓ ଆହାର ଯୋଗାଉଥିବା ମାନ୍ନାଟ୍ରଷ୍ଟର ବେପରୁଆ ମନୋଭାବ ଯୋଗୁ ୩ ହଜାର ଲୋକଙ୍କ ଖାଦ୍ୟ ନଷ୍ଟ ହେଲା।

ରିପୋର୍ଟ ଆସିବା ପରେ ଆହାର ଯୋଗାଉଥିବା ମାନ୍ନାଟ୍ରଷ୍ଟ ଓ ତାର ମ୍ୟାନେଜରଙ୍କୁ କାର୍ଯ୍ୟରୁ ବହିଷ୍କାର କରାଯାଇଛି।

ବହିଷ୍କାର ପରେ ମାନ୍ନାଟ୍ରଷ୍ଟ ଅଧିକାରୀ କହିଛନ୍ତି ପ୍ରଶାସନର ଏହା ଏକପାଖିଆ ନିଷ୍ପତ୍ତି।

ଯେଉଁ ଖାଦ୍ୟକୁ ଜିଲ୍ଲାର ୩୦୦୦ଲୋକ ଖାଇଥାନ୍ତେ ତାହାକୁ ଖତଗଦା ଫୋପାଡିବାକୁ ନେଇ ଅନେକ ପ୍ରତିବାଦ କରାଯାଇଥିଲା। ଜିଲ୍ଲାପାଳ କହିଛନ୍ତି,”୮ ଓ ୯ ତାରିଖ ଭାରତ ବନ୍ଦ ଯୋଗୁଁ ଲୋକେ ଆହାର କେନ୍ଦ୍ରକୁ ଯାଇ ଖାଦ୍ୟ ଖାଇନଥିଲେ। ୨୭ଶହ ୯ଜଣଙ୍କ ଖାଦ୍ୟ ବଳିଥିବା ରିପୋର୍ଟରେ ଉଲ୍ଲେଖ ରହିଛି ମାତ୍ର ଏ ନେଇ ମାନ୍ନାଟ୍ରଷ୍ଟ ମ୍ୟାନେଜର ମହାନଗର ନିଗମ କମିଶନରଙ୍କ ଦୃଷ୍ଟି ଆକର୍ଷଣ କରିନଥିଲେ। ଖାଦ୍ୟ ନଷ୍ଟ ନେଇ ୪୦ହଜାର ଟଙ୍କା ଜୋରିମାନା କରାଯାଇଛି। ଆସନ୍ତା ସୋମବାର ସୁଦ୍ଧା ସେ ଏହି ଟଙ୍କା ଟ୍ରେଜେରୀରେ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।”

ଅନ୍ୟପଟେ ମାନ୍ନାଟ୍ରଷ୍ଟଙ୍କ କହିବା କଥା ଏଥିରେ ତାଙ୍କର କିଛି ଭୂଲ ନାହିଁ।“ମହାନଗର ନିଗମର ଡେପୁଟୀ କମିଶନରଙ୍କ ନିର୍ଦ୍ଦେଶ କ୍ରମେ ପ୍ରତିଦିନ ରୋଷେଇ ହୋଇଥାଏ।” ଡେପୁଟୀ କମିଶନର ଏ ନେଇ କିଛି କହିବାକୁ ମନା କରିବା ସହ ସ୍ପଷ୍ଟ କରିଛନ୍ତି, ଖାଦ୍ୟ ନଷ୍ଟ ହେବା ନେଇ ସେ ଦୋଷୀ।

ସମ୍ବଲପୁର ବାସୀ ଜିଲ୍ଲାପାଳଙ୍କ ନିଷ୍ପତ୍ତି ଓ କାର୍ଯ୍ୟାନୁଷ୍ଠାନକୁ ନେଇ ସନ୍ତୁଷ୍ଟ ନୁହନ୍ତି। ସମ୍ବଲପୁରବାସୀ ଓ ବୁଦ୍ଧିଜିବୀଙ୍କ  କହିବା କଥା,” ଏ ଘଟଣାରେ ମହାନଗର ନିଗମର ଡେପୁଟୀ କମିଶନର ମଧ୍ୟ ସମାନ ଭାବେ ଦାୟୀ, ତେଣୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବା କଥା। ଜିଲ୍ଲାରେ ଭୂଲ କଲେ ସୁଦ୍ଧା ସରକାରୀ କର୍ମଚାରୀଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ, କେବଳ ଘରୋଇ ସଂସ୍ଥାର କର୍ମଚାରୀ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ”

ରାଜ୍ୟରେ ଆଜି ମଧ୍ୟ ଅନେକ ନଗଡା ଭଳି ଗାଁ ରହିଛି। ସେପଟେ ପଶ୍ଚିମଓଡିଶାରେ ଆଜି ମଧ୍ୟ ଅନାହାର ଓ ଅର୍ଦ୍ଧାହାର ଭଳି ଚିତ୍ର ରହିଛି। ଲୋକଙ୍କୁ ଦୁଇବେଳା ଖାଦ୍ୟ ମିଳୁନାହିଁ। ଅନାଥ ଆଶ୍ରମରେ ଖାଦ୍ୟ ମିଳୁନଥିବାରୁ ପିଲାମାନେ,ହଷ୍ଟେଲ୍‌ ଛାଡୁଛନ୍ତି। ବସ୍ତିରେ ଅନେକ ଭୋକ ଉପାସରେ ପଡି ରହୁଥିବା ବେଳେ, ଖାଦ୍ୟ ଫିଙ୍ଗିବା ଭଳି କାର୍ଯ୍ୟ କରିଥିବା ମାନ୍ନାଟ୍ରଷ୍ଟର ମ୍ୟାନେଜର ଓ ମହାନଗର ନିଗମ ଡେପୁଟୀ କମିଶନରଙ୍କ ବିରୋଧରେ ମାମଲା ଦାୟର କରି, ତାଙ୍କୁ ଗିରଫ କରିବାକୁ ଦାବି କରିଛନ୍ତି,ପୁର୍ବତନ ମନ୍ତ୍ରୀ ଜୟନାରାୟଣ ମିଶ୍ର ଓ ସମ୍ବଲପୁର ନାଗରିକ କ୍ରିୟାନୁଷ୍ଠାନ କମିଟିର ସଭାପତି,ପ୍ରଦୀପ ବହିଦାର। ଏଭଳି ସଙ୍ଗୀନ୍‌ ମାମଲାରେ ଯଦି ଦୋଷୀଙ୍କ ବିରୋଧରେ ଜିଲ୍ଲା ପ୍ରଶାସନ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରେ, ତେବେ ନାଗରିକ କ୍ରିୟାନୁଷ୍ଠାନ କମିଟି ନିଜ ତରଫରୁ ମାମଲା ଦାୟର କରିବ ବୋଲି କହିଛି।

Comment