ଓଡ଼ିଶାଲାଇଭ୍‌ ବ୍ୟୁରୋ

ସାଧାରଣତନ୍ତ୍ର ଦିବସ ଅବସରରେ କଟକରେ ପତାକା ଉତ୍ତୋଳନ କଲେ ମୁଖ୍ୟମନ୍ତ୍ରୀ।

“ଓଡ଼ିଶାର ପରିଚୟ ପାଲଟିଛି ବିକାଶ। ଗରିବ କଲ୍ୟାଣ ଯୋଜନା ଓଡ଼ିଶାର ପରିଚୟ ପାଲଟିଛି। ନାରୀ ସଶକ୍ତିକରଣ, ଯୁବ ସଶକ୍ତିକରଣ, ଅନୁସୂଚିତ ଜାତି ଏବଂ ଜନଜାତି ଭାଇଭଉଣୀଙ୍କ ବିକାଶ ଆଜି ଓଡ଼ିଶାର ପରିଚୟ ପାଲଟିଛି”, କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

୭୦ତମ ସାଧାରଣତନ୍ତ୍ର ଦିବସ ପାଳନ ଅବସରରେ କଟକ ବାରବାଟୀ ଷ୍ଟାଡିୟମରେ ମୁଖ୍ୟମନ୍ତ୍ରୀ ପତାକା ଉତ୍ତୋଳନ କରିଥିଲେ। ସମ୍ମିଳତ ପରେଡରେ ଅଭିବାଦନ ଗ୍ରହଣ କରିଥିଲେ ମୁଖ୍ୟମନ୍ତ୍ରୀ।

ମୁଖ୍ୟମନ୍ତ୍ରୀ କହିଥିଲେ, “ଆଜି ଭାରତ ବିଶ୍ୱରେ ଅଗ୍ରଣୀ ଦେଶ ଭାବେ ପ୍ରତିଷ୍ଠା ପାଇଛି। ଏହି ପବିତ୍ର ଦିନରେ ଆମ ଦେଶର ଜବାନ, କୃଷକ, ଶ୍ରମିକମାନଙ୍କୁ ମୁଁ ସାଲ୍ୟୁଟ କରୁଛି। ଦେଶର ବିକାଶ ସହିତ ଆମ ଓଡ଼ିଶା ମଧ୍ୟ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅଗ୍ରଗତି କରୁଛି।”

ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ ଯେ ମେକ୍ ଇନ୍ ଓଡ଼ିଶା କନକ୍ଲେଭ ନିବେଶକମାନଙ୍କ ମଧ୍ୟରେ ନୂଆ ଆସ୍ଥା ସୃଷ୍ଟି କରିଛି। ୪.୨ ଲକ୍ଷ କୋଟି ଟଙ୍କାର ପୁଞ୍ଜି ସହିତ ୬ ଲକ୍ଷ ନୂଆ ନିଯୁକ୍ତି ପାଇଁ ସୁଯୋଗ ସୃଷ୍ଟି ହୋଇଛି। ହକି ବିଶ୍ଵକପ୍ ଆୟୋଜନ ବିଶ୍ୱରେ ଭାରତର ଗୌରବକୁ ବୃଦ୍ଧି କରିଛି।

“ଓଡ଼ିଶା ବିକାଶରେ ଯୁବ, ଛାତ୍ର, ମହିଳା, ଚାଷୀ, ଶ୍ରମିକ ସାମିଲ ହୋଇଛନ୍ତି। ମାଲକାନଗିରିରି ଗୁରୁପ୍ରିୟା ସେତୁ, ବିଜୁ ଏକ୍ସପ୍ରେସ ୱେ, ଗାଁ ଗାଁରେ ପକ୍କା ଘର, ନୂଆ ମେଡିକାଲ କଲେଜ ହେଉଛି ଓଡ଼ିଶା ବିକାଶର ମାଇଲଖୁଣ୍ଟ”, କହିଥିଲେ ମୁଖ୍ୟମନ୍ତ୍ରୀ।

ଓଡ଼ିଶାର ସବୁ ଗାଁରେ ବିଜୁଳି ପହଞ୍ଚିପାରିଛି। ୯୬ ଲକ୍ଷ ପରିବାର ଏହାଦ୍ୱାରା ଉପକୃତ ହୋଇଛନ୍ତି। ୮ ଲକ୍ଷ ହେକ୍ଟର ଚାଷଜମିକୁ ପାଣି ଯୋଗାଇ ଦିଆଯାଇଛି। ଖୁବଶୀଘ୍ର ୧୦ ଲକ୍ଷ ହେକ୍ଟର ଚାଷଜମିକୁ ଜଳ ଯୋଗାଇ ଦେବାର ଲକ୍ଷ୍ୟ ରହିଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ଚାଷୀମାନଙ୍କ ପାଇଁ ରାଜ୍ୟ ସରକାର କାଳିଆ ଯୋଜନା ପ୍ରଣୟନ କରିଛନ୍ତି। ଏହା ସାରା ଦେଶର କୃଷି ଓ କୃଷକଙ୍କ କଲ୍ୟାଣ ପାଇଁ ଏକ ମଡେଲ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ସାଧାରଣତନ୍ତ୍ର ଦିବସ ପାଳନ ଅବସରରେ ମୁଖ୍ୟମନ୍ତ୍ରୀ ଜାତିର ପିତା ମହାତ୍ମା ଗାନ୍ଧି, ପଣ୍ଡିତ ନେହେରୁ, ନେତାଜୀ ସୁଭାଷ ଚନ୍ଦ୍ର ବୋଷ, ସର୍ଦ୍ଦାର ପଟେଲ, ମୌଲାନା ଆଜାଦ, ଡକ୍ଟର ବି ଆର୍ ଆମ୍ବେଡକର, ଡକ୍ଟର ରାଜେନ୍ଦ୍ର ପ୍ରସାଦ, ଉତ୍କଳମଣି ପଣ୍ଡିତ ମଧୁସୂଦନ ଦାସଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ।

Comment