ଓଡ଼ିଶାଲାଇଭ୍‌ ବ୍ୟୁରୋ

ଗଣମାଧ୍ୟମ ପ୍ରତିନିଧିମାନଙ୍କ ଉପରେ ଆକ୍ରମଣ ଥମିବାର ନାଁ ଧରୁନି। କେଉଁଠି ସାମ୍ବାଦିକଙ୍କୁ ହତ୍ୟା ତ କେଉଁଠି ହତ୍ୟା ଉଦ୍ୟମ ଭଳି ଅଭିଯୋଗ ଆସୁଛି। ବୁଧବାର କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ସହରରେ ଏମିତି ଏକ ଘଟଣା ଘଟିଛି। ଦିନ ଦିପ୍ରହରରେ ଜଣେ ସମ୍ବାଦିକଙ୍କୁ ଭୁଜାଲିରେ ଆକ୍ରଣକରି ଲହୁ ଲୁହାଣ କରି ଦୃର୍ବୁତ୍ତ ଛୁ ମାରିଛନ୍ତି।

ପଟ୍ଟାମୁଣ୍ଡାଇ ପୌର କାର୍ଯ୍ୟାଳୟ ସମ୍ମୁଖରେ କୁମାରେଶ ନାୟକ ନାମକ ଜଣେ ସାମ୍ବାଦିକ ଖବର ସଂଗ୍ରହରେ ବ୍ୟସ୍ତ ଥିଲେ । ଏହି ସମୟରେ ଅଢ଼ାଖଣ୍ଡ ଗାଁର ସୂର୍ଯ୍ୟକାନ୍ତ ମଳିକ ଓ ତାର ଭାଇ ଚୈତନ୍ୟ ମଳିକ ଏକ ମଟର ସାଇକେଲରେ ପହଞ୍ଚି କୁମାରେଶଙ୍କ ସହିତ କଥା ହେଉ ହେଉ ହଠାତ୍ ତାଙ୍କ ବେକକୁ ଲକ୍ଷ୍ୟ କରି ଭୁଜାଲିରେ ଆକ୍ରମଣ କରିଥିଲେ।

କୁମାରେଶ ବୁଲିପଡ଼ିବାରୁ ଭୁଜାଲିର ଚୋଟ ତାଙ୍କ ଅଣ୍ଟାରେ ବଜିଥିଲା।  ପାଖରେ ଥିବା ଲୋକମାନେ ଆକ୍ରମଣକାରୀଙ୍କୁ ଧରିବାକୁ ଗୋଡାଇବାରୁ ସେମାନେ ବାଇକ ଛାଡ଼ି ଫେରାର ହୋଇଯାଇଥିଲେ।

ଆହତ କୁମାରେଶଙ୍କୁ ପଟ୍ଟାମୁଣ୍ଡାଇ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ଜଣେ ଯୁବତୀଙ୍କୁ ଅପହରଣ କରିବା ଘଟଣାରେ କୁମାରେଶ ଖବର ସଂଗ୍ରହ କରୁଥିବା ଅଭିଯୋଗରେ ଏହି ଆକ୍ରମଣ ହୋଇଥିବା କୁହାଯାଉଛି।

ଆକ୍ରମଣକାରୀ ଛାଡ଼ିଯାଇଥିବା ବାଇକଟିକୁ ପଟ୍ଟାମୁଣ୍ଡାଇ ପୋଲିସ ଜବତ କରିଛି। ଅଭିଯୁକ୍ତ ମାନଙ୍କ ବିରୋଧରେ ଭାରତୀୟ ପିଙ୍ଗଳ କୋର୍ଡର ୩୪୧, ୩୦୭ ଓ ୩୪  ଦଫାରେ ମାମଲା ରୁଜୁ ହୋଇଛି। ଅଭିଯୁକ୍ତମାନଙ୍କୁ ଧରିବାକୁ ପୋଲିସ ଅଢ଼ାଖଣ୍ଡ ଗାଁରେ ଚଢାଉକରି ବିଫଳ ହୋଇଛି।

ଅଭିଯୁକ୍ତମାନଙ୍କୁ ତୁରନ୍ତ ଗିରଫ କରିବାକୁ ଆଜି ପଟ୍ଟାମୁଣ୍ଡାଇର ଗଣମାଧ୍ୟମ ପ୍ରତିନିଧିମାନେ ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୁକ୍ତମାନଙ୍କୁ ୭୨ ଘଣ୍ଟା ମଧ୍ୟରେ ଗିରଫ କରିବାକୁ ପୋଲିସକୁ ସମୟ ଦେଇଛନ୍ତି। ନଚେତ୍ ଥାନା ଆଗରେ ଧାରଣା ଦେବାକୁ ଗଣମାଧ୍ୟମ ପ୍ରତିନିଧି ଚେତାବନୀ ଦେଇଛନ୍ତି।

Comment