ଓଡ଼ିଶାଲାଇଭ୍ ବ୍ୟୁରୋ

ଗୁରୁବାରଠୁ କେନ୍ଦ୍ର ବଜେଟ ଅଧିବେଶନ ଆରମ୍ଭ ହୋଇଛି। ଶୁକ୍ରବାର ବଜେଟ୍ ଉପସ୍ଥାପନା ହେବ। ମୋଦି ସରକାର ନିଜ କାର୍ଯ୍ୟକାଳର ଶେଷ ବଜେଟ ଦେଶବାସୀଙ୍କ ଆଗରେ ଉପସ୍ଥାପନ କରିବାକୁ ଯାଉଛନ୍ତି। ବଜେଟ ପାଇଁ ଅର୍ଥନୀତିଜ୍ଞ, ଅଫିସରମାନଙ୍କ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟୟରେ। ପ୍ରତିବର୍ଷ ବଜେଟ ଘୋଷଣା ହେବା ପୂର୍ବରୁ ମିଠା ଖାଇବାର ଏକ ପରମ୍ପରା ରହିଥାଏ। ମିଠା ଖାଇସାରିବା ପରେ ଅଧିକାରୀମାନେ ବଜେଟ କାମ କରିବା ଆରମ୍ଭ କରିଥାନ୍ତି।
ଏହି ପରମ୍ପରା ଅନୁସାରେ ଅର୍ଥମନ୍ତ୍ରୀ ମିଠା ନିଜେ ତିଆରି କରିଥାନ୍ତି। ନିଜ ବିଭାଗରେ ଥିବା ଅଧିକାରୀଙ୍କୁ ବାଣ୍ଟିଥାନ୍ତି। ତେବେ ଏହି ପରମ୍ପରା ପଛରେ ଅନେକ କାହାଣୀ ଓ ବିଶ୍ୱାସ ରହିଛି, ଯାହାକୁ ପ୍ରତିବର୍ଷ ପାଳନ କରାଯାଇଆସୁଛି।
ଜାଣନ୍ତୁ କ’ଣ ଏହି ମିଠା ଖାଇବା ପରମ୍ପରା
ପ୍ରତିବର୍ଷ ବଜେଟ ଉପସ୍ଥାପନ ପୂର୍ବରୁ ମିଠା ଖାଇବାର ପରମ୍ପରା ପାଳନ କରାଯାଇଥାଏ। ଭାରତୀୟ ପରମ୍ପରାରେ ମିଠାକୁ ଶୁଭ କାର୍ଯ୍ୟରେ ବ୍ୟବହାର କରାଯାଇଥାଏ। ଭାରତୀୟମାନଙ୍କର ବିଶ୍ୱାସ ରହିଛି ଯେ କୌଣସି ଶୁଭ କାମ ଆରମ୍ଭ କରିବା ପୂର୍ବରୁ କିଛି ମିଠା ଖାଇବା ଦ୍ୱାରା କାମ ସଫଳ ହୋଇଥାଏ। ତେବେ ବଜେଟ ଅଧିବେଶନ ପୂର୍ବରୁ ଏହି ମିଠା ପ୍ରସ୍ତୁତ ହୋଇ ସମସ୍ତେ ଖାଇବା ପରେ ହିଁ ବଜେଟ ସମ୍ବନ୍ଧୀୟ କାଗଜପତ୍ରକୁ ଛପାଇବା ଲାଗି ପ୍ରେସକୁ ପଠାଯାଇଥାଏ।
ବଜେଟ ସମ୍ବନ୍ଧୀୟ କାଗଜପତ୍ରକୁ ଛାପିବାଠୁ ଆରମ୍ଭ କରି ସଂସଦରେ ଉପସ୍ଥାପନ ଯାଏଁ କାର୍ଯ୍ୟରତ ଥିବା ଅଧିକାରୀଙ୍କ ଲାଗି ବି କିଛି ନିୟମ ଥାଏ। ଏହି ଅଧିକାରୀଙ୍କୁ ଉକ୍ତ ସମୟ ମଧ୍ୟରେ କାହା ସହ ସମ୍ପର୍କ ରଖିବାକୁ ଦିଆଯାଇ ନଥାଏ। ଏମିତିକି ନର୍ଥ ବ୍ଲକ ବେସମେଣ୍ଟରେ ଛପାଯାଉଥିବା ପ୍ରେସରେ ପାଖାପାଖି ଅର୍ଥ ମନ୍ତ୍ରାଳୟର ୧୦୦ଜଣ କର୍ମଚାରୀଙ୍କୁ କିଛିଦିନ ଲାଗି ରଖାଯାଇଥାଏ। ଏମିତିକି ଏହି ସମୟରେ ଏମାନଙ୍କୁ ଫୋନ କରିବାକୁ ବି ଅନୁମତି ଦିଆଯାଇନଥାଏ ଏବଂ ଏହି ଅଧିକାରୀମାନଙ୍କୁ କେହି ଦେଖା ମଧ୍ୟ କରିପାରନ୍ତି ନାହିଁ।
ବଜେଟର ଦସ୍ତାବିଜ୍ ଛାପିବାଠୁ ଆରମ୍ଭ କରି ସଂସଦରେ ଉପସ୍ଥାପନ ପର୍ଯ୍ୟନ୍ତ କାମ କରୁଥିବା ଅଧିକାରୀଙ୍କୁ ସେହି ସମୟରେ ସେମାନଙ୍କ ପରିବାର ସହିତ ବି ଦେଖା କରିବାକୁ ଅନୁମତି ନଥାଏ। ନର୍ଥ ବ୍ଲକର ବେସମେଣ୍ଟରେ ଥିବା ପ୍ରେସରେ ଏହି ଅଧିକାରୀମାନେ ଏକ ପ୍ରକାର ଚାବିରେ ରହିବା ପରି ରହିଥାନ୍ତି।


















