ଓଡ଼ିଶାଲାଇଭ୍ ବ୍ୟୁରୋ

ବିଶିଷ୍ଟ ଲେଖିକା ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭଉଣୀ ଗୀତା ମେହଟା ପଦ୍ମଶ୍ରୀ ଉପାଧି ଗ୍ରହଣ କରିବାକୁ ମନା କରିଦେଇଛନ୍ତି। ଶୁକ୍ରବାର ଅପରାହ୍ନରେ ସାଧାରଣତନ୍ତ୍ର ଦିବସର ଅବ୍ୟବହିତ ପୂର୍ବରୁ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅନୁମୋଦନ କ୍ରମେ ପଦ୍ମ ପୁରସ୍କାର ଘୋଷିତ ହୋଇଥିଲା। ଏଥିରେ ଗୀତାଙ୍କ ସମେତ ଓଡ଼ିଶାରୁ ୪ ଜଣଙ୍କ ନାମ ଥିଲା।
ନ୍ୟୁୟର୍କରେ ରହୁଥିବା ଗୀତାଙ୍କ ପକ୍ଷରୁ ଜାରି କରାଯାଇଥିବା ଏକ ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି, “ଭାରତ ସରକାର ମତେ ପଦ୍ମଶ୍ରୀ ଉପାଧି ଦେବା ପାଇଁ ନିଷ୍ପତ୍ତି ନେଇଥିବାରୁ ମୁଁ ଗର୍ବିତ ମନେ କରୁଛି। କିନ୍ତୁ ଅତି ଦୁଃଖର ସହିତ ମୁଁ ଘୋଷଣା କରୁଛି ଯେ ଏହି ପୁରସ୍କାରକୁ ମୁଁ ପ୍ରତ୍ୟାଖ୍ୟାନ କରିବା ପାଇଁ ସ୍ଥିର କରିଛି ।ଆଗକୁ ସାଧାରଣ ନିର୍ବାଚନ ଥିବାରୁ ଏହି ସମୟରେ ପୁରସ୍କାର ଗ୍ରହଣ କଲେ ଏହାର ଅଲଗା ଅର୍ଥ ବାହାରିବ। ଏଥିରେ ଉଭୟ ଭାରତ ସରକାର ଓ ନିଜେ ମୁଁ ଅଡ଼ୁଆରେ ପଡ଼ିବାର ସମ୍ଭାବନା ରହିଛି। ଏଣୁ ଏହି ପୁରସ୍କାର ଗ୍ରହଣ କରିବା ସ୍ଥିତିରେ ମୁଁ ନାହିଁ।”
ଶିକ୍ଷା ଓ ସାହିତ୍ୟ ବିଭାଗରେ ଗୀତାଙ୍କୁ ସମ୍ମାନଜନକ ପଦ୍ମଶ୍ରୀ ଦିଆଯିବା ପାଇଁ ଭାରତ ସରକାର ନିଷ୍ପତ୍ତି ନେଇଥିଲେ। ତେବେ ଗୀତାଙ୍କୁ ‘ବିଦେଶୀ’ ବିଭାଗରେ ଏହି ପୁରସ୍କାର ଦିଆଯାଇଛି। ଯେତେବେଳେ କି ଗୀତା ମେହଟା ଭାରତୀୟ ନାଗରିକ ଅଛନ୍ତି ଓ ତାଙ୍କର ଭାରତୀୟ ପାସପୋର୍ଟ ବି ଅଛି।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଡ଼ ଭଉଣୀ ଗୀତା ଜଣେ ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ଲେଖିକା। ତାଙ୍କର ୬ ଖଣ୍ଡ ପୁସ୍ତକ ରହିଛି : କର୍ମା କୋଲା (୧୯୭୯), ରାଜ(୧୯୮୯), ଏ ରିଭର ସୂତ୍ର(୧୯୯୩), ସ୍ନେକ୍ସ ଆଣ୍ଡ ଲ୍ୟାଡେର୍ସ (୧୯୯୭) ଓ ଇଟରନାଲ ଗଣେଶ (୨୦୦୬)। ଏହା ବ୍ୟତୀତ ସେ ୧୪ଟି ପ୍ରାମାଣିକ ଚିତ୍ରର ପ୍ରଯୋଜନା କରିଛନ୍ତି ଅଥବା ନିର୍ଦ୍ଦେଶନା ଦେଇଛନ୍ତି।
ଗୀତ ମେହଟାଙ୍କୁ ଏବେ ୭୬ ବର୍ଷ। ବିଜୁ ପଟ୍ଟନାୟକଙ୍କ ତିନି ସନ୍ତାନଙ୍କ ଭିତରୁ ସବା ବଡ଼ ହେଉଛନ୍ତି ପ୍ରେମ ପଟ୍ଟନାୟକ, ତାଙ୍କ ତଳକୁ ଗୀତା ଓ ସବା ସାନ ହେଉଛନ୍ତି ନବୀନ ପଟ୍ଟନାୟକ। ଗୀତା ଏକ ଅନ୍ତର୍ଜାତୀୟ ପ୍ରତିଷ୍ଠା ସମ୍ପନ୍ନ ପୁସ୍ତକ ପ୍ରକାଶନ ସଂସ୍ଥା ଅଲଫ୍ରେଡ ଏ ନଫର ମୁଖ୍ୟ ସୋନି ମେହେଟାଙ୍କୁ ବିବାହ କରିଛନ୍ତି।

















